• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଫେବ୍ରୁଆରୀ ନସରୁଣୁ କଲବଲ କଲାଣି ଖରା । ସବୁ ଜିଲ୍ଲାରେ ପାରଦ ୩୦ ପାର୍ । ୧୫ଟି ସ୍ଥାନରେ ୩୫ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିଛି ତାପମାତ୍ରା। 36.4 ଡିଗ୍ରୀ ସହିତ ଆଜି ବି ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ରହିଛି । ପାଣିପାଗ ବିଭାଗର ଆକଳନ ଚଳିତ ମାସରେ ଦିନ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବଢ଼ିବ । ସେପଟେ ଗରମ ବଢୁଥିବାରୁ ସମ୍ଭାବ୍ୟ ଅଂଶୁଘାତ ସ୍ଥିତିର ମୁକାବିଲା ପାଇଁ ସଜବାଜ ହେଲାଣି ସ୍ୱାସ୍ଥ୍ୟ ବିଭାଗ ।

ଉପକୂଳରୁ ଉପାନ୍ତ । ଅନେକ ସ୍ଥାନରେ ୩୫ ଡିଗ୍ରୀ ପାର୍ କଲାଣି ପାରଦ । ମାଘରେ ବାଘ ଜାଡ଼ ବଦଳରେ ବହୁଛି ତତଲା ପବନ । ସିଝୁଛି ସାରା ଓଡ଼ିଶା । ରାଜ୍ୟର ୩୦ ଜିଲ୍ଲାରେ ୩୦ ଡିଗ୍ରୀ ଡେଇଁଲାଣି ତାପମାତ୍ରା । ଏବେଠୁ ଆଉଟୁ ପାଉଟୁ ହେଲେଣି ଲୋକେ । ରାଜଧାନୀ ଭୁବନେଶ୍ୱର ସମେତ ବୌଦ୍ଧ, ଝାରସୁଗୁଡ଼ା, ଭବାନୀପାଟଣା ଆଦି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଟପିଲାଣି । ଗତକାଲି ୩୭ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିବା ବେଳେ ଆଜି ଏଠାକାର ସର୍ବୋଚ୍ଚ ତାପମାତ୍ରା ରହିଛି ୩୬.୪ ଡିଗ୍ରୀ ସେଲସିୟସ୍ ।

ପାଣିପାଗ ବିଭାଗ ଆକଳନ କରିଛି, ଆସନ୍ତା ଦୁଇ ଦିନରେ ପାରଦ ଆଉ ୩ ଡିଗ୍ରୀ ବଢ଼ିପାରେ । ଅର୍ଥାତ୍ ମାଘରେ ଖରା ୪୦ ଡିଗ୍ରୀ ଛୁଇଁବ । ତେବେ ୨୩ ତାରିଖ ପରେ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟବାସୀଙ୍କୁ ତାତିରୁ ସାମାନ୍ୟ ଆଶ୍ୱସ୍ତ ମିଳିବ ବୋଲି ଆକଳନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।

ଏପଟେ ପାଣିପାଗ ବିଶେଷଜ୍ଞଙ୍କ ମତ, ଫେବ୍ରୁଆରୀରେ ଏଭଳି ତାତି ରାଜ୍ୟରେ ନୂଆ ନୁହେଁ । ଏହାପୂର୍ବରୁ ୨୦୧୬ରେ ଭୁବନେଶ୍ୱରରେ ଫେବ୍ରୁଆରୀ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିଲା । ସେହିପରି ଗତବର୍ଷ ଆଜିର ଦିନରେ ତାମପାତ୍ରା ୩୮ ଡିଗ୍ରୀ ରହିଥିବା ବେଳେ ୨୦୧୯ ଫେବ୍ରୁଆରୀ ୨୩ରେ ରହିଥିଲା ୩୯.୪ ଡିଗ୍ରୀ ସେଲସିୟସ ।

ସେପଟେ ଜଳବାୟୁ ପରିବର୍ତ୍ତନ କାରଣରୁ ଶୀତ ଋତୁରେ ବି ଅଂଶୁଘାତ ଆଶଙ୍କାକୁ ଏଡ଼ାଇ ପାରିନି ସ୍ୱାସ୍ଥ୍ୟ ବିଭାଗ । ଏଥିପାଇଁ ସବୁ ଜିଲ୍ଲାକୁ ଆଗୁଆ ଜାରି ହୋଇଛି ଷ୍ଟାଣ୍ଡାର୍ଡ ଆଡଭାଇଜରି ଓ ଏସ୍ଓପି । ଏଥିରେ ଲୋକଙ୍କୁ ଅଂଶୁଘାତ ନେଇ ସତର୍କ କରାଇବା ସହ ହସ୍ପିଟାଲରେ ଡେଡିକେଟେଡ୍ ବେଡ୍, ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏମିତିକି ନିୟମିତ ଭାବେ ଅଂଶୁଘାତ ସଂପର୍କିତ ତଥ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଦେବାକୁ କୁହାଯାଇଛି । ପାରଦ ୪୦ ଡିଗ୍ରୀ ଛୁଇଁଲେ, ନିୟମାବଳିକୁ କଡ଼ାକଡ଼ି ପାଳନ ପାଇଁ ଜିଲ୍ଲାଗୁଡ଼ିକୁ ପୁଣିଥରେ ରିମାଇଣ୍ଡର ଦିଆଯିବ । ବରିଷ୍ଠ ନାଗରିକ, ମଦ୍ୟପ ଓ ବହୁବିଧ ରୋଗୀଙ୍କୁ ଅଂଶୁଘାତର ଆଶଙ୍କା ଅଧିକ ଥିବାରୁ ସେମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

  • Reported by:
  • KAPILENDRA PRADHAN , ARACHANA SATPATHY , DEEPAK KUMAR ADAR