• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଅସରାଏ ବର୍ଷାରେ ବେହାଲ୍ ଟ୍ୱିନସିଟି । କଟକ ଓ ଭୁବନେଶ୍ୱରରେ ଆଜି ସକାଳୁ ହୋଇଥିବା ବର୍ଷାରେ ସ୍ଥିତି ବିଗିଡ଼ିଛି । ଚିରାଚରିତ ଭାବେ ଇସ୍କନ୍ ସମ୍ମୁଖରେ ଆଣ୍ଠୁଏ ଉଚ୍ଚର ପାଣି ଜମିଛି । ସେହିପରି ପୁରୁଣା ଭୁବନେଶ୍ୱର, ୟୁନିଟ-୪ ନୟାପଲ୍ଲୀର କିଛି ଅଞ୍ଚଳରେ ପାଣି ଜମିଛି ।

ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତା’ଛଡ଼ା କଟକରେ ବି ସ୍ଥିତି ସମାନ । ବାଦମବାଡ଼ି, ରାଉସପାଟଣା ସମେତ ବିଭିନ୍ନ ଅଞ୍ଚଳରେ ପାଣି ଜମିଛିା ବର୍ଷା ପାଣି, ନର୍ଦ୍ଦମା ପାଣି ଏକାକାର ହୋଇଛି । ସେପଟେ ବର୍ଷାକୁ ନେଇ ଟ୍ରାଫିକ୍ ସମସ୍ୟା ଦେଖାଯାଇପାରେ ।

ଆସନ୍ତା କିଛି ଘଣ୍ଟା ଯାଏଁ ବର୍ଷା ହେବା ସମ୍ଭାବନା ଥିବାରୁ ରାସ୍ତାଘାଟ, ଅଣ୍ଡର ପାସ୍ ଭଳି ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି । ସେପଟେ ବର୍ଷା ଯୋଗୁ ଗରମ ଗୁଳୁଗୁଳି ଦାଉରୁ ଆଶ୍ୱସ୍ତି ମିଳିଛି । ଆଜି ସକାଳୁ ଭୁବନେଶ୍ୱର, କଟକ ସମେତ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି । ଶ୍ରାବଣ ମାସ ଚାଲୁଥିବା ବେଳେ ବର୍ଷାର ଦେଖା ନଥିବା ସାଧାରଣଲୋକ ଓ ଚାଷୀଙ୍କୁ ବେଶ କଷ୍ଟ ଦେଇଥିଲା ।

ଆଜିଠୁ ଆଗାମୀ କିଛି ଦିନ ଯାଏଁ ବର୍ଷା ହେବା ସହ ଏହି ପରିମାଣ ଧିରେ ଧିରେ ବଢ଼ିବ । ଆଜି ପାଇଁ ୧୪ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ଦେବଗଡ଼, ସୁନ୍ଦରଗଡ଼, ବୌଦ୍ଧ, ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଏସବୁ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।