• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗଜପତି ଜିଲ୍ଲା ମୋହନାରେ ନଦୀ ବଢି ଯୋଗୁଁ ୬ ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ନଈ ହୁଡ଼ାରେ ଅଟକି ରହିଛନ୍ତି ଗ୍ରାମବାସୀଙ୍କ ସମେତ ଶିକ୍ଷକ, ଛାତ୍ର ଓ ଆଶା ଦିଦି । ଗତ ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଗଜପତି ଜିଲ୍ଲା ମୋହନା ବ୍ଲକ ଗରଡ଼ମା ପଞ୍ଚାୟତ ରାଜଖମା ଗାଁ ନିକଟରେ ଥିବା ଗଦାପୁର ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି । ଏହା ଫଳରେ ଏବେ ରାଜଖମା, କୁମାରପଦା, ରାମସିଂ, ଗୁରିଙ୍ଗମେରା ଗାଁ ସମେତ ୬ ଖଣ୍ଡ ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଛି । ଏସବୁ ଗାଁରେ ଜଳ ବନ୍ଦୀ ଜୀବନ କାଟୁଛନ୍ତି ଗ୍ରାମବାସୀ ।

ସେପଟେ ଫୁଲୁଛି ଦୟା ନଦୀ । ବନ୍ୟା ଜଳ ଏବେ ବନ୍ଧ ପାଇଁ ବିପଦ ସାଜିଲାଣି । ଭୁବନେଶ୍ୱର ଉପକଣ୍ଠ ଏକାମ୍ର ନିର୍ବାଚନ ମଣ୍ଡଳୀର ଧଉଳି ପଞ୍ଚାୟତ କୁମାରଡିହି ନଦୀ ବନ୍ଧରେ ଏକାଧିକ ଘାଇ ସୃଷ୍ଟି ହୋଇଛି । ଯାହାକୁ ନେଇ ଚିନ୍ତାରେ ସ୍ଥାନୀୟ ବାସିନ୍ଦା । ଘାଇ ସୃଷ୍ଟି ହୋଇଥିବା ସ୍ଥାନରେ ଗ୍ରାମବାସୀ ନିଜେ ଶ୍ରମ ଦାନ କରି ଘାଇ ମରାମତି କାମରେ ଲାଗିଛନ୍ତି । ରାତି ରାତି ଉଜାଗର ରହି ପାଳି କରି ନଦୀ ବନ୍ଧକୁ ଜଗି ରହୁଛନ୍ତି । ବନ୍ୟା ଜଳ ଆସି ଚାଷ ଉଜାଡି ଦେଇଛି । 

ସେପଟେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା ନିଜେ ଘଳିଆ ହୋଇଥିବା ସ୍ଥାନ ପରିଦର୍ଶନ କରି ପ୍ରଶାସନ ସଜାଗ ଥିବା ପ୍ରତିକ୍ରିୟାରେ କହିଛନ୍ତି ।

ସେହିଭଳି ତିନିଦିନ ହେବ ଭୋକ ଉପାସରେ ରହିଛନ୍ତି ବନ୍ୟା ପୀଡ଼ିତ । ଦିନରେ ଖାଇଲେ ରାତି କି ନାହିଁ । ବନ୍ୟା ପାଣି ପାଇଁ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ତୁରିନ୍ତିରା ପଞ୍ଚାୟତ ବାସିନ୍ଦା ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । କେତେ ଜଣଙ୍କ ଘର ଭାଙ୍ଗି ଯାଇଥିବା ବେଳେ ଗାଁ ଦାଣ୍ଡରେ ଚାଲିଛି ପାଣି । ଗୋରୁ ଗାଈ ଛୁଆ ପିଲାଙ୍କୁ ନେଇ ଲୋକମାନେ ରାସ୍ତା ଉପରେ ପଡ଼ି ରହିଛନ୍ତି ।