/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711850334.jpg)
Weather Update
ମେଘୁଆ ପାଗ ଯୋଗୁ କମିଲା ତାତି । ଛତିଶଗଡ଼ ଉପରେ ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ଓ କାଳବୈଶାଖୀ ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ମେଘୁଆ ପାଗ ରହିଛି । ଫଳରେ ତାତିରୁ ଟିକିଏ ଆଶ୍ୱସ୍ତି ମିଳିଛି । ତେବେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବଢିଛି ତାପମାତ୍ରା ।
ଆଗାମୀ ୩ରୁ ୪ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ୩୮ରୁ ୪୦ ଡିଗ୍ରୀ ଏବଂ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ୩୬ ରୁ ୩୮ ଡିଗ୍ରୀ ତାପମାତ୍ରା ରହିବା ସମ୍ଭାବନା । ରାତି ତାପମାତ୍ରା ବି ଆଗାମୀ ୫ ଦିନ ଯାଏଁ ୨ରୁ ୩ ଡିଗ୍ରୀ ବଢ଼ିବ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଆଗାମୀ ୫ ଦିନ ପର୍ଯ୍ୟନ୍ତ ସକାଳ ୧୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆୱାର ଘୋଷଣା କରାଯାଇଛି । ଏହି ସମୟରେ ଅତି ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ଅନୁରୋଧ କରାଯାଇଛି । ବାହାରକୁ ଆସିଲେ ଛତା, ପାଣି ବୋତଲ ସାଙ୍ଗରେ ନେବାକୁ ଅନୁରୋଧ କରାଯାଇଛି । ଆଗାମୀ ପାଞ୍ଚଦିନ ପର୍ଯ୍ୟନ୍ତ ଖୋର୍ଦ୍ଧା ତଥା ଆଖପାଖ ଅଞ୍ଚଳରେ ତାପମାତ୍ରା ୪୧ ଡିଗ୍ରୀ ଡେଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଗତକାଲି ୪୦ ଟପିଥିଲା ୫ ସହରର ତାପମାତ୍ରା । ୪୧ ଡିଗ୍ରୀ ସହ ମାଲକାନଗିରି ଥିଲା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର । ସେପଟେ ବଢ଼ୁଥିବା ଖରାକୁ ଦେଖି ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୨ରୁ ଆରମ୍ଭ ହେବ ସକାଳୁଆ ସ୍କୁଲ । ଏପ୍ରିଲ ୨ରୁ ସକାଳୁଆ ସ୍କୁଲ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ଚାଲିବ । ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ଯାଏଁ ଚାଲିବ ସ୍କୁଲ । ସେହିପରି ତାତିକୁ ଦେଖି ସତର୍କ ସୂଚନା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନରେ ପାନୀୟ ଜଳ ବ୍ୟବସ୍ଥା ପାଇଁ SRC ନିର୍ଦ୍ଦେଶ ଦେଇଛନ୍ତି । କେବଳ ସକାଳ ବେଳା ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ଜିଲ୍ଲାପାଳ ମାନଙ୍କୁ ମଧ୍ୟ SRC ଚିଠି କରିଛନ୍ତି । ଖରା ଏବଂ ଆର୍ଦ୍ରତା ବଢ଼ିବାକୁ ଥିବାରୁ ପଦକ୍ଷେପ ନେବାକୁ କହିବା ସହ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ SRC ପରାମର୍ଶ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)