Advertisment

୨୬ ବର୍ଷର ରେକର୍ଡ ଭଙ୍ଗିଲା ବର୍ଷା, ରାଜଧାନୀର ୨୦ ସ୍ଥାନରେ କୃତ୍ରିମ ବନ୍ୟା

ଅକଥନୀୟ ଦୁର୍ଦ୍ଦଶାରେ ସ୍ମାର୍ଟସିଟି ବାସିନ୍ଦା । ବାଦଲଫଟା ବର୍ଷାକୁ ଦୋଷ ଦେଲେ ମେୟର ।

author-image
Satyendu Shekher Mishra
undefined

Bhubaneswar Rain

ଗୋଟିଏ ବଡ଼ ବର୍ଷା.. ଭୟଙ୍କର ସ୍ଥିତି.. ଅନ୍ତହୀନ ଦୁର୍ଦ୍ଦଶା.. ସ୍ଥିତି ଏମିତି ଯେ, କୋଟି କୋଟି ଟଙ୍କାର ଘର, ଗାଡ଼ି, ସ୍ୱପ୍ନ ଛାଡ଼ି, ଭୟରେ ଗାଁ ମୁହାଁ ସ୍ମାର୍ଟସିଟି ବାସିନ୍ଦା । ୨୬ ବର୍ଷର ରେକର୍ଡ ଭଙ୍ଗା ବର୍ଷାରେ ବେହାଲ ରାଜଧାନୀ ଭୁବନେଶ୍ୱର । କୃତ୍ରିମ ବନ୍ୟାରେ ଘର ବୁଡ଼ିଲା, ଗାଡ଼ି ଭାସିଲା । ବିପନ୍ନଙ୍କୁ ଉଦ୍ଧାର ପାଇଁ ଅଧ ରାତିରେ ବୋଟ୍ ବି ଚାଲିଲା । ସହରର ୨୦ରୁ ଅଧିକ ସ୍ଥାନରେ ସାଂଘାତିକ ଜଳବନ୍ଦୀ ସ୍ଥିତି ପାଇଁ ଅକଥନୀୟ ଦୁର୍ଦ୍ଦଶା ଭିତରେ ସ୍ମାର୍ଟସିଟି ବାସିନ୍ଦା । ଏବି ବି ବର୍ଷା ଲାଗି ରହିଥିବାରୁ ସ୍ଥିତିକୁ ଡରି କିଛି ଲୋକ ଭୟରେ ଗାଁ ମୁହାଁ ହେବା ଚିନ୍ତା ବଢ଼ାଇଛି ।

Advertisment

‘ମନରେ ଏବେବି ଭୟ ଅଛି ଘର ଛାଡ଼ି ଦେଉଛୁ । ଆଜ୍ଞା ହଁ । ଏମିତି ହିଁ କଥା ଶୁଣିବାକୁ ମିଳୁଛି ଲୋକଙ୍କଠାରୁ । ରାଜଧାନୀରେ କାଲିର ବାଦଲଫଟା ବର୍ଷାରେ ପୁରୁଣା ସହରରୁ ନୂଆ, ପାହାଡ଼ିଆରୁ ତଳିଆ ଅଧିକାଂଶ ଜଳାର୍ଣ୍ଣବ ଅଞ୍ଚଳରେ ଲୋକଙ୍କ ଘରେ ଛାତିଏ ଲେଖାଏଁ ପାଣି ପଶିବା ପରେ ଭୟଭୀତ ସ୍ମାର୍ଟସିଟି ବାସିନ୍ଦା । ପ୍ରାୟ ୫ ଘଣ୍ଟା ଧରି ମୂଷଳ ଧାରାରେ ବର୍ଷା ପରେ କାଲି ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ଆଇଗିଣିଆଁର ରାଜୀବ ନଗର ଇଲାକା । ଘର ସବୁ ଅଧା ବୁଡ଼ିଯିବା ପରେ ଲୋକଙ୍କୁ ଉଦ୍ଧାର ପାଇଁ ଗତକାଲି ଏଠି ବୋଟ୍ ଚାଲିଥିଲା ।

ଏବେ ସୁଦ୍ଧା କିଏ ଘରୁ କାଦୁଅ ମିଶା ପାଣି ଉଝାଳୁଛନ୍ତି ତ କିଏ ଘରେ ପଶିଥିବା ବହଳ କାଦୁଅ ସଫା କରିବାରେ ବ୍ୟସ୍ତ । ଘରର ସବୁ ଆସବାବ, ସୋଫା, ଫ୍ରିଜ୍, ୱାସିଂ ମେସିନ୍, କାର୍, ବାଇକ୍ ଆଉ କିଛି ବାକି ନାହିଁ । ତେଣୁ ତାରି ଭିତରେ ଖଟ ଉପରେ କୌଣସି ପ୍ରକାର ଭୟ ଓ ଆତଙ୍କରେ ରାତି ବିତାଇବା ପରେ ପାଣି ଛାଡୁ ଛାଡୁ ଆଜି ବେଡିଂପତ୍ର ବାନ୍ଧି ଘର ଛାଡୁଛନ୍ତି ଲୋକେ ।

Advertisment

ଏବେ ୧୮ ଘଣ୍ଟା ପରେ ବି ଘର ଭିତରେ ଭାସୁଛି ହାଣ୍ଡି କଡ଼େଇ। କାଲିଠୁ ଚୁଲି ଜଳିବାର ପ୍ରଶ୍ନ ହିଁ ନାହିଁ । ୬ ମାସର ଛୁଆକୁ ବିସ୍କୁଟ ଖୁଆଇ ଖାଡ଼ା ଉପାସରେ ରହିଛନ୍ତି ପୂରା ପରିବାର । ଅନ୍ୟପଟେ ରାତିସାରା ଚାରିଫୁଟ ନର୍ଦ୍ଦମା ପାଣିରେ ବୁଡ଼ିବା ପରେ ଏବେ ଗ୍ୟାରେଜ୍ ଟଣା ହେଉଛି ଗୋଟିକ ପରେ ଗୋଟିଏ ଗାଡ଼ି ।

ପ୍ରବଳ ବର୍ଷା ପରେ ଜଳ ନିଷ୍କାସନ ସମସ୍ୟା ପାଇଁ ଖଣ୍ଡଗିରି ମଲ୍ଲିକ କଂପ୍ଲେକ୍ସର ଲେନ୍ ୨ର ଘରେ ବି କାଲି ପାଣି ପଶିଥିଲା । ସଂଧ୍ୟାରେ ଘରେ ପାଣି ପଶିବା ଆରମ୍ଭ ହେବାରୁ ରାତିରେ ଡରରେ କିଏ କୁଆଡ଼େ ବନ୍ଧୁବାନ୍ଧବ ଘରକୁ ପଳେଇଥିଲେ । ଆଉ ଆଜି ଫେରିଲା ବେଳକୁ ସବୁ ନଷ୍ଟ।

ରାଜଧାନୀର 20ରୁ ଅଧିକ ସ୍ଥାନରେ ସାଂଘାତିକ ଜଳବନ୍ଦୀ ସ୍ଥିତି ପରେ ଆଜି ଗ୍ରାଉଣ୍ଡକୁ ଯାଇ ସ୍ଥିତି ପରଖିଥିଲେ ଭୁବନେଶ୍ୱର ମେୟର ଓ କମିଶନର। ଆଉ ବିଏମସିର ବର୍ଷା ପ୍ରସ୍ତୁତିକୁ ଏଡ଼ାଇ ସ୍ଥିତି ପାଇଁ ବାଦଲଫଟା ବର୍ଷାକୁ ଦୋଷ ଦେଇଥିଲେ ମେୟର ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ୨୫୯.୨ ମିଲିମିଟର ବର୍ଷା ହୋଇଛି। ଯାହାକି ଅଗଷ୍ଟ ମାସରେ ବିଗତ ୨୬ ବର୍ଷରେ ଗୋଟିଏ ଦିନରେ ରେକର୍ଡ ବର୍ଷା। କାରଣ ଏହା ପୂର୍ବରୁ ୧୯୯୭ ଅଗଷ୍ଟ ୨୦ ତାରିଖରେ ୨୫୪.୨ ମିଲିମିଟର ବର୍ଷା ହୋଇଥିଲା। ଏ ବର୍ଷା ତାକୁ ବି ଟପିଯିବାରୁ ଅବସ୍ଥା ସଂଗୀନ ହୋଇଛି ।

Odisha Weather Weather Update
Advertisment
Advertisment