• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାମୁଦ୍ରିକ ଝଡ଼ ଅସାନୀ ଓଡ଼ିଶାର ସ୍ଥଳଭାଗକୁ ଛୁଇଁବା ସମ୍ଭାବନା ନଥିଲେ ବି ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ଆଜିଠୁ ଆସନ୍ତା ୩ ଦିନ ଧରି ୭ ଉପକୂଳ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ସେହିଭଳି କିଛି ଜିଲ୍ଲାରେ ଘଣ୍ଟା ପ୍ରତି ପ୍ରାୟ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ଥିବାରୁ ଏହାକୁ ନେଇ ଉପକୂଳ ଜିଲ୍ଲାରେ ବଢ଼ିଛି ସତର୍କତା । ଏବେ ପୁରୀଠୁ ପ୍ରାୟ ୬୦୦ କିଲୋମିଟର ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଥିବା ଭୀଷଣ ବାତ୍ୟା ଅସାନୀ କ୍ରମଶଃ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ବାତ୍ୟା ଅସାନୀର ଆଗମନ ପୂର୍ବରୁ ଓଡ଼ିଶା ଆକାଶରେ ପ୍ରାକ୍ ପ୍ରଭାବ । କେଉଁଠି ଆକାଶରେ ଘନକଳା ବାଦଲ ଖଣ୍ଡ ତ ଆଉ କେଉଁଠି ବର୍ଷା । ପୁରୀଠୁ ପ୍ରାୟ ୬୦୦ କିଲୋମିଟର ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଥିବା ଅସାନୀ ଘଣ୍ଟା ପ୍ରତି ପ୍ରାୟ ୧୬ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ପାଣିପାଗ ବିଭାଗର ସର୍ବଶେଷ ସୂଚନା ଅନୁସାରେ ଅସାନୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ କ୍ରମଶଃ ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବତ୍ୟାର ରୂପ ନେବା ସମ୍ଭାବନା ରହିଛି । ତେବେ ଏହାର ପ୍ରଭାବରେ ଆସନ୍ତା ୩ ଦିନ ଧରି ଉପୂକଳ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ନେଇ ଚେତବାନୀ ଦେଇଛି ପାଣିପାଗ ବିଭାଗ ।

ଆସନ୍ତାକାଲି ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ସେହିଭଳି ୧୧ରେ ପୁରୀ, ଗଞ୍ଜାମ ସହ ଖୋର୍ଦ୍ଧା, କଟକ ଓ ଜଗତସିଂହପୁର ଜିଲ୍ଲାକୁ ରହିଛି ବର୍ଷା ଆଲର୍ଟ । ୧୨ରେ ପୁରୀ ଓ ଜଗତସିଂହପୁର ସମେତ କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ଜିଲ୍ଲାରେ ସ୍ଥାନେ ସ୍ଥାନେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ପରେ ୧୨ରେ ପାରାଦୀପଠୁ ୧୨୦ କିଲୋମିଟର ଦୂରରେ ଅସାନୀ ଗଭୀର ଅବପାତର ରୂପ ନେଇ ଅଧିକ ଦୁର୍ବଳ ହେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

ବାତ୍ୟା ଅସାନୀ ଓଡ଼ିଶାର ସ୍ଥଳଭାଗ ଛୁଇଁବ ନାହିଁ ବୋଲି ବହୁ ପୂର୍ବରୁ ପାଣିପାଗ ବିଭାଗ ଆକଳନ କରିଥିଲେ ବି ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମୁକାବିଲା ପ୍ରସ୍ତୁତି ସହ ସତର୍କ ରହିଛି ଜିଲ୍ଲା ପ୍ରଶାସନ । ଅସାନୀ ମୁକାବିଲା ଲାଗି ପୁରୀରେ ପହଞ୍ଚିଥିବା ଓଡ୍ରାଫର ତିନିଟି ଟିମକୁ ପୁରୀ, ଅସ୍ତରଙ୍ଗ ଓ ଗୋପ୍‌ରେ ମୁତୟନ କରାଯାଇଛି । ସେହିଭଳି କୃଷ୍ଣପ୍ରସାଦ ବ୍ଲକରେ ଏକ ୨୮ ଜଣିଆ ଓଡ୍ରାଫ୍ ଦଳ ପହଞ୍ଚି ନିଜକୁ ସଜାଗ ରଖିଛି । ଏପଟେ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ସତର୍କ କରାଇବା ଆରମ୍ଭ କରିଛନ୍ତି ଲାଇଫ୍‌ଗାର୍ଡ । ସେହିଭଳି ଆସନ୍ତା ୩ ଦିନ ଲାଗି ସମୁଦ୍ର ଭିତରକୁ କୌଣସି ମତ୍ସ୍ୟଜୀବୀଙ୍କୁ ପ୍ରବେଶ କରିବାକୁ ସତର୍କତା ଜାରି କରାଯାଇଛି ।

ବାତ୍ୟା ଅସାନୀ ଓଡ଼ିଶାର ସ୍ଥଳଭାଗ ଆସିବାର ଅଶଙ୍କା ନଥିବାରୁ ଆଶ୍ୱସ୍ତ ହୋଇଛନ୍ତି ଉପକୂଳ ଓଡ଼ିଶାବାସୀ । ହେଲେ ଏହା ପ୍ରଭାବରେ ଲଗାଣ ବର୍ଷା ପୁଣି ରବି, ଖରାଦିନିଆ ଧାନ ଓ ପନିପରିବା ଫସଲ ପ୍ରତି ଆଉ ଏକ ବିପଦ ଆଣୁଥିବାରୁ ଆଶା ଆଶଙ୍କାରେ ଅଛନ୍ତି ଉପକୂଳିଆ ଚାଷୀ ।