• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆସିବ ନା ନାହିଁ, ଯଦି ଆସିବ କେବେ ଆସିବ, ଆସିଲେ କୁଆଡ଼େ ଯିବ, କେଉଁଠି ମାଡ଼ ହେବ, କେତେ ଜୋରରେ ମାଡ଼ ହେବ ? ସମ୍ଭାବ୍ୟ ବାତ୍ୟାକୁ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ବିଭିନ୍ନ ପାଣିପାଗ ପୂର୍ବାନୁମାନ ମଡେଲ୍ । ତେବେ ଏସବୁ ପ୍ରଶ୍ନର ସଠିକ୍ ଉତ୍ତର ପାଇଁ ଆହୁରି ୨ ଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି, ମେ ୬ରେ ସବୁ ସ୍ପଷ୍ଟ ହେବ ।

ଓଟିଭିକୁ IMD ଡିଜି ଦେଇଥିବା ସୂଚନା ଅନୁସାରେ, ଆକଳନ ମୁତାବକ ଆଣ୍ଡାମାନ ସାଗରରେ ଆଜି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୬ ତାରିଖ ସୁଦ୍ଧା ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ ଏବଂ ୨ ଦିନ ପାଇଁ ଉତ୍ତର ପଶ୍ଚିମକୁ ଗତିକରି ଅବପାତର ରୂପ ନେବ । ୬ ତାରିଖରେ ଲଘୁଚାପ କ୍ଷେତ୍ର ହେଲା ପରେ ହିଁ ବାତ୍ୟା ହେବ କି ନାହିଁ, ଏହାର ତୀବ୍ରତା ଏବଂ ଲ୍ୟାଣ୍ଡଫଲ ସ୍ଥାନ ନେଇ ସଠିକ ଆକଳନ କରିହେବ । ତେବେ ପ୍ରାକ୍ ମୌସୁମୀ ପରିବେଶ ବାତ୍ୟା ପାଇଁ ଅନୁକୂଳ ରହିଛି ବୋଲି ସେ କହିଛନ୍ତି ।

 

ଯଦି ବି ବାତ୍ୟା ଆସେ ଏହା ଓଡ଼ିଶା ଆଡ଼େ ମୁହାଁଇବ ନା ଅନ୍ୟ କେଉଁ ରାଜ୍ୟରେ ଲ୍ୟାଣ୍ଡଫଲ କରିବ ତାହା ଏଯାଏଁ ସ୍ପଷ୍ଟ ହୋଇନି । ତେବେ ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ଏବଂ ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି ।

ପ୍ରତିଥର ବାତ୍ୟା କଥା ଶୁଣୁଶୁଣୁ, ଲୋକମାନେ ଆବଶ୍ୟକତାଠୁ ଅଧିକ ଜରୁରୀ ସାମଗ୍ରୀ କିଣି ଘରେ ଠୁଳ କରନ୍ତି ଏବଂ କୃତ୍ରିମ ଅଭାବ ସ୍ଥିତି ସୃଷ୍ଟି ହୋଇ ବଜାରରେ ଦର ବି ବଢ଼ିଯାଏ । ହେଲେ ଏଭଳି ନକରିବା ପାଇଁ ଟୁଇଟ୍ ଯୋଗେ ଲୋକଙ୍କୁ ଅପିଲ୍ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କଳାବଜାରୀ ଓ ଅସାଧୁ ବ୍ୟବସାୟୀଙ୍କ ଉପରେ ବିଭାଗ ତୀକ୍ଷ୍ଣ ନଜର ରଖିଥିବା ସେ ସୂଚନା ଦେଇଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now