• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବନ୍ୟାର କରାଳ ରୂପ । ନଈନାଳ ବିଲ ମାଳ ରାସ୍ତାଘାଟ ଘରଦ୍ୱାର ସବୁ ଏକାକାର । ଉଛୁଳୁଛି ନଈ, ଭାଙ୍ଗୁଛି ଘାଇ । ଉବୁଟୁବୁ ଜନପଦ । କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ମହାନଦୀ ଓ ଏହାର ଶାଖାନଦୀ ଗୁଡ଼ିକର ଜଳପ୍ରଳୟରେ ଉଜୁ଼ଡି ଚାଲିଛି ଅବିଭିକ୍ତ କଟକ ଜିଲ୍ଲାର ଗାଁ ପରେ ଗାଁ । କଟକ ଜିଲ୍ଲାର ସବୁଠୁ ଅଧିକ ପ୍ରଭାବିତ ବାଙ୍କି ବ୍ଲକ୍ ଶିମିଳିପୁର ପଞ୍ଚାୟତ ସୁତାଖଳା ଗାଁର ସ୍ଥିତି ଅତି ଦୟନୀୟ ।

ଅଧାବୁଡ଼ା ଘର ଉପରେ ଗଲା ତିନି ଦିନ ଧରି ତମ୍ବୁରେ ବିତୁଛି ଜୀବନ । ମହାନଦୀ ବନ୍ୟାରେ ବାଙ୍କି ଓ ଡମପଡ଼ା ବ୍ଲକ୍‌ର ପାଖାପାଖି ୭୦ଟି ଗାଁ ପ୍ରଭାବିତ ହୋଇଥିଲା ବେଳେ ପାଖାପାଖି ୫୦ଟି ଗାଁ ଦିନି ଦିନ ଧରି ଏମିତି ବୁଡ଼ିଛି । ଯେଉଁଠି ଚୁଲି ଚାଳ ଅବସ୍ଥା ଏମିତି ସେଠି ଖାଇବା ପିଇବା କଥା ପଚାରେ କିଏ । ବିପନ୍ନଙ୍କ ଅଭିଯୋଗ ତିନିଦିନ ଧରି ଏମିତି ଭୋକ ଉପାସରେ ଥିଲେ ବି ରନ୍ଧାଖାଦ୍ୟର ବ୍ୟବସ୍ଥା ନାହିଁ ।

କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ବି ସମାନ ସ୍ଥିତି । ବ୍ଲକ୍‌ର ୧୭ ପଞ୍ଚାୟତ ବନ୍ୟାଦ୍ୱାରା ପ୍ରଭାବିତ ହୋଇଥିଲା ବେଳେ ୧୬ଟି ଗାଁ ମହନଦୀ ବଢ଼ିରେ ପୁରା ବୁଡ଼ିଛି । କେଉଁ ରାସ୍ତାରେ ୫ ଫୁଟ ତ କେଉଁଠି ମୁଣ୍ଡେ ଉଚ୍ଚର ପାଣି । ତିଗିରିଆ ବ୍ଲକ୍‌ର ଅନେକ ଗାଁରେ ବି ନାହିଁ ନଥିବା ଅବସ୍ଥା । ଗାଇନାଳ ବ୍ରିଜ୍‌ଠାରୁ କୋଇଲିକନ୍ୟା ରାସ୍ତାରେ ୮ଫୁଟ୍‌ର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ବହୁ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ବିପନ୍ନ ହୋଇପଡ଼ିଛନ୍ତି ୮ଟି ପଞ୍ଚାୟତର ୨୮ଟି ଗାଁ । ୟା ଭିତରେ ବି ପାଣି ଘେରରେ ଫସିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ଦିନ ରାତି ଏକ୍ କରିଦେଇଛି ଓଡ୍ରାଫ୍ ଟିମ୍ । ଛେଳି ଚରାଇବାକୁ ଯାଇ କନ୍ଦରପୁରର ଅମଙ୍ଗେଇ କୁଦରେ ୩ ଦିନ ଧରି ଫସି ରହିଥିବା ବାପ ପୁଅଙ୍କୁ ଆଜି ସୁରକ୍ଷିତ ଉଦ୍ଧାର କରାଯାଇଛି । 

ଜଗତସିଂହପୁର ଜିଲ୍ଲାରେ ମହାନଦୀ ଓ ପାଇକାରେ ଚାରି ଚାରିଟିି ଘାଇ ଯୋଗୁଁ ସଂଗୀନ ହେବାରେ ଲାଗିଛି କୁଜଙ୍ଗ ଓ ତିର୍ତ୍ତୋଲ ବ୍ଲକ୍‌ର ୨୦ରୁ ଅଧିକ ପଞ୍ଚାୟତ । ଗତକାଲି ମହାନଦୀର ଜୟଶଙ୍ଖପୁର ଓ ପାଇକାର ବଡ଼  ବାଲିକଣିରେ ଦୁଇଟି ଘାଇ ହୋଇଥିଲା ବେଳେ ଆଜି ମହାନଦୀର ତେରମାଣପୁର ଓ ପାଇକାର କାଠକୋଟରେ ଆଉ ଦୁଇଟି ଘାଇ ହେବାରୁ ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି ।

ଜୟଶଙ୍ଖପୁରରେ ଘାଇ ହେବା ପରେ ସ୍ଥିତି ଶୋଚନୀୟ ହୋଇପଡ଼ିଛି । ଗାଁରେ ହୁଲି ଡଙ୍ଗା ଚାଲିଛି । ପକ୍କାଠୁ କଚ୍ଚା ସବୁ ଘର ବୁଡ଼ିଛି । ଦୁର୍ବିସହ ହୋଇପଡ଼ିଛି ଜଳବନ୍ଦୀର ଏ ଜୀବନ । ସୌଭାଗ୍ୟକୁ ଯାହାର ଛାତ ଘର ଅଛି, ଯାହା ଘରେ ଯାଗାଟିକେ ଶୁଖିଲା ଅଛି ସେଇଠି ବଡ଼ କଷ୍ଟରେ ରୋଷେଇ ଚାଲିଛି, ଜୀବନ ବଞ୍ଚାଇବାର ଚେଷ୍ଟା ଚାଲିଛି । ଯାହାର ସେତକ ନାହିଁ, ସିଏ ଭୋକରେ ଷଢୁଛି ।

ତେରମାଣପୁରରେ ଘାଇ ହେବା ପରର ହଠାତ୍ ଘାଇ ମୁହଁରୁ ଘୁ ଘୁ ହୋଇ ପାଣି ମାଡ଼ି ଆସିବା ପରେ ଯିଏ ଯେମିତି, ଯେଉଁ ଅବସ୍ଥାରେ ଥିଲା ଉଚ୍ଚ ସ୍ଥାନକୁ ତ ପଳେଇ ଆସିଲେ, ଆଉ ଯିଏ ଆସି ନପାରିଲେ ତାଙ୍କ ଜୀବନ ବଞ୍ଚାଇବାର ପ୍ରୟାସରେ ଲାଗିଛି ଅଗ୍ନିଶମ ବାହିନୀ । ପାଖାପାଖି ଶତାଧିକ ବିପନ୍ନଙ୍କୁ ବିପଦପୂର୍ଣ୍ଣ ଅବସ୍ଥାରେ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ । ମଣିଷ ତ ମଣିଷ ବନ୍ୟା ପାଣିରେ ଫସିଥିବା ପଶୁଙ୍କୁ ସୁରକ୍ଷିତ ଉଦ୍ଧାର ମଦ୍ୟ କରାଯାଇଛି ।

ପାଇକା ନଦୀର କାଠକୋଠ ପଞ୍ଚାୟତର କାଠକୋଟରେ ଆଜି ପାଖାପାଖି ୩୦ ଫୁଟିଆ ଘାଇ ହୋଇଛି । ଘାଇଭାଙ୍ଗି ମାଡ଼ିଯାଉଥିବା ବଢ଼ିପାଣି ପ୍ରଭାବରେ ଦ୍ୱୀପାଞ୍ଚଳର ୧୨ଟି ଗାଁ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି ।

ମହାନଦୀ ଓ ଶାଖା ନଦୀଗୁଡ଼ିକରେ ବନ୍ୟା ପରେ ବିଗିଡିବାରେ ଲାଗିଛି କେନ୍ଦ୍ରାପଡ଼ାର ସ୍ଥିତି । ଜିଲ୍ଲା ଦେଇ ପ୍ରବାହିତ ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା ଓ ପାଇକା ନଦୀ ବଢ଼ି ଚାଲିଥିବାରୁ କେଉଁଠି ବନ୍ଧରେ ଘଳିଆ ପଡ଼ିଲାଣି ତ କେଉଁଠି ଘାଇ ହେବା ଆଶଙ୍କାରେ ଆତଙ୍କିତ ନଦୀ କୁଳିଆ ଲୋକେ । ମାର୍ଘାଘାଇ ବ୍ଲକ୍‌ର ବଟିରା ଗାଁର ପାଇକା ନଦୀ ବନ୍ଧରେ ତିନିଶହ ଫୁଟ୍ ଲମ୍ବର ଅତଡ଼ା ଖସିବା ପରେ ଯେକୌଣସି ମତେ ଘାଇ ରୋକିବାକୁ ଚାଲିଛି ଉଦ୍ୟମ ।

ମୁଣ୍ଡୁଳିରେ ମହାନଦୀର ପିକ୍ ଫ୍ଲଡ୍ ଯେତେ ଯେତେ ତଳି ଅଞ୍ଚଳକୁ ବହୁଛି, ସେତେ ସେତେ ବଢୁଛି ବିପନ୍ନଙ୍କ ଦୁର୍ଦ୍ଦଶା, ବଢୁଛି ଅଧିକରୁ ଅଧିକ ବନ୍ଧବାଡ଼ ଭାଙ୍ଗିଯିବାର ଭୟ ।