• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବିସ୍ତୃତ ବର୍ଷା ହୋଇଛି । ଗତକାଲିଠାରୁ ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ତେବେ ଢେଙ୍କାନାଳରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ଢେଙ୍କାନାଳରେ ୪୯.୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ବୌଦ୍ଧରେ ୪୭.୮ ମିମି ବର୍ଷା ରେକର୍ଡ ହୋଇଛି ।

ସେହିପରି ନୂଆପଡ଼ାରେ ୪୩.୬, କନ୍ଧମାଳରେ ୪୨.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି । ତେବେ ସାରା ରାଜ୍ୟରେ ଦେଖିବାକୁ ଗଲେ ୨୪ ଘଣ୍ଟାରେ ୨୫.୨ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୩୮୯୬% ଅଧିକ । ସେପଟେ ରାୟଗଡ଼ା ଜିଲ୍ଲାରେ ଲଗାଣ ବର୍ଷା ଦେଖିବାକ ମିଳିଛି ।

ଆଜି ସକାଳୁ ଜିଲ୍ଲାରେ ଏତେ ବର୍ଷା କି ଘରୁ ବାହାରି ହେଉନି । ୩୨୬ ନମ୍ବର ଜାତୀୟ ରାଜପଥ କୁମ୍ଭିକୋଟାଠାରେ ଗଛ ପଡ଼ି ରାସ୍ତା ଅବରୋଧ । ଫଳରେ ଗାଡ଼ି ଚଳାଚଳରେ ବ୍ୟାପକ ଅସୁବିଧାର ସମ୍ମୁଖୀନ ହୋଇଛି । ବହୁ ସମୟ ଧରି ଅନେକ ଗାଡ଼ି ରାସ୍ତାରେ ଅଟକି ରହିଛି । ବିଭିନ୍ନ ସ୍ଥାନରେ ପାଣି ଜମିଥିବାରୁ ଯା’ଆସରେ ବି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

ପୁଣି ଅଦିନିଆ ବର୍ଷା ଭାଙ୍ଗି ଦେଇଛି ଚିନାବାଦାମ ଚାଷୀଙ୍କ ମେରୁଦଣ୍ଡ । ପୁରୀ କୃଷ୍ଣପ୍ରସାଦ ବ୍ଲକର ଚାଷୀଙ୍କ ଏବେ ସବୁଠୁ ବଡ଼ ସମସ୍ୟା ସାଜିଛି ବର୍ଷା । କିଛିଦିନ ପୂର୍ବରୁ ଚଳିତ ବର୍ଷର ବେଶ ଭଲ ଚିନାବାଦାମ ଅମଳ ଦେଖି ଦୁଇ ପଇସା ରୋଜଗାର ହେବ ବୋଲି ଆଶା କରିଥିଲେ ଚାଷୀ । ତେବେ ଗତକାଲି ରାତିରୁ କୃଷ୍ଣପ୍ରସାଦରେ ଲଗାଣ ବର୍ଷା ଯୋଗୁ ବିଲରେ ନଷ୍ଟ ହେଉଛି ହେକ୍ଟର ହେକ୍ଟର ଚିନାବାଦାମ । ଅମଳ ପୂର୍ବରୁ ଏଭଳି ବର୍ଷା ଯୋଗୁଁ ବହୁ ଜମିରେ ଚିନାବାଦାମ ନଷ୍ଟ ହେଉଛି ।