• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଖରାରେ ଜଳୁଛି ସାରା ଓଡ଼ିଶା । ସକାଳ ୧୦ଟାରୁ ବାହାରକୁ ବାହାରିବା ମୁସ୍କିଲ ହୋଇଗଲାଣି । ତେବେ ୨ ଦିନ ଭିତରେ ତାପମାତ୍ରା ୫ ଡିଗ୍ରୀ ଯାଏଁ ବଢ଼ିପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ବଢୁଥିବା ତାତିକୁ ଦୃଷ୍ଟିରେ ରଖି ପ୍ରଶାସନ ସଜାଗ ହୋଇଛି । ଅଂଶୁଘାତ ଓ ଡାଇରିଆ ଭଳି ଅସୁସ୍ଥତା ଉପରେ ନିୟନ୍ତ୍ରଣ ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।

ଅଂଶୁଘାତ ଜନିତ ଅସୁସ୍ଥତାର ଚିକିତ୍ସା ପାଇଁ ସମସ୍ତ ହସ୍ପିଟାଲ ପ୍ରସ୍ତୁତ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କୌଣସି ଅଘଟଣ ଏଡ଼ାଇବାକୁ ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ଶେଷ ହେଉ ହେଉ ଖରାରେ ଜଳିଲାଣି ପୂରା ରାଜ୍ୟ । ପ୍ରାୟ ସବୁ ସ୍ଥାନର ତାପମାତ୍ରା ବଢ଼ି ୩୫ ଡିଗ୍ରୀ ସେଲସିୟସରୁ ଅଧିକ ରହିଛି । ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯ ଦଶମିକ ୭ ଡିଗ୍ରୀ ସେଣ୍ଟିଗ୍ରେଡ୍ ରେକର୍ଡ କରାଯାଇଥିଲା । ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଥିଲା ।

ସେହିପରି ରାୟଗଡ଼ା ଓ ଝାରସୁଗୁଡ଼ାରେ ୩୮.୬ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ, ବଲାଙ୍ଗିର ଓ ପାରଳାଖେମୁଣ୍ଡିରେ ତାପମାତ୍ରା ଥିଲା ୩୮ ଡିଗ୍ରୀ । ଭୁବନେଶ୍ୱରରେ ଗତକାଲି ତାପମାତ୍ରା ଥିଲା ୩୫.୨ଡିଗ୍ରୀ । ଆଗାମୀ ୩ରୁ ୪ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ୩୮ରୁ ୪୦ ଡିଗ୍ରୀ ଏବଂ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ୩୬ ରୁ ୩୮ ଡିଗ୍ରୀ ତାପମାତ୍ରା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଅଧିକ ପଢ଼ନ୍ତୁ: ପ୍ରଚଣ୍ଡ ତାତି: ୫ ଦିନ ଯାଏ ନିସ୍ତାର ନାହିଁ

ରାତି ତାପମାତ୍ରା ବି ଆଗାମୀ ୫ ଦିନ ଯାଏଁ ୨ରୁ ୩ ଡିଗ୍ରୀ ବଢ଼ିବ । ଆଗାମୀ ୫ ଦିନ ପର୍ଯ୍ୟନ୍ତ ସକାଳ ୧୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆୱାର ଘୋଷଣା କରାଯାଇଛି । ଏହି ସମୟରେ ଅତି ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ଅନୁରୋଧ କରାଯାଇଛି । ବାହାରକୁ ଆସିଲେ ଛତା, ପାଣି ବୋତଲ ସାଙ୍ଗରେ ନେବାକୁ ଅନୁରୋଧ କରାଯାଇଛି ।

ସେପଟେ ବଢ଼ୁଥିବା ଖରାକୁ ଦେଖି ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୨ରୁ ଆରମ୍ଭ ହେବ ସକାଳୁଆ ସ୍କୁଲ । ଏପ୍ରିଲ ୨ରୁ ସକାଳୁଆ ସ୍କୁଲ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ଚାଲିବ । ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ଯାଏଁ ଚାଲିବ ସ୍କୁଲ ।