• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆକ୍ତାମାକ୍ତା କଲାଣି ମହାନଦୀ ବଢ଼ି । ବରଗଡ଼ ଚିଖିଲିରେ ଗାଁ ଦାଣ୍ଡରେ ଚାଲୁଛି ଡଙ୍ଗା । ବନ୍ୟା ପାଣିରେ ଭୁବୁଟୁବୁ ସୋନପୁରର ବିନିକା । ବର୍ଷା ଓ ବଢ଼ି ପାଣିରେ ଏକାକାର ହରଭଙ୍ଗା । ସୋନପୁରରେ ଘୁ ଘୁ ଶବ୍ଦ ସହ ସୁଅ କାଟି ମାଡ଼ି ଚାଲିଛି ମହାନଦୀ । ଲଘୁଚାପ ଜନିତ ଲଗାଣ ବର୍ଷା ସାଙ୍ଗକୁ ହୀରାକୁଦ ଗେଟ୍ ଦେଇ ଆସୁଥିବା ମହାନଦୀର ବନ୍ୟାପାଣି ମାଡ଼ି ଯିବାରୁ କେମିତି ଦୁଃସ୍ଥିତି ହୋଇଛି ବୌଦ୍ଧ ଜିଲ୍ଲାର ହରଭଙ୍ଗା ତାହା କହିବାକୁ ଶବ୍ଦ ନାହିଁ । ଆକାଶ ମାର୍ଗରୁ ଉତ୍ତୋଳିତ ଚିତ୍ର ହିଁ ନିରବରେ ସବୁ କିଛି ବୟାନ କରୁଛି ।

ମହାନଦୀ ଏଠି ବିପଦସଙ୍କେତଠୁ ଉପରେ ପ୍ରବାହିତ ହେଉଛି । ଜଗନ୍ନାଥ ସଡ଼କ ଉପରେ ୧୦ ଫୁଟ୍ ପାଣି ଚାଲୁଥିବାରୁ ୩ ଦିନ ହେଲା ହରଭଙ୍ଗା-ବୌଦ୍ଧ ଯୋଗାଯୋଗ ବିଛିନ୍ନ ହୋଇଛି । ୧୦ରୁ ଅଧିକ ଗାଁ ପାଣି ଘେରରେ ରହିଛି ଓ ହଜାର ହଜାର ହେକ୍ଟର ଜମି ବନ୍ୟା ପ୍ଲାବିତ ହୋଇଛି । ସେମିତି ସୋନପୁରରେ ବି ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଭୀମକାୟ ରୂପଧରି ବୋହି ଚାଲିଥିବା ଫୁଲନ୍ତା ମହାନଦୀ ଅନେକ ସ୍ଥାନରେ କୂଳ ଖାଇ ଗାଁ ଗଣ୍ଡାରେ ପଶିଛି, ରାସ୍ତା ବୁଡ଼ାଇଛି, ଭସାଇଛି । ସୋନପୁର-ସମ୍ବଲପୁର ରାସ୍ତାର ମାଳତୀଯୋର ସେତୁ ବୁଡ଼ିଥିବାରୁ ଏହି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ।

ସେହିପରି ଘୁଙ୍ଗିଯୋର ପୋଲ ଉପରେ ୪ ଫୁଟ୍ ବନ୍ୟାଜଳ ଚାଲି ଥିବାରୁ ବୀରମହାରାଜପୁରକୁ ବି ପହଞ୍ଚିବା ଅସମ୍ଭବ । ଉଲୁଣ୍ଡା ବ୍ଲକର ୧୦ରୁ ଅଧିକ ଗାଁ ଜଳବନ୍ଦୀ ହୋଇଛି । ସୋନପୁର ସହରର ତରିଆପଡ଼ା ଓ କୁମ୍ଭାରପ଼ଡା ଆଦି ସମ୍ପୂର୍ଣ୍ଣ ଜଳମଗ୍ନ । ତେଲ ନଦୀର ବନ୍ୟା ପାଣି ମହାନଦୀରେ ମିଶିବା ପରଠୁ ସ୍ଥିତି ଅଧିକ ସଂଗୀନ ହୋଇଛି । ତୁହାକୁତୁହା ବର୍ଷା ସାଙ୍ଗକୁ ମହାନଦୀ ପାଣି ବିନିକାବାସୀଙ୍କ ନିଦ ହଜାଇଛି । ସହରର ମନୋହରିପଡ଼ା ଓ ଗୁଲାପଡ଼ାରେ ଲହଡ଼ି ଭାଙ୍ଗୁଛି ବନ୍ୟା । ଘରଦ୍ୱାର-ଚାଷବାସ ସବୁ ବୁଡିଛି ।

ତେବେ ହୀରାକୁଦ ଡ୍ୟାମ୍‌ର ପଛୁଆ ପାଣିରେ ସବୁଠୁ ଅଧିକ କଲବଲ ହେଉଛନ୍ତି ବରଗଡ଼ ଜିଲ୍ଲାର ଆମ୍ଭାଭୋନା ବ୍ଲକ୍‌ବାସୀ । ଏପଟେ ଚିଖିଲି ଗାଁରୁ ବର୍ଷା ଛାଡ଼ିବାର ନାଁ ନେଉନି ତ ତଳେ ଭସାଉଛି ମହାଦନୀ ପାଣି । ଗାଁଦାଣ୍ଡ, ରାସ୍ତାଘାଟ, ଜମିବାଡ଼ି ସବୁ ଏକାକାର। ମନ୍ଦିର ବୁଡ଼ିଛି, ସ୍କୁଲ ବୁଡ଼ିଛି, ଗାଁ ମଝିରେ ୬ ଫୁଟର ପାଣି ଲହଡ଼ି ଭାଙ୍ଗୁଛି । ଗାଁ ଦାଣ୍ଡରେ ଚାଲୁଛି ଡଙ୍ଗା । କଚା ଘରେ ରହୁଥିବା ଲୋକମାନେ ଭୟରେ ନିରାପଦ ସ୍ଥାନକୁ ପଳାଉଛନ୍ତି । ନିଜେ ଅତିରିକ୍ତ ଜିଲ୍ଲାପାଳ ସ୍ଥିତି ଅନୁଧ୍ୟାନ କରିବା ସହ ହଜାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ ବୋଲି କହିଛନ୍ତି ।

ଏଣେ ମହାରୂପ ଧରି ମାଡ଼ି ଆସୁଥିବା ମହାନଦୀ, କଟକ ଜିଲ୍ଲାରେ କାୟା ମେଲାଇଛି । ବାଙ୍କୀଣଷ ରଣ ନଈ ଓ ଚନ୍ଦ୍ରମା ନାଳ ଯୋଗେ ପଛୁଆ ପାଣି ପଶି ବାଙ୍କୀ-ବୈଦେଶ୍ୱର ରାସ୍ତା ଜଳମଗ୍ନ । କଇଁମୁଣ୍ଡି ଓ ଶୁଖୁଆଖଳା ଗାଁ ବାହ୍ୟଜଗତରୁ ବିଛିନ୍ନ ବିଲିପଡ଼ା ପଞ୍ଚାୟତର ବରପଦନପୁର ଗାଁରେ ବନ୍ୟା ପାଣି ପଶିଛି, ଜୀବନ ବିକଳରେ ଲୋକେ ସାମାନପତ୍ର ଧରି ସୁରକ୍ଷିତ ସ୍ଥାନକୁ ପଳାଉଛନ୍ତି । ଅଧରାତି ବେଳକୁ ଏଠି ମୁଣ୍ଡେ ଉଚ୍ଚର ପାଣି ହେବା ଆଶଙ୍କା କରାଯାଉଛି । କଟକ ଜିଲ୍ଲାର ତରକାରୀ ହାଣ୍ଡି ଭାବେ ଜଣାଶୁଣା ବାଙ୍କୀର ପରିବା ଫସଲ ସମ୍ପୂର୍ଣ୍ଣ ଉଜୁଡ଼ିବାକୁ ବସିଛି ।

ସେହିପରି ଆଠଗଡ଼ରେ ପୁରୁଣାକଟକ-ସମ୍ବଲପୁର ରାସ୍ତାର ଦହିସରା ମାଧପୁରଠାରେ ୩ ଫୁଟ ଓ ଘଣ୍ଟିଖାଲ-ନିଧିପୁର ଗଡ଼ାରେ ୩ ଫୁଟ ବନ୍ୟାପାଣି ଚାଲୁଥିବାବେଳେ ହୁଳୁହୁଳା ପୋଲ ବି ବୁଡ଼ିଛି । ଫଳରେ ଏସବୁ ରାସ୍ତାରେ ଯାତାୟାତ ବନ୍ଦ ରହିଛି । ମହାନଦୀ ବ୍ୟାକଓ୍ୱାଟର ପଶିବା ଫଳରେ ଉତ୍ତରବାଙ୍କୀ ବ୍ଲକ୍‌ର ୫ଟି ଓ ତିଗିରିଆ ବ୍ଲକର ୬ଟି ପଞ୍ଚାୟତ ସହ ଆଠଗଡ଼ ବ୍ଲକର ଅନେକ ଗାଁ ଜଳମଗ୍ନ ହୋଇଛି । ଶହ ଶହ ଏକର ଚାଷଜମି ଉଜୁଡି ଯାଇଛି ।

ମହାନଦୀର ପ୍ରଖର କୋପରେ ପଡ଼ିଛି ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ଭଟ୍ଟାରିକାଙ୍କ ମନ୍ଦିର । ମନ୍ଦିର ଭିତରେ ସୁଅ କାଟି ପ୍ରବାହିତ ହେଉଛି ବଢ଼ି ପାଣି । ମାଆଙ୍କ ଚଳନ୍ତି ପ୍ରତିମାଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଭକ୍ତମାନେ ଯେପରି ମନ୍ଦିର ପ୍ରାଙ୍ଗଣକୁ ନଯିବେ ସେଥିପାଇଁ ପ୍ରଶାସନ କଡ଼ା ନଜର ରଖିଛି । ବଡ଼ମ୍ବାର ଗମେଇ, ଗୋପୀନାଥପୁର ଓ ବଙ୍ଗରିସିଙ୍ଗା ଆଦି ଗାଁରେ ବନ୍ୟା ପାଣି ପଶି ଦୁର୍ଦ୍ଦଶା ବଢ଼ାଇଛି ।

ସେପଟେ କଟକ ମୁଣ୍ଡଳୀରେ ଅପରାହ୍ନ ୪ଟା ବେଳକୁ ୧୦ଲକ୍ଷ ୧୦ ହଜାର କ୍ୟୁସେକ୍‌ରୁ ଅଧିକ ବନ୍ୟାଜଳ ମହାନଦୀରେ ପ୍ରବାହିତ ହୋଇଛି । ଫଳରେ ମହାନଦୀ ତଳିଆ ଅଞ୍ଚଳର ଲୋକଙ୍କୁ ଅଧିକ ସତର୍କ ରହିବାକୁ କୁହାଯାଇଛି ।