• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ତତଲା କଡ଼େଇରେ ସିଝୁଛି ସାରା ଓଡ଼ିଶା । ଗୁଳୁଗୁଳିରେ ଦହଗଞ୍ଜ କରୁଛି, ଟାଣ ଖରାରେ ମୁଣ୍ଡ ଘୁରାଇ ଦେଉଛି । ଖାଲି ସେତିକି ନୁହେଁ, ଗତକାଲି ଗୋଟିଏ ଦିନରେ ୮ଜଣ ଅଂଶୁଘାତର ଶିକାର ହୋଇଛନ୍ତି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଖରାରେ କ୍ରିକେଟ୍, ହକି ଓ ଫୁଟବଲ ଭଳି ଖେଳ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଏପଟେ ପାଣିପାଗ ବିଭାଗ ଆକଳନ କରିଛି, କାଳବୈଶାଖୀ ବର୍ଷା ଯୋଗୁ ଆଗାମୀ ଦୁଇ ଦିନ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ ।

ଆଜି ରାଜ୍ୟର ୪ ସହରରେ ୪୩ ଡିଗ୍ରୀ ଛୁଇଁଛି ପାରଦ । ୪୩.୫ ଡିଗ୍ରୀ ତାପମାତ୍ରା ସହ ଅନୁଗୁଳ ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ, ମାଲକାନଗିରିରେ ୪୩.୨ ଏବଂ ଟିଟଲାଗଡ଼ ଓ ବୌଦ୍ଧରେ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଆଜି ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୨୨ ସହରର ତାପମାତ୍ରା। କଟକରେ ୪୦.୧ ଓ ଭୁବନେଶ୍ବର ତାପମାତ୍ରା ୩୯.୬ ଡିଗ୍ରୀ ରେକର୍ଡ ହୋଇଛି ।

ତଣ୍ଟି ଶୁଖିଯାଉଛି । ଅଟକି ଯାଉଛି ଗତି। ପ୍ରଚଣ୍ଡ ରୌଦ୍ର୍ୟ ତାପରୁ ଶରୀରକୁ ଟିକେ ଥଣ୍ଡା କରିବାକୁ କିଏ ତରଭୁଜ ଖାଇଲାଣି ତ’ ଆଉ କିଏ ଲସି ନହେଲେ ଆଖୁରସ ପିଇଲାଣି । ରାଜଧାନୀ ଭୁବନେଶ୍ବର ହେଉ କି ସମ୍ବଲପୁର, ଅଥବା ଉପାନ୍ତ ମାଲକାନଗିରି । ଖରାରୁ ମୁକ୍ତି ପାଇଁ ଏସବୁ ଦୋକାନରେ ଜମୁଛି ଲୋକଙ୍କ ଭିଡ଼ । ଦୁଇ ଦିନ ହେଲା ଅସହ୍ୟ ତାତି । ୪୩.୫ ଡିଗ୍ରୀ ତାପମାତ୍ରା ସହ ଗତକାଲି ଦେଶର ଦ୍ବିତୀୟ ଉତ୍ତପ୍ତ ସହର ପାଲଟିଥିଲା ଭୁବନେଶ୍ବର । ରାଜ୍ୟର ୨୫ ସହରରେ ପାରଦ ୪୦ ଡିଗ୍ରୀ ପାର୍ କରିଥିଲା ବେଳେ ୧୦ ସହରରେ ତାପମାତ୍ରା ୪୨ ଡିଗ୍ରୀ ଡେଇଁଥିଲା ।

ଗତକାଲି ତୁଳନାରେ ଆଜି ତାପମାତ୍ରା ସାମାନ୍ୟ କମିଥିଲେ ବି ଗୁଳୁଗୁଳି ଓ ଗ୍ରୀଷ୍ମ ପ୍ରବାହରୁ ମିଳୁନି ତ୍ରାହି। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଚଳିତ ବର୍ଷ ପ୍ରଥମ ଥର ଲାଗି ଗତକାଲି ରାଜ୍ୟର ୮ ଜଣ ଲୋକ ଅଂଶୁଘାତର ଶିକାର ହୋଇଛନ୍ତି। ଅନୁଗୁଳରୁ ସର୍ବାଧିକ ୫ ଜଣଙ୍କ ସମେତ ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଭୁବନେଶ୍ବରରୁ ଜଣେ ଲେଖାଏଁ ଅଂଶୁଘାତର ଶିକାର ହୋଇଛନ୍ତି।  

ଅଂଶୁଘାତ ରୋକିବା ଲାଗି ଗତକାଲି ଶ୍ରମିକଙ୍କ କାର୍ଯ୍ୟ ସମୟ ସଙ୍କୁଚିତ କରାଯାଇଥିବା ବେଳେ ଆଜି ଆଉଟ୍ ଡୋର୍ ଖେଳ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଦିନ ସମୟରେ କ୍ରିକେଟ୍, ହକି, ଫୁଟବଲ ଆଦି ଖେଳ ଯେପରି ନହୁଏ, ତା’ ଉପରେ ନଜର ରଖିବାକୁ କ୍ରୀଡ଼ା ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି SRC । ଦିନ ୧୧ଟାରୁ ଅପରାହ୍ଣ ୩ଟା ଯାଏଁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ତେବେ ଆଗାମୀ ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଖରାରୁ ଆଶ୍ବସ୍ତି ମିଳିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି, ରବିବାର ଓ ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀଜନିତ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଘଡ଼ିଘଡ଼ିଜନିତ ବର୍ଷା ସହ କୁଆପଥର ମାଡ଼ ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର ।