• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଅସହ୍ୟ ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି । ଆଜିଠୁ ତିନି ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏପରିକି ଆଜି ୫ ଜିଲ୍ଲାରେ ଝଡବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।

ଏହି ଜିଲ୍ଲା ଗୁଡିକ ହେଲା ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର ଏବଂ କଟକ । ବିଶେଷ କରି ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ବି ରହିଛି । ଗତକାଲି ରାଜ୍ୟର ୪ ସହରରେ ତାପମାତ୍ରା ୪୩ ଡିଗ୍ରୀ ଟପିଥିବା ବେଳେ ୮ ସହରରେ ୪୨ ଛୁଇଁଥିଲା ପାରଦ ।

୪୩.୫ ଡିଗ୍ରୀ ସହ ଅନୁଗୁଳ ଦେଶର ପଞ୍ଚମ ଉତ୍ତପ୍ତ ସହର ପାଲଟିଥିଲା । ଅନ୍ୟପଟେ ଗତକାଲି ଗୋଟିଏ ଦିନରେ ୮ଜଣ ଅଂଶୁଘାତର ଶିକାର ହୋଇଛନ୍ତି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଖରାରେ କ୍ରିକେଟ୍, ହକି ଓ ଫୁଟବଲ ଭଳି ଖେଳ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଏପଟେ ପାଣିପାଗ ବିଭାଗ ଆକଳନ କରିଛି, କାଳବୈଶାଖୀ ବର୍ଷା ଯୋଗୁ ଆଗାମୀ ଦୁଇ ଦିନ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ ।

ତଣ୍ଟି ଶୁଖିଯାଉଛି । ଅଟକି ଯାଉଛି ଗତି। ପ୍ରଚଣ୍ଡ ରୌଦ୍ର୍ୟ ତାପରୁ ଶରୀରକୁ ଟିକେ ଥଣ୍ଡା କରିବାକୁ କିଏ ତରଭୁଜ ଖାଇଲାଣି ତ’ ଆଉ କିଏ ଲସି ନହେଲେ ଆଖୁରସ ପିଇଲାଣି । ରାଜଧାନୀ ଭୁବନେଶ୍ୱର ହେଉ କି ସମ୍ବଲପୁର, ଅଥବା ଉପାନ୍ତ ମାଲକାନଗିରି । ଖରାରୁ ମୁକ୍ତି ପାଇଁ ଏସବୁ ଦୋକାନରେ ଜମୁଛି ଲୋକଙ୍କ ଭିଡ଼ ।

ଅଂଶୁଘାତ ରୋକିବା ଲାଗି ଶ୍ରମିକଙ୍କ କାର୍ଯ୍ୟ ସମୟ ସଙ୍କୁଚିତ କରାଯାଇଥିବା ବେଳେ ଆଜି ଆଉଟ୍ ଡୋର୍ ଖେଳ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଦିନ ସମୟରେ କ୍ରିକେଟ୍, ହକି, ଫୁଟବଲ ଆଦି ଖେଳ ଯେପରି ନହୁଏ, ତା’ ଉପରେ ନଜର ରଖିବାକୁ କ୍ରୀଡ଼ା ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି SRC ।

ଦିନ ୧୧ଟାରୁ ଅପରାହ୍ଣ ୩ଟା ଯାଏଁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ତେବେ ଆଗାମୀ ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଖରାରୁ ଆଶ୍ୱସ୍ତି ମିଳିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି, ରବିବାର ଓ ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀଜନିତ ବର୍ଷା ସମ୍ଭାବନା ରହିଛି ।