• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବାତ୍ୟା ପ୍ରବଣ ମେ’ ମାସରେ ପୁଣି ବାତ୍ୟା ଆଶଙ୍କା । ଆସନ୍ତା ୬ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପ୍ରଥମେ ଘୂର୍ଣ୍ଣିବଳୟ ଓ ପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କିନ୍ତୁ ବାତ୍ୟା ହେବ ନା ନାହିଁ, ସେନେଇ କୌଣସି ସ୍ପଷ୍ଟତା ନଥିଲେ ବି କିଛି ନିର୍ଦ୍ଧିଷ୍ଟ ମଡେଲ୍ ଏବଂ ବିଶେଷଜ୍ଞଙ୍କ ଆକଳନ ବାତ୍ୟା ଆଡ଼କୁ ଇଙ୍ଗିତ କରୁଛି । ଆଉ ସେଭଳି ସମ୍ଭାବ୍ୟ ସ୍ଥିତିକୁ ନେଇ ରାଜ୍ୟ ସରକାର ବି ଆରମ୍ଭ କରିଦେଇଛନ୍ତି ପ୍ରାକ୍ ପ୍ରସ୍ତୁତି ।

ସେହି ବାତ୍ୟାପ୍ରବଣ ମେ’ ମାସ.... ପୁଣି ସେହି ଖରାଦିନିଆ ବାତ୍ୟା ଆଶଙ୍କା.... ଆସନ୍ତା ୧୧ କିମ୍ବା ୧୨ ତାରିଖରେ ହେବ କି ବାତ୍ୟା ? ଘନୀଭୂତ ହୋଇ ଅତିକ୍ରମ କରିବ କି ସ୍ଥଳଭାଗ ? ପାଣିପାଗ ବିଭାଗର ଆକଳନ କହୁଛି, ଚଳିତ ମାସ ୬ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଘୁର୍ଣ୍ଣିବଳୟ । ଆଉ ଘୂର୍ଣ୍ଣିବଳୟର ୪୮ ଘଣ୍ଟା ମଧ୍ୟରେ ଅର୍ଥାତ୍ ମେ ୮ ବେଳକୁ ଘନୀଭୂତ ହୋଇ ଲଘୁଚାପର ରୂପ ନେଇପାରେ । ଏହି ସମୟରେ ଯଦି ପାଗ ଅନୁକୂଳ ରୁହେ, ହୁଏତ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । କିନ୍ତୁ, ବର୍ତ୍ତମାନ ସ୍ଥିତିରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସେଭଳି କୌଣସି ଆକଳନ କିମ୍ବା ଆଶଙ୍କା କରାଯାଇନି ।

ତେବେ ପାଣିପାଗ ବିଶେଷଜ୍ଞ କହିବା କଥା, ପ୍ରାକ୍ ମୌସୁମୀ ୠତୁରେ ବାତ୍ୟା ପାଇଁ ସାଧାରଣତଃ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥାଏ । ପ୍ରଭାବରେ ପୂର୍ବବର୍ଷ ଗୁଡ଼ିକରେ ଖରାଦିନିଆ ବାତ୍ୟା ଦେଖିଛନ୍ତି ଓଡ଼ିଶାବାସୀ । ୧୯୮୨ ମସିହା ଜୁନ୍ ମାସର ବାତ୍ୟା ପରେ ପରେ ୨୦୧୯ ମେ’ ୩ରେ ଫନି, ୨୦୨୦ରେ ଅମ୍ଫାନ୍ ଏବଂ ୨୦୨୧ରେ ସେହି ଖରାଦିନିଆ ବାତ୍ୟା ୟଶ୍ ନିଦ ହଜାଇ ଦେଇଥିଲା ଉପକୂଳବାସୀଙ୍କର । ଆଉ ଏବେ ଅର୍ଥାତ ଆସନ୍ତା ୬ ତାରିଖ ବେଳକୁ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଓ ପରେ ଏହା ଲଘୁଚାପର ରୂପ ନେବା ପରେ ପୂର୍ବବର୍ଷ ଗୁଡ଼ିକ ଭଳି ଏଥର ବି ପୁଣି ଥରେ ବାତ୍ୟା ଆସିବ ନାହିଁ ତ ? ବିଦେଶୀ ପାଣିପାଗ ସଂସ୍ଥା ୱିଣ୍ଡି ଡଟ୍ କମର ପୂର୍ବାନୁମାନ ବି ବାତ୍ୟା ଆଡ଼କୁ ଇଙ୍ଗିତ କରୁଛି । ତେବେ ଶୁଣନ୍ତୁ ପାଣିପାଗ ବିଶେଷଜ୍ଞଙ୍କ ମତ ।

ସେପଟେ ବାତ୍ୟା ପ୍ରବଣ ମେ’ ମାସକୁ ଦେଖି ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଆଜି ଗ୍ରୀଷ୍ମକାଳୀନ ବାତ୍ୟା ସଂପର୍କିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ୧୧ଟି ବିଭାଗ ଓ ସବୁ ଜିଲ୍ଲାପାଳଙ୍କୁ ତୟାର ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କହିଛନ୍ତି SRC ସତ୍ୟବ୍ରତ ସାହୁ । ଖରାଦିନରେ ଯେଉଁ ବାତ୍ୟା ଆସେ ତାର ଗତି ଓ ଆକଳନ ଜଟିଳ ହୋଇଥାଏ । ପୂର୍ବରୁ ମେ’ରେ ବାତ୍ୟାର ନଜିର ଥିବାରୁ ଏଥର ବି ଆମେ ପ୍ରସ୍ତୁତି କରିଛୁ ବୋଲି କହିଛନ୍ତି SRC । ଏଥିପାଇଁ ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌କୁ ପ୍ରସ୍ତୁତ ରଖାଯିବା ସହ ପର୍ଯ୍ୟାପ୍ତ ପରିମାଣରେ NDRF ଓ ଓଡ୍ରାଫକୁ ସଜାଗ ରଖାଯାଇଥିବା କହିଛନ୍ତି SRC ।

  • Reported by:
  • SIBANANDA ROUT , HARIHARA CHAND , ARACHANA SATPATHY