• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦକ୍ଷିଣ ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଏଠାରେ ସକ୍ରିୟ ଥିବା ଘୁର୍ଣ୍ଣିବଳୟ ଆସନ୍ତାକାଲି ନେଇପାରେ ଲଘୁଚାପର ରୂପ । ଏହାପରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଅବପାତ ସୃଷ୍ଟି ହେବା ପରେ ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ତୀବ୍ରତା ସଂପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି IMD ସୂଚନା ଦେଇଛି । ତେବେ ବର୍ତ୍ତମାନ ପାଇଁ ଏହାର କୌଣସି ପ୍ରଭାବ ଓଡ଼ିଶା ଉପରେ ନାହିଁ ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସ୍ପଷ୍ଟ କରିଛନ୍ତି ।

ସେପଟେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଜୋରସୋର୍ ପ୍ରସ୍ତୁତିରେ ଲାଗିଛନ୍ତି ରାଜ୍ୟ ସରକାର । ୧୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବା ଲାଗି ଏଆର୍‌ସି ଚିଠି ଲେଖିବାପରେ ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହ ଆଲୋଚାନ କରିଛନ୍ତି । ଗଂଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ସବୁ ଜିଲ୍ଲାପାଳମାନଙ୍କୁ ସମ୍ଭାବ୍ୟ ବାତ୍ୟା ନେଇ ଆକ୍ସନ ପ୍ଳାନ୍ ପ୍ରସ୍ତୁତ କରିବାକୁ କୁହଯାଇଛି । ଜିଲ୍ଲା ଜରୁରୀକାଳୀନ ଅପରେସେନ୍ ସେଣ୍ଟର, କଣ୍ଟ୍ରୋଲ୍ ରୁମ୍, ବାତ୍ୟା ଆଶ୍ରୟସ୍ଥଳୀ ଆଦି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଫୋକସ୍‌ରେ ରହିଛି ଉଦ୍ଧାର ଓ ରଲିଫ୍ ପରିଚଳାନା ।

 

ଅନ୍ୟପକ୍ଷେ ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ଖାଦ୍ୟ ଯୋଗାଣ ବିଭାଗ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛି । ବିଭାଗୀୟ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଯଥେଷ୍ଟ ଖାଦ୍ୟ ସାମଗ୍ରୀ ମହଜୁଦ୍ ରହିଛି । ଛାନିଆ ହୋଇ ଅଧିକ ଜିନିଷ କିଣାକିଣି ନକରିବାକୁ ସେ ଜନସଧାରଣଙ୍କୁ ଅନୁରୋଧ କରିଛନ୍ତି । ସେହିପରି ବାତ୍ୟାକୁ ଲକ୍ଷ୍ୟ କରି ଅସାଧୁ ବ୍ୟବସାୟୀ ହୋଡିଂ କରିବା ଆଶଙ୍କା ଥିବାରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି ।

ସମ୍ଭାବ୍ୟ ବାତ୍ୟା ନେଇ ବିଭିନ୍ନ ମଡେଲ୍ ଭିନ୍ନ ଭିନ୍ନ ସଙ୍କେତ ଦେଉଛନ୍ତି । ତେବେ ବାତ୍ୟା ଆସିବ କି ନାହିଁ, ଆସିଲେ କେଉଁ ଜିଲ୍ଲା ଅଧିକ ପ୍ରଭାବିତ ହେବ । ତାହା ଲଘୁଚାପ ସୃଷ୍ଟି ହେବା ପରେ ହିଁ ସ୍ପଷ୍ଟ ହେବ ।