• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରାଜ୍ୟରେ ପୁଣି ଉପରମୁହାଁ ପାରଦ । ଆଜିଠୁ ଆହୁରି ବଢିବ ତାପମାତ୍ରା । ଆସନ୍ତା ୨୪ ଘଣ୍ଟାରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମ ଓଡ଼ିଶାରେ ୪୦ ଡିଗ୍ରୀ ଛୁଇଁପାରେ ପାରଦ । ସେହିଭଳି ବାକି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ମଧ୍ୟରେ ରହିବା ସମ୍ଭାବନା ରହିଛି । ସେହିପରି କିଛି ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ବିଶେଷକରି ଆଜି କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇପାରେ ।

Also Read

ଅଧିକ ପଢ଼ନ୍ତୁ: ବାସଗୃହ କ୍ରେତାଙ୍କ ପାଇଁ ଖୁସି ଖବର; ସାବାଡ଼ ହେବେ ମୁନାଫାଖୋର ବିଲ୍ଡର...

ସେପଟେ ପାଣିପାଗରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ଥିବାରୁ ଏହାର ପ୍ରଭାବରେ ୪୮ ଘଣ୍ଟାରେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ତାଙ୍କ 'ଏକ୍ସ' ହ୍ୟାଣ୍ଡେଲରେ ଏଭଳି ସୂଚନା ଦେଇଛନ୍ତି । ତେବେ ଲଘୁଚାପ ପ୍ରଭାବରେ ବର୍ଷା ହେଲେ ,ରାଜ୍ୟବାସୀଙ୍କୁ ପ୍ରଚଣ୍ଡ ତାତିରୁ ମିଳିପାରେ ଆଶ୍ୱସ୍ତି ମିଳିବା ନେଇ ଅନୁମାନ କରାଯାଉଛି ।

ସେହପରି ଚଳିତ ବର୍ଷ ଏପ୍ରିଲରୁ ଜୁନ୍‌ ମଧ୍ୟରେ ଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ସ୍ୱାଭାବିକଠାରୁ ଅଧିକ ରହିବ ଦେଶର ଅନେକ ଅଞ୍ଚଳରେ ତାପମାତ୍ରା । ଚଳିତ ଗ୍ରୀଷ୍ମ ଋତୁ ପାଇଁ ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (IMD) । IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଗ୍ରୀଷ୍ମର ଅତ୍ୟଧିକ ପ୍ରଭାବ କେନ୍ଦ୍ରୀୟ, ପୂର୍ବ ଏବଂ ଉତ୍ତର ପଶ୍ଚିମ ଭାଗରେ ରହିବ । ଦେଶର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ବହୁ ଅଧିକ ରହିବ।

ଆଇଏମଡି ଡିଜି ଆହୁରି କହିଛନ୍ତି, ଏପ୍ରିଲରୁ ଜୁନ୍ ମଧ୍ୟରେ ସାଧାରଣତଃ ୪ରୁ ୭ ଦିନ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥାଏ। ତେବେ ଏଥର କିନ୍ତୁ ତାଠୁ ଅଧିକ ୨ କିମ୍ବା ୪ ଦିନ ରହିବ ଗ୍ରୀଷ୍ମ ପ୍ରବାହ । ବିଶେଷକରି ରାଜସ୍ଥାନ, ଗୁଜରାଟ, ହରିୟାଣା, ପଞ୍ଜାବ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ଗ୍ରୀଷ୍ମ ପ୍ରବାହର ପ୍ରକୋପ ଅଧିକ ରହିବ।

ସେହିଭଳି କର୍ଣ୍ଣାଟକ ଓ ତାମିଲନାଡ଼ୁର ଉତ୍ତର ଭାଗରେ ମଧ୍ୟ ଅଧିକ ଗରମ ଅନୁଭୂତ ହେବ । ଏଥର ମୌସୁମୀରେ ଏଲ୍ ନିନୋ ସମ୍ଭାବନା ନାହିଁ ବୋଲି ଆଇଏମଡି ଡିଜି ସ୍ପଷ୍ଟ କରିଛନ୍ତି ।

ଅଧିକ ପଢ଼ନ୍ତୁ: ରାଜ୍ୟରେ ନିର୍ମାଣ ହେବ ୭୫ହଜାର କିମି ବିଶ୍ବସ୍ତରୀୟ ରାସ୍ତା; ଗଠନ ହେବ OSHA...