ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଦବିଲା ୩୨୬ ରାଜ୍ୟ ରାଜପଥ। ରାୟଗଡ଼ା ଜିଲ୍ଲା ପରଦିଗୁଡ଼ା ନିକଟରେ ରାସ୍ତା ଦବି ଯାଇଥିବା ଦେଖିବାକୁ ମିଳିଛି। ଫଳରେ ଯାତାୟାତ ଠପ୍ ହେବା ସହ ଯାନବାହାନ ରାସ୍ତାରେ ଅଟକି ରହିଥିଲା। ପ୍ରାୟ ୫ ଘଣ୍ଟାରୁ ଅଧିକ ସମୟ ଧରି ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା। ଲଘୁଚାପ ଜନିତ ଲଗାଣ ବର୍ଷାରେ ରାଜପଥ ଧୋଇଯିବାରୁ ଏଭଳି ସ୍ଥିତି ଉପୁଜିଛି।
ବର୍ଷାଦିନ ପୂର୍ବରୁ ଏହି ରାସ୍ତା ଶୋଚନୀୟ ଅବସ୍ଥାରେ ରହିଥିଲେ ମଧ୍ୟ ଜାତୀୟ ରାଜପଥ ଓ ପୂର୍ତ୍ତ ବିଭାଗ କୌଣସି ପଦକ୍ଷେପ ନେଇନଥିଲା। ଫଳରେ ଏଭଳି ସ୍ଥିତି ଉପୁଜିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।
ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେବା ସମ୍ଭାବନା ରହିଛି । ଆଉ କିଛି ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବା ସମ୍ଭାବନା ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ଆଜିଠୁ ଆସନ୍ତାକାଲି ସକାଳ ଯାଏ ୧୦ଟି ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଲା- ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ସୋନପୁର, ବୌଦ୍ଧ, ବରଗଡ଼, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା ଓ ଦେବଗଡ଼ ।