Advertisment

ବୁଡିଲା ରାସ୍ତାଘାଟ, ଭାସିଗଲା ଚାଷବାସ; ପ୍ରବଳ ବର୍ଷାକୁ ଦେଖି ୨୩ ଜିଲ୍ଲାକୁ ଆଲର୍ଟ...

ବରଗଡ଼ରୁ ବୌଦ୍ଦ...ଆଠଗଡ଼ରୁ ସୋନପୁର। ଉବୁଟୁବୁ ଅବସ୍ଥା, ଜଳବନ୍ଦୀ ଜୀବନ। ନଦୀ ନାଳ, ବିଲବାଡ଼ି, କ୍ଷେତ ଖମା...ଯୁଆଡ଼େ ଚାହିଁବେ ଲହଡ଼ି ଭାଙ୍ଗୁଛି ବର୍ଷାଜଳ।

author-image
Sujit kumar Swain
undefined

Waterlogging Situation

ରାଜ୍ୟରେ ବେହାଲ୍ କରିଛି ଲଗାଣ ବର୍ଷା । କେଉଁଠି ରାସ୍ତାଘାଟ ବୁଡ଼ିଗଲାଣି ତ କେଉଁଠି ଭାସିଗଲାଣି ଚାଷବାସ। ଏସବୁ ଭିତରେ ଗତ ଦେଢ଼ ମାସ ଭିତରେ ପଛକୁ ପଛ ପାଞ୍ଚ ପାଞ୍ଚଟି ଲଘୁଚାପ ପରେ କାଲି ଦାନା ବାନ୍ଧୁଛି ଆଉ ଗୋଟିଏ। ଏହାର ପ୍ରଭାବରେ ପ୍ରବଳ ବର୍ଷାର ସମ୍ଭାବନାକୁ ଦେଖି ୭ ଜିଲ୍ଲାକୁ ଅରେଞ୍ଜ୍ ଓ ୧୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

Advertisment

ବରଗଡ଼ରୁ ବୌଦ୍ଦ...ଆଠଗଡ଼ରୁ ସୋନପୁର। ଉବୁଟୁବୁ ଅବସ୍ଥା, ଜଳବନ୍ଦୀ ଜୀବନ। ନଦୀ ନାଳ, ବିଲବାଡ଼ି, କ୍ଷେତ ଖମା...ଯୁଆଡ଼େ ଚାହିଁବେ ଲହଡ଼ି ଭାଙ୍ଗୁଛି ବର୍ଷାଜଳ। ବୌଦ୍ଧ ସହରର ଏମିତି କୌଣସି ସରକାରୀ ପ୍ରତିଷ୍ଠାନ ନାହିଁ, ଯାହାକୁ ଘେରିରହିନି ପାଣି। କଣ୍ଟାମାଳ ଘଣ୍ଟାପଡା ପଞ୍ଚାୟତ ଅଞ୍ଚଳର ସମଲେଶ୍ବରୀ ନାଳରେ ୧୦ ଫୁଟ୍ ଉଚ୍ଚର ପାଣି ଛୁଟୁଥିଲା। ଫଳରେ ବିଚ୍ଛିନ୍ନ ହୋଇଯାଇଥିଲା ୩୦ ଖଣ୍ଡ ଗାଁ। ଲଗାଣ ବର୍ଷାରେ ଭାଙ୍ଗିଛି କେନ୍ଦ୍ରୀୟ ବିଦ୍ୟାଳୟର ୨୫ ଫୁଟର ପାଚେରୀ। ବରଗଡ଼ କଳାପାଣି ପଞ୍ଚାୟତର। ପୋଲ ଉପରେ ୫ ଫୁଟ ଉଚ୍ଚର ପାଣି। ଫଳରେ ତାଲସିଗଡ଼ା, କୁରୁଆଁ ଓ ଅଡଗାଁ ପଞ୍ଚାୟତକୁ ପ୍ରଭାବିତ ହୋଇଛି ଗମନାଗମନ। ଏକର ଏକର ଚାଷ ଜମି ବୁଡ଼ିଯାଇଛି। ବରଗଡ଼ ରେଲୱେ ଷ୍ଟେସନ ପାଖ ଅଣ୍ଡର ପାସରେ ଜମା ହୋଇଛି ଆଣ୍ଠୁଏ ଉଚ୍ଚର ପାଣି। ଆଉ ବରଗଡ଼ ସହର ଭିତର ଅବସ୍ଥା ତ ନକହିବା ଭଲ। 

ଏପଟେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର-ଆମରପାଲି ରାସ୍ତାର ଘୁଙ୍ଗି ନାଳ ଉପରେ ଛୁଟୁଛି ୫ ଫୁଟ ଉଚ୍ଚର ବନ୍ୟାପାଣି। ଫଳରେ ବୀରମହାରାଜପୁରରୁ ଅନେକ ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଏପରିକି ସ୍ବାଭାବିକ ହୋଇପାରୁନି ସମ୍ବଲପୁର ଓ ରେଢ଼ାଖୋଲ ମଧ୍ୟରେ ଗମନାଗମନ। ଜଗତସିଂହପୁର ପୌର ପରିଷଦରେ ବର୍ଷା ଜଳ ନିଷ୍କାସନରେ ସମସ୍ୟା ଯୋଗୁ ତ ଜଳବନ୍ଦୀ ଜୀବନ ଜିଉଁଛନ୍ତି ୬ ନମ୍ବର ୱାର୍ଡ ବାସିନ୍ଦା। ସେହିପରି ଆଠଗଡ଼ ସହର ଭିତରେ ମୁଖ୍ୟ ଡ୍ରେନ ସଫା ନହେବା ଏବଂ ଡ୍ରେନ୍ ଅବରୋଧ ଯୋଗୁ ପାଣି ପଶି କେଉଁଠି ପାଚେରୀ ଭାଙ୍ଗିଛି ତ କେଉଁଠି ଘର ଭିତରେ ଲହଡି ଭାଙ୍ଗୁଛି। ୫ ନମ୍ବର ଓ୍ବାର୍ଡରେ ଥିବା ଚାନ୍ଦବାଲି ଛକ ମୁଖ୍ୟରାସ୍ତାରେ ଦେଖିବାକୁ ମିଳିଛି ଭୟଙ୍କର ଅବସ୍ଥା। 

Advertisment

ଗତକାଲିର ପ୍ରବଳ ବର୍ଷା ପରେ କଟକ ବାଙ୍କୀ ଅଞ୍ଚଳରେ ଶହ ଶହ ହେକ୍ଟର ଖରିଫ୍ ଧାନ ଫସଲ ଜମିରେ ୪ ଫୁଟର ପାଣି ପ୍ରବାହିତ ହେଉଛି। ଫଳରେ ଅନେକ ଜମିରେ ମାଡ଼ିଯାଇଛି ବାଲି ଚର। 

ଏସବୁ ଭିତରେ ୨୮ ଜୁନରୁ ଅଗଷ୍ଟ ୨ ମଧ୍ୟରେ ପାଞ୍ଚ ପାଞ୍ଚଟି ଲଘୁଚାପ ପରେ କାଲି ପୁଣି ଏକ ଲଘୁଚାପ ଦାନା ବାନ୍ଧୁଛି। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ କାଲି ସକାଳ ଯାଏଁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୧୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଲଘୁଚାପର ପ୍ରଭାବ ଆସନ୍ତା ୧୧ ଯାଏଁ ରହିବ। ଉପରମୁଣ୍ଡରେ ଅଧିକ ବର୍ଷା ସମ୍ଭାବନା ଥିବାରୁ ମହାନଦୀ ଫୁଲିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। 

Weather Update Heavy Rainfall Rainfall Alert Waterlogging
Advertisment
Advertisment