• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଲଗାଣ ବର୍ଷାରେ ବେହାଲ କେନ୍ଦୁଝରଗଡ଼ ପୌରପାଳିକାର ୯ ନମ୍ବର ୱାର୍ଡ । ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ରାସ୍ତାରେ ବର୍ଷାପାଣି ଚାଲିବା ସହିତ ଲୋକଙ୍କ ଘରେ ପାଣି ପସିଯାଇଛି । କାଶୀପୁର ଅଞ୍ଚଳରେ ଶତାଧିକ ପରିବାର ବସବାସ କରୁଥିବା ବେଳେ, ଦୀର୍ଘ ୨୦ ରୁ ୨୫ ବର୍ଷ  ଧରି ଲୋକେ ଏପରି ଅସୁବିଧା ଭୋଗ କରୁଛନ୍ତି । ବର୍ଷା ଦିନ ଆସିଲେ ୯ନଂ ଓ୍ୱାର୍ଡରେ କାଶୀପୁର ସମେତ, ବଳଦେବଜୀଉ କଲୋନୀ, ସ୍ପଞ୍ଜ କଲୋନୀ, ବ୍ୟାଙ୍କ କଲୋନୀରେ ବି ଏଭଳି ସମସ୍ୟା ଦେଖା ଦେଇଥାଏ । ଏହାର ସମାଧାନ ଲାଗି ବାରମ୍ବାର ଦାବି କଲେ ମଧ୍ୟ ସୁଫଳ ମିଳୁନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ସେପଟେ ମୁଖ୍ୟ ଶାସନ ସଚିବଙ୍କୁ ଏ ବିଷୟରେ ଅବଗତ କରାଯାଇଛି । ଯଥାଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ପୌରାଧ୍ୟକ୍ଷା ।

ସେହିଭଳି ଭଦ୍ରକ ଆଖୁଆପଦାରେ ବୈତରଣୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଙ୍କେତ 17.83 ମିଟର ରହିଥିବା ବେଳେ, ବର୍ତ୍ତମାନ 17.96 ମିଟରରେ ପ୍ରବାହିତ ହେଉଛି ଜଳ । ତେବେ ହଦଗଡ଼ ଡ୍ୟାମର ୩ଟି ଗେଟରୁ ୨୪ଶହ କ୍ୟୁସେକ ପାଣି ଛଡ଼ାଯିବାରୁ ସାଳନ୍ଦୀ ନଦୀରେ ବନ୍ୟା ଜଳ ବୃଦ୍ଧି ପାଇଛି । ସାଳନ୍ଦୀ ନଦୀର ବନ୍ୟା ଜଳ ବୃଦ୍ଧି ଯୋଗୁଁ ଭଦ୍ରକ ଜିଲ୍ଲାର ତଳିଆ ଅଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ରାଜଘାଟ ନିକଟରେ ସାଳନ୍ଦୀ ନଦୀର ବିପଦସଙ୍କେତ 17.02 ଫୁଟ ଥିବା ବେଳେ ବର୍ତ୍ତମାନ 15 ଫୁଟରେ ବନ୍ୟାଜଳ ପ୍ରବାହିତ ହେଉଥିବା ସୂଚନା ଦେଇଛନ୍ତି ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଇକାନ ବେଶ୍ରା ।

ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗତ ଦୁଇ ଦିନ ଧରି ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଲାଗିରହିଛି ବର୍ଷା । ହରଭଙ୍ଗି ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବନ୍ୟା ଜଳ ନିଷ୍କାସନ ପାଇଁ ହରଭଙ୍ଗି ଡ୍ୟାମର ୮ ଗୋଟି ଗେଟ୍ ମଧ୍ୟରୁ ଦୁଇ ଗୋଟି ଗେଟ ଖୋଲା ଯାଇଛି । ଗେଟ୍ ମଧ୍ୟ ଦେଇ ୨୦୭ କ୍ୟୁସେକ୍ ବନ୍ୟା ଜଳ ନିଷ୍କାସନ ହେଉଛି । ଫଳରେ ନଦୀ କୁଳିଆ ଅଞ୍ଚଳରେ ଥିବା ୧୦ ଖଣ୍ଡ ଗାଁକୁ ବନ୍ୟା ଆଶଙ୍କା ଦେଖାଦେଇଛି ।