• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବଙ୍ଗୋପସାଗରରେ ଅବପାତ ଦୁର୍ବଳ ହୋଇ ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ଏବେ ଆଭ୍ୟନ୍ତରୀଣ ଓଡ଼ିଶା ଓ ସଂଲଗ୍ନ ଛତିଶଗଡ଼ ଉପରେ ସକ୍ରିୟ ରହିଛି ସୁଦୃଶ୍ୟ ଲଘୁଚାପ କ୍ଷେତ୍ର । ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆହୁରି ଦୁର୍ବଳ ହେବ । ତେବେ ଏହାର ପ୍ରଭାବରେ ଆହୁରି ୩ ଦିନ ରାଜ୍ୟରେ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।

ଆଜି ୧୦ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ଜାରି ହୋଇଛି ୟେଲୋ ଆଲର୍ଟ । ଆସନ୍ତା ୨୩ ତାରିଖ ଯାଏ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ୨୩ ଯାଏ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଡିପ୍ରେସନ୍ ପ୍ରଭାବରେ ଗତ ଦୁଇ ଦିନର ଲଗାଣ ବର୍ଷାରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି ।

ଅଧିକ ପଢ଼ନ୍ତୁ: ୬ ଜିଲ୍ଲାକୁ ବେହାଲ୍ କଲା ଲଘୁଚାପ ବର୍ଷା; ଉଜୁଡ଼ିଗଲା ଚାଷବାସ, ଭାଙ୍ଗିଗଲା ଘରଦ୍ବାର...

ସେହିପରି ଦୁଇ ଦିନର ଲଗାଣ ବର୍ଷାରେ ଅଧିକ ପ୍ରଭାବିତ ହୋଇଛି ମାଲକାନଗିରି ଜିଲ୍ଲା । କାଙ୍ଗୁର କୋଣ୍ଡା ପୋଲ ଉପରେ ଜମିଛି ପାଣି । ଏବେ ମଧ୍ୟ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଅନେକ ତଳୁଆ ବ୍ରିଜ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ୩୨୬ ନମ୍ବର ଜାତୀୟ ରାଜପଥ ମାଲକାନଗିରି ମୋଟୁରେ ଥିବା କାଙ୍ଗୁରକୋଣ୍ଡା ବ୍ରିଜ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଛି ।

ଏହା ଫଳରେ ମାଲକାନଗିରିରୁ କାଳିମେଳା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ଗାଡି ଅଟକି ରହିଛି । ମାଲକାନଗିରିରେ ପ୍ରବଳ ବର୍ଷାରେ ପ୍ରଭାବିତ ହୋଇଛି ଜିଲ୍ଲାର ୧୧୧ ପଞ୍ଚାୟତର ୧ ହଜାର ୪୫ ଗାଁ । ସେପଟେ ପଡ଼ୋଶୀ କୋରାପୁଟ ଜିଲ୍ଲାରେ ଗତକାଲି ଝିପି ଝିପି ବର୍ଷା ହୋଇଥିଲା ।

ଏଭଳି ସ୍ଥିତିରେ ଉପରମୁଣ୍ଡରେ ବର୍ଷା ଯୋଗୁଁ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପର ଡି.ଡ୍ୟାମର ୨ଟି ଗେଟରୁ ଜଳ ନିଷ୍କାସନ କରାଯାଉଛି । ଫଳରେ ତଳମୁଣ୍ଡରେ ଜଳସ୍ତର ବଢ଼ିବାର ଆଶଙ୍କା ରହିଥିବାବେଳେ ଉଜୁଡ଼ା ପରିବା କ୍ଷେତକୁ ଦେଖି ଚିନ୍ତାରେ ଚାଷୀ । ଏପରିକି ଧୋଇଯାଇଛି ରୁଆ ଧାନ, ଜମିରେ ବାଲିଚର ମାଡ଼ିଯାଇଛି । କେବଳ କୋରାପୁଟ ନୁହଁ, ଲଗାଣ ବର୍ଷା ଯୋଗୁ ଗଞ୍ଜାମ ସାନଖେମୁଣ୍ଡି ଅଞ୍ଚଳରେ ଧାନ ତଳିରେ ପାଣି ପଶି ନଷ୍ଟ ହେବାକୁ ବସିଛି ।

ଅଧିକ ପଢ଼ନ୍ତୁ: ପ୍ରବଳ ବର୍ଷାରେ ଉବୁଟୁବୁ ମାଲକାନଗିରି! ଖସୁଛି ପାଣି, କମିନି ଦୁର୍ଦ୍ଦଶା ...

ଉଛୁଳା ନଈରେ ମରଣ ମୁହଁରୁ ଜୀବନ ବଞ୍ଚାଇ ଦୁଇ ଦୁଇ ଜଣ ବ୍ୟକ୍ତି ଫେରିଆସିବାର ଘଟଣା ବି ସାମ୍ନାକୁ ଆସିଛି । ଗୋଟିଏ ହେଉଛି, ମୟୁରଭଞ୍ଜ କଇଁସାରି ଜାମୁଘାଟ ପୋଲ ନିକଟର ଏବଂ ଅନ୍ୟଟି ହେଉଛି, ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଉଦନ୍ତୀ ନଦୀର। ମୟୁରଭଞ୍ଜ ଉଦଳାର ଦେଓନଦୀରେ ଭାସିଯାଉଥିବାବେଳେ ଜାମୁଘାଟ ପୋଲ ନିକଟରୁ ଉଦ୍ଧାର କରାଯାଇଥିଲା ଜଣେ ଅଜଣା ଯୁବକଙ୍କୁ । ସେହିପରି ସିନାପାଲି ଉଦନ୍ତୀ ନଦୀରୁ ଗଡ଼ରାମାଲ୍ ଗାଁର ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ମାଲକାନଗିରି ଓ କୋରାପୁଟ ବ୍ୟତୀତ ନବରଙ୍ଗପୁର, ବଲାଙ୍ଗିର, ରାୟଗଡ଼ା, ଗଜପତି, ଆଦି ପ୍ରାୟ ୬ଟି ଜିଲ୍ଲାର ଜନଜୀବନକୁ ପ୍ରଭାବିତ କରିଛି ଲଘୁଚାପ ବର୍ଷା ।

OTV is now on Whatsapp

Join and get latest news update delivered to you via whatsapp

Join Now