• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେବା ସମ୍ଭାବନା ରହିଛି । ଆଉ କେଇ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବା ସମ୍ଭାବନା ରହିଛି । ତେବେ ଲଘୁଚାପ୍‌ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ଆଜିଠୁ ଆସନ୍ତାକାଲି ସକାଳ ଯାଏଁ ୧୦ଟି ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡ଼ିକ ହେଲା ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ସୋନପୁର, ବୌଦ୍ଧ, ବରଗଡ଼, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା ଓ ଦେବଗଡ଼ ।

ତେବେ ଏହିସବୁ ଜିଲ୍ଲାରେ ୭ରୁ ୨୦ ସେଣ୍ଟିମିଟର ଯାଏ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପୂର୍ବାନୁମାନ କରିଛି । ପ୍ରଭାବରେ କେତେକ ସ୍ଥାନରେ ଭୂସ୍ଖଳନ ହୋଇପାରେ ବୋଲି କୁହାଯାଇଛି । ତାସହିତ ନଦୀଗୁଡ଼ିକରେ ଜଳ ପତ୍ତନ ବୃଦ୍ଧି ପାଇପାରେ । ସେହିପରି ପ୍ରବଳରୁ ପ୍ରବଳ ବର୍ଷା ହେବାକୁ ଥିବାରୁ ୧୧ଟି ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଦିଆଯାଇଛି ।

ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କଟକ, ନୟାଗଡ଼, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ପ୍ରବଳ ବର୍ଷା ହେବା ଆଶଙ୍କା କରି ୯ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଏଗୁଡ଼ିକ ହେଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଜପତି ଓ ଗଞ୍ଜାମ ଜିଲ୍ଲା ।

ସେପଟେ ହୀରାକୁଦରୁ ବନ୍ୟା ପାଣି ଛଡ଼ାଯିବା ପରେ ତଳ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି । ପାଣି ବଢୁଥିବାରୁ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଛନ୍ତି । ସହରର ଗୁଲାପଡ଼ାରେ ବଢ଼ି ପାଣି ପଶି ଆସିଛି । ହେକ୍ଟର ହେକ୍ଟର ଚାଷ ଜମି ବୁଡ଼ି ଯାଇଛି । ତଳିଆ ଅଞ୍ଚଳରେ ଥିବା ଲୋକମାନେ ସୁରକ୍ଷିତ ସ୍ଥାନକୁ ପଳାଇଛନ୍ତି । ଗୁଲାପଡ଼ାରୁ ବିନିକା ଟାଉନକୁ ସଂଯୋଗ କରୁଥିବା ରାସ୍ତା ବୁଡ଼ି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସେହିପରି ଝରାପଡ଼ା, କୋଲପଡ଼ା ଓ ସେଲେରୀ ପଞ୍ଚାୟତ ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now