Advertisment

ତାତିରୁ ମିଳିବ ଆଶ୍ୱସ୍ତି ! ଆଗାମୀ ୩ ଦିନ କମ୍ ରହିବ ତାପମାତ୍ରା

୨୮, ୨୯ ଏବଂ ୩୦ ତାରିଖରେ ମଧ୍ୟ କିଛି କିଛି ଜିଲ୍ଲାରେ ଘଡଘଡି ସାଙ୍ଗକୁ ବର୍ଷା ସମ୍ଭାବନା ରହିଛି ।

author-image
Satyendu Shekher Mishra
Rainfall Alert

Rainfall Alert

ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି । ଆଗାମୀ ୩ ଦିନ ପାଇଁ ଦିନ ତାପମାତ୍ରା କିଛି କିଛି ସ୍ଥାନରେ ସାମାନ୍ୟ କମିବ । ଆଭ୍ୟନ୍ତରିଣୀ ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ଦିନ ତାପମାତ୍ରା ସର୍ବାଧିକ ୪୨ ଡିଗ୍ରୀ ପାଖାପାଖି ଛୁଇଁପାରେ । ଉପକୂଳ ସହ ଆଭ୍ୟନ୍ତରିଣ ଓଡ଼ିଶାର କିଛି କିଛି ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ । ସେହିପରି ୨୮, ୨୯ ଏବଂ ୩୦ ତାରିଖରେ ମଧ୍ୟ କିଛି କିଛି ଜିଲ୍ଲାରେ ଘଡଘଡି ସାଙ୍ଗକୁ ବର୍ଷା ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

Advertisment

ତେବେ ବର୍ଷା ଋତୁ ଆରମ୍ଭ ନହେଉଣୁ ବଢିଲା ଚାଷୀର ଚିନ୍ତା । ପାଣିପାଗ ବିଭାଗ ଆକଳନ କରିଛି ଯେ, ଏଥର ଜୁନ୍‌ରେ ନିଅଣ୍ଟିଆ ବର୍ଷା ହେବ । ଏଲନିନୋ ପ୍ରଭାବରେ ସାରା ଦେଶରେ ଜୁନ୍ ମାସରେ କମିବ ବର୍ଷାର ପରିମାଣ । ତେବେ ଜୁନ୍‌ରୁ ସେପ୍ଟେମ୍ବର ଯାଏଁ ବର୍ଷା ସ୍ୱାଭାବିକ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେପଟେ ଜୁନ୍ ୪ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା ରହିଛି।

ତେବେ ସାମଗ୍ରିକ ଭାବେ ଚଳିତ ବର୍ଷ ମୌସୁମୀ ଋତୁରେ ଅର୍ଥାତ୍ ଜୁନରୁ ସେପ୍ଟେମ୍ବର ମଧ୍ୟରେ ସ୍ବାଭାବିକ ବର୍ଷା ହେବ। ଉତ୍ତର ପଶ୍ଚିମ ଭାରତରେ କିନ୍ତୁ ପୁରା ସିଜିନରେ କମ୍ ବର୍ଷା ରହିବ । ଏଠାରେ ମୌସୁମୀ ବର୍ଷାର ପରିମାଣ ୯୨ ପ୍ରତିଶତରୁ କମ୍ ରହିବା ନେଇ ଆକଳନ କରାଯାଇଛି । ତେବେ ପୂର୍ବ ଉତ୍ତର ଭାରତରେ ସ୍ୱାଭାବିକ ହେବ ମୌସୁମୀ ବର୍ଷା । ଏଠାରେ ବର୍ଷାର ପରିମାଣ ୯୪ ପ୍ରତିଶତରୁ ୧୦୬ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି ।

Advertisment

ପାଣିପାଗ ବିଭାଗର ଆକଳନ ପରେ କେନ୍ଦ୍ରାପଡାର ଚାଷୀଙ୍କ ମୁଣ୍ଡରେ ଚଡକ ପକାଇଛି । ସାଧାରଣତଃ ଜୁନ୍ ମାସ ଚାଷବାସ ଆରମ୍ଭର ମାସ । ଏଇ ମାସରେ ବୁଣାବୁଣି ସହ ତଳି ପକା କାମ ସାରିଥାଏ ଚାଷୀ । ହେଲେ ବର୍ଷା ନହେଲେ ସବୁ ଫସର ଫାଟିଯିବ । ଚାଷୀଙ୍କ କହିବା କଥା, ବେଟାଇମରେ ଖାଇଲେ ଯେମିତି ପେଟ ଖରାପ ହୁଏ, ସେମିତି ଠିକ୍ ସମୟରେ ବର୍ଷା ନହେଲେ ପ୍ରଭାବିତ ହେବ ଫସଲ, ଅମଳ କମିଯିବ । ବର୍ତ୍ତମାନ ଧାନ, ମକା, ମାଣ୍ଡିଆ ଭଳି ଖରିଫ୍ ଫସଲ ସମୟ ହୋଇଥିବାରୁ ନିଅଣ୍ଟିଆ ବର୍ଷା ଆକଳନକୁ ନେଇ ଚିନ୍ତାରେ ଚାଷୀ।  

ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ୨୦୧୭ ରୁ ୨୦୨୨ ମଧ୍ୟରେ ରାଜ୍ୟରେ ଜୁନ୍ ମାସରେ ନିଅଣ୍ଟିଆ ବର୍ଷା ହୋଇଛି। ୨୦୧୭ ଜୁନ୍ ରେ -୨ %, ୨୦୧୮ରେ -୩୦% ଏବଂ ୨୦୧୯ରେ -୩୩ % କମ୍ ବର୍ଷା ରେକର୍ଡ ହୋଇଥିଲା । ତେବେ ୨୦୨୦ରେ ରାଜ୍ୟରେ ଲାନିନୋ ପ୍ରଭାବରେ ଜୁନ୍ ମାସରେ ୧୫% ଅଧିକ ବର୍ଷା ରେକର୍ଡ ହୋଇଥିଲା । ହେଲେ ପୁଣି ୨୦୨୧ରେ ଜୁନ୍ ମାସରେ -୧୭ % ଏବଂ ୨୦୨୨ରେ –୩୭ % କମ ବର୍ଷା ରେକର୍ଡ ହୋଇଥିଲା।

Odisha Weather Odisha Weather News Weather Update
Advertisment
Advertisment