• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କିଛି ଜାଗାରେ କୋହଲା ପାଗ ଯୋଗୁଁ ତାତିରେ ସାମାନ୍ୟ ବ୍ରେକ୍ । ଗତ କିଛି ଦିନ ଭଳି ଆଜି ବି ସୋନପୁର ସର୍ବାଧିକ ଉତ୍ତପ୍ତ ସହର । ସୁନ୍ଦରଗଡ଼ ଏବଂ ସୋନପୁରର ସର୍ବୋଚ୍ଚ ତାପମାତ୍ରା ୪୨.୫ ଡିଗ୍ରୀ । ଆଜି ରାଜ୍ୟରେ ୧୦ଟି ସହରର ତାପମାତ୍ରା ୪୦ ଉପରେ । ବଲାଙ୍ଗିର ଓ ଟିଟିଲାଗଡ଼ରେ ୪୨.୨, ଭବାନୀପାଟଣାରେ ୪୧.୨ ଡିଗ୍ରୀ । ବରଗଡ଼ ଓ ନୂଆପଡ଼ାରେ ୪୧, ଝାରସୁଗୁଡ଼ାରେ ୪୦.୮ ଡିଗ୍ରୀ । ସେହିଭଳି ସମ୍ବଲପୁର ୪୦.୮ ଏବଂ ଅନୁଗୁଳରେ ତାପମାତ୍ରା ୪୦.୧ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱରରେ ୩୬.୮ ଏବଂ କଟକରେ ତାପମାତ୍ରା ୩୫.୬ ଡିଗ୍ରୀ ରହିଛି ।

ଉତ୍ତରପୂର୍ବ ମଧ୍ୟପ୍ରଦେଶ ଓ ସମୀବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ । ଏନେଇ କେନ୍ଦ୍ରୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ମଧ୍ୟମ ଧରଣର ଝଡ଼ବର୍ଷା ସମ୍ଭାବନା ରହିଛି ।

ଘଡ଼ଘଡ଼ି ସହ ଝଡ଼ବର୍ଷା ନେଇ ରାଜ୍ୟର ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲାରେ ବର୍ଷା ସମ୍ଭାବନା । ସେହିଭଳି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ବର୍ଷା ସମ୍ଭାବନା । ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା ଥିବାରୁ ଚାଷୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ସେପଟେ ଏବେ ତାତିରେ ଆଉଟୁପାଉଟୁ ସାରା ରାଜ୍ୟ । ଗତକାଲି ୧୯ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା । ସେହିପରି ୬ଟି ସ୍ଥାନରେ ଦିନ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଥିଲା । 

ଚଳିତ ବର୍ଷ ତାପମାତ୍ରାରେ ସୋନପୁର ସହର ରେକର୍ଡ କରିବା ସହ ଗତକାଲି ୪୪.୫ ଡିଗ୍ରୀ ସର୍ବୋଚ୍ଚ ତାପମାତ୍ରା ସେଠାରେ ଥିଲା । ତାପଛକୁ ବଲାଙ୍ଗିରରେ ତାପମାତ୍ରା ଥିଲା ୪୪ ଡିଗ୍ରୀ ସେଲସିୟସ ରହିଥିଲା ।