• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଉ ମାତ୍ର ୨ରୁ ୩ ଦିନ ମଧ୍ୟରେ ଓଡ଼ିଶା ଛୁଇଁପାରେ ମୌସୁମୀ । ମୌସୁମୀ ଛୁଇଁବା ପାଇଁ ପାଗ ଅନୁକୂଳ ଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୧ରୁ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ ଏବଂ ୨୨ରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ । ପାଣିପାଗ ବିଭାଗର ଏହିସବୁ ପୂର୍ବାନୁମାନ ତାତିରେ ଭାଜି ହେଉଥିବା ରାଜ୍ୟ ବାସୀଙ୍କ ଲାଗି ଆଶ୍ୱସ୍ତି ଆଣିଛି ।

ତାତିରେ ଲାଗିବ ବ୍ରେକ୍ । କାଲିଠୁ ବଦଳିବ ପାଗର ମିଜାଜ୍ । ହିଟ୍ ୱେଭରୁ ମିଳିବ ଆଶ୍ୱସ୍ତି । ଆଉ ୨ରୁ ୩ ଦିନ ଭିତରେ ଓଡିଶାକୁ ମୌସୁମୀ ଛୁଇଁପାରେ ବୋଲି ପାଣିପାଗ ବିଭାଗ ଆକଳନ କରିବା ପରେ, ଆଶ୍ୱସ୍ତ ହୋଇଛନ୍ତି ଖରା ଓ ଗୁଳୁଗୁଳିରେ ସନ୍ତୁଳି ହେଉଥିବା ସାଧାରଣ ଜନଜୀବନ । ଖାସ୍ କରି ଚାଷୀଙ୍କ ମଧ୍ୟରେ ଖୁସିର ଲହରି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆସନ୍ତାକାଲିଠୁ ପାଗ ବଦଳିବା ସହିତ ୩ରୁ ୫ ଡିଗ୍ରୀ ଯାଏଁ ତାପମାତ୍ରା ଖସିପାରେ ।

୨୧ରୁ ଆରମ୍ଭ ହୋଇପାରେ ପ୍ରାକ୍ ମୌସୁମୀ ବର୍ଷା । ୨୧ ତାରିଖରେ ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨୨ ପରଠୁ ବର୍ଷା ପରିମାଣ ବୃଦ୍ଧି ପାଇବ । ୨୨ରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣେ ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶର କିଛି ଅଞ୍ଚଳକୁ ମୌସୁମୀ ପ୍ରବେଶ କରିସାରିଛି ଏବଂ ଓଡିଶାରେ ଏଥିପାଇଁ ପାଗ ଅନୂକୂଳ ହେଉଛି ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି । ଆକଳନ କହୁଛି ୨୦୦୦ ମସିହା ପରଠାରୁ ରାଜ୍ୟରେ ମୌସୁମୀ ବର୍ଷା ସ୍ୱାବାଭିକ ରହିଛି, ତେଣୁ ଚଳିତ ବର୍ଷ ମଧ୍ୟ ମୌସୁମୀ ବର୍ଷା ସ୍ୱାଭାବିକ ରହିପାରେ ।

ଉପକୂଳ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାରେ ଆଜିଠୁ ତାପମାତ୍ରା କମିଥିଲେ ମଧ୍ୟ ପଶ୍ଚିମ ଓଡ଼ିଶାରେ ସ୍ଥିତି ସେତେଟା ସୁଧୁରିନି । କିଛି ଦିନ ଧରି ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହେଉଥିବା ସମ୍ବଲପୁର ସହରରେ ଆଜି ତାତି ଟିକେ କମିଥିଲେ ବି ଗୁଳିଗୁଳି ଅସ୍ତବ୍ୟସ୍ତ କରିଛି । ବଲାଙ୍ଗିରରେ ବି ସାମାନ୍ୟ ମେଘୁଆ ପାଗ ଥିଲେ ବି, କଲବଲ କରିଛି ଗୁଳୁଗୁଳି ।

ଆସନ୍ତା ୨୪ ଘଣ୍ଟା ପାଇଁ ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ବରଗଡ଼, ସୋନପୁର, ଦେବଗଡ଼ ପାଇଁ ହିଟୱେଭ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ପଶ୍ଚିମ ଓଡ଼ିଶାରେ ୨୦ ତାରିଖରେ ପାଗରେ ପରିବର୍ତ୍ତନ ଆସିପାରେ ବୋଲି ପୂର୍ବାନୁମାନ କରାଯାଇଛି ।ସେପଟେ ରଥଯାତ୍ରାରେ ବର୍ଷାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆକାଶ ସାଧାରଣତଃ ମେଘୁଆ ରହିବ ଆଉ ଗୁଳୁଗୁଳି ମଧ୍ୟ କମ ରହିବ ।

 

  • Reported by:
  • SANJAY JENA , SOUMYA RANJAN SAHOO , Ghateswar Mishra