ମାର୍ଚ୍ଚ ଅଧାରୁ ଜଳିଲାଣି ଅଧାରୁ ଅଧିକ ଓଡ଼ିଶା । ପଶ୍ଚିମ ଓଡ଼ିଶାରେ ନିଇତି ରେକର୍ଡ କରିଚାଲିଛି ପାରଦ । ମାର୍ଚ୍ଚ ଅଧାରୁ ଯେଭଳି ଦାଉ ସାଧିଛି ଗ୍ରୀଷ୍ମ ପ୍ରବାହ । କିଛିଦିନ ହେଲା ବୌଦ୍ଧ ଓ ଝାରସୁଗୁଡ଼ା କ୍ରମାଗତ ପାରଦ ଉପରମୁହାଁ ହେବା ସହିତ ଦେଶବ୍ୟାପି ରେକର୍ଡ ଭାଙ୍ଗିଛି। କେବଳ ଏହି ଦୁଇଟି ସ୍ଥାନ ନୁହେଁ, ପଶ୍ଚିମ ଓଡ଼ିଶାରେ ଅନେକ ସ୍ଥାନରେ ସ୍ବାଭାବିକ ଠାରୁ ୫-୭ ଡିଗ୍ରୀ ଉପରେ ରହୁଛି ପାରଦ ।
୧୪ ତାରିଖରେ ୪୧. ୮ ଡିଗ୍ରୀ ସହ ଝାରସୁଗୁଡ଼ା ଓ ୧୫ ତାରିଖରେ ୪୨.୫ ଡିଗ୍ରୀ ସହ ବୌଦ୍ଧ ସାରା ଦେଶରେ ଉତ୍ତପ୍ତ ସ୍ଥାନ ପାଲଟିଥିଲା । ଆଜି ମଧ୍ୟ ୪୩.୬ ଡିଗ୍ରୀ ତାପମାତ୍ରା ସହ ଜଳିଛି ବୌଦ୍ଧ । କେବଳ ଏହି ୨ ସହର ନୁହେଁ, ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ୪୦ ଉପରେ ରହୁଛି ତାପମାତ୍ରା । ଏଭଳି ଗ୍ରୀଷ୍ମ ପ୍ରବାହ ଦାଉରୁ ଆସନ୍ତା ୧୯ ଯାଏଁ ତ୍ରାହି ନାହିଁ ।
Also Read
ଭୀଷଣ ଗ୍ରୀଷ୍ମ ପ୍ରବାହକୁ ଦେଖି ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ କଳାହାଣ୍ଡିକୁ ୨ ଦିନ ଲାଗି ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟ ଜିଲ୍ଲା ପାଇଁ ବି ୟେଲୋ ଏବଂ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପାଣିପାଗ ବିଶେଷଜ୍ଞ କହିଛନ୍ତି, ପଶ୍ଚିମ ଏବଂ ଦକ୍ଷିଣ-ପଶ୍ଚିମ ଦିଗରୁ ଓଡ଼ିଶାକୁ ଗରମ ବାୟୁ ଚଳାଚଳ କରୁଛି । ତା’ସହ ଆକାଶ ମେଘମୁକ୍ତ ଥିବାରୁ ସୂର୍ଯ୍ୟଙ୍କ କିରଣ ପ୍ରଖର ରହୁଛି । ଫଳରେ ଅଧାରୁ ଅଧିକ ଓଡ଼ିଶା ଗରମରେ ସନ୍ତୁଳି ହେଉଛି ।
ଅଧିକ ପଢ଼ନ୍ତୁ: ଓଡ଼ିଶାରେ ଉପରମୁହାଁ ପାରଦ, ଆସନ୍ତା ୩ ଦିନ ପାଇଁ ରାଜ୍ୟରେ ହିଟୱେଭ୍ ୱାର୍ଣ୍ଣିଂ
୨୦ରୁ ୨୬ ଯାଏଁ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ବିଶେଷ କରି ମୟୁରଭଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ଥିବାରୁ ତାପମାତ୍ରା ଖସିପାରେ । ଅପରପକ୍ଷେ ତାଉ ଦେଖାଉଥିବା ତାତି ଭିତରେ ଦାଉ ସାଧୁଛି ଜଳକଷ୍ଟ । ଏବେଠୁ ନଇ, ନାଳ ସହ ପୋଖରୀ ଶୁଖିବା ସହ ହ୍ରାସ ପାଇଲାଣି ଜଳସ୍ତର ।
ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଲଣ୍ଡେଇ ସାହିରେ ଦେଖିବାକୁ ମିଳିଛି ଜଳକଷ୍ଟର ଅସଲ ଚିତ୍ର । ନା ଷ୍ଟାଣ୍ଡପୋଷ୍ଟରୁ ପର୍ଯ୍ୟାପ୍ତ ପାଣି ଆସୁଛି ନା କୂଅରୁ ପାଣି ଉଠାଇପାରୁଛି ମୋଟର । ଜଳ ଯୋଗାଣ ବ୍ୟବସ୍ଥା ଭଲ ନଥିବାରୁ ସମାନ ଦଶା ଭୋଗୁଛନ୍ତି ଜଗନ୍ନାଥପ୍ରସାଦ ବ୍ଲକ ପ୍ରତାପପୁର ପଞ୍ଚାୟତବାସୀ ।
ସେପଟେ ଷ୍ଟିଲସିଟି ରାଉରକେଲାର ୧୦ଟି ସ୍ଥାନରେ ୱାଟର୍ ଏଟିଏମ୍ ଅଚଳ ହୋଇପଡ଼ିଥିବାରୁ ଉତ୍କଟ ହୋଇପଡ଼ିଛି ପାନୀୟ ଜଳ ସଙ୍କଟ । ବଲାଙ୍ଗିର ସହରରେ ମଧ୍ୟ ଡହଳବିକଳ ହେଉଛନ୍ତି ସାଧାରଣ ଜନତା ।
ଏସବୁ ଭିତରେ ନୂଆପଡା ଜିଲ୍ଲା ତରବୋଡ ଅଞ୍ଚଳରେ ହଠାତ କାଳ ବୈଶାଖୀ ବର୍ଷା ହୋଇଛି l ଆଜି ଅପରାହ୍ନ ୩ଟାରୁ ଜୋରରେ ପବନ ବହିବା ସହ କୁଆ ପଥର ମାଡ଼ ହୋଇଛି l ଫଳରେ ଏହି ଅଞ୍ଚଳରେ ପାଣିପାଗରେ ପରିବର୍ତ୍ତିନ ଆସିଛି ।