• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପଶ୍ଚିମା ଝଡ଼ ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ସମେତ ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା । ଦୀର୍ଘ ଦିନର ଗ୍ରୀଷ୍ଣ ପ୍ରବାହ ପରେ ଆଜି ଥଣ୍ଡା ପଡ଼ିଛି ଉତ୍ତର ଓଡ଼ିଶାର ବାଲେଶ୍ୱର,ମୟୂରଭଞ୍ଜ, ପଶ୍ଚିମ ଓଡ଼ିଶାର ବଲାଙ୍ଗିର, ସମ୍ବଲପୁରର ଓ ଦକ୍ଷିଣ ଓଡ଼ିଶାର ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନ । ଏସବୁ ଜିଲ୍ଲାର ସ୍ଥାନେ ସ୍ଥାନେ ଆଜି ପବନ ଓ ଘଡ଼ଘଡ଼ି ସହ ଭଲ ବର୍ଷା ହୋଇଛି।

ବାଲେଶ୍ୱର ସହରରେ ଆଜି ଆକାଶରେ ହଠାତ୍‌ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ କିଛି ସମୟ ଧରି ବର୍ଷା ଲାଗି ରହିଥିଲା । ପବନ ଓ ଘଡ଼ଘଡ଼ି ସାଙ୍ଗକୁ କୁଆପଥର ବର୍ଷା ବି ହୋଇଥିଲା । ସେହିଭଳି ନୀଳଗିରିରେ ମଧ୍ୟ ମୂଷଳ ଧାରାରେ ଘଣ୍ଟାଏ ଧରି ବର୍ଷା ଛେଚିଥିଲା । ଏହି ସମୟରେ ବଜ୍ରାଘାତରେ ନୀଳଗିରି ଅଯୋଧ୍ୟା ପଞ୍ଚାୟତ ପ୍ରତାପପୁର ଗାଁରେ ଏକ ଭଙ୍ଗାଘରେ ଆଶ୍ରୟ ନେଇଥିବା ୧୩ଟି ଗୋରୁ ପ୍ରାଣ ହରଇଛନ୍ତି ।

ଘର ଭିତରେ ୨୫ରୁ ଅଧିକ ଗୋରୁଗାଈ ଥିବା ବେଳେ ସେ ଭିତରୁ ୧୩ଟି ଗୋରୁଙ୍କ ମୃତ୍ୟୁ ଘଟିଛି ।ସେପଟେ ରାୟଗଡ଼ାରେ ବର୍ଷା ସାଙ୍ଗକୁ ଝଡତୋଫାନ ଦେଖିବାକୁ ମିଳିଥିଲା । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ପ୍ରବଳ କୁଆପଥର ବର୍ଷା ହୋଇଛି । ଏଠାରେ ରାସ୍ତା ଓ ସମତଳ ଭୂମିରେ ପଡ଼ିଥିବା କୁଆପଥର କାଶ୍ମୀରରେ ବରଫ ଝଡ଼ର ଭ୍ରମ ସୃଷ୍ଟି କରିଛି ।

ସେପଟେ ଝଡତୋଫାନରେ କିଛି ଆଜବେଷ୍ଟସ ଘର ଛାଉଣୀ ଉଡିବା ସହ ଦୁଇ ଜଣ ମହିଳା ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ସେମାନଙ୍କୁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେପଟେ ଆସନ୍ତାକାଲି ପାଇଁ ରାଜ୍ୟର ୧୭ଟି ଜିଲ୍ଲାକୁ ବର୍ଷା ଓ ଘଡ଼ଘଡ଼ି ନେଇ ୟେଲ୍ଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।