ପ୍ରଚଣ୍ଡ ତାତି ! କଲବଲ ହେଲାଣି ଓଡ଼ିଶା, ଝାରସୁଗୁଡ଼ା-ବାରିପଦାରେ ୪୦ ଡିଗ୍ରୀ

ଭୁବନେଶ୍ୱର ଓ ସମ୍ବଲପୁରରେ ବି ଅସମ୍ଭାଳ ସ୍ଥିତି । ୧୬ ଯାଏଁ ଅଗ୍ନିବର୍ଷାରୁ ନିସ୍ତାର ନାହିଁ କହିଲା ପାଣିପାଗ ବିଭାଗ ।

Heat Wave

ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଥର ଲାଗି ୪୦ ଡିଗ୍ରୀ ଟପିଲା ପାରା । ଆଜି ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରୀ ରହିଥିବା ବେଳେ ବାରିପଦାରେ ବି ପାରା ୪୦ ଛୁଇଁଛି । ରାଜଧାନୀ ଭୁବନେଶ୍ୱରସମ୍ବଲପୁର ରେ ମଧ୍ୟ ଏହା ପାଖାପାଖି ରହିଛି ତାପମାତ୍ରା । ଆସନ୍ତା ୧୬ ତାରିଖ ଯାଏ ଅଗ୍ନିବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ। ପ୍ରଚଣ୍ଡ ଖରାକୁ ଦେଖି ସତର୍କ ରହିବାକୁ କୁହାଯାଇଛି ।

ଧୁ ଧୁ ଖରା.. ଅସ୍ତବ୍ୟସ୍ତ ରାଜ୍ୟବାସୀ । କିଛି ଦିନ ଅନ୍ତରାଳରେ ଲୋକଙ୍କୁ ପୁଣି ଅଣନିଶ୍ୱାସୀ କରିଛି ଗ୍ରୀଷ୍ମ ପ୍ରକୋପ । ମାର୍ଚ୍ଚରୁ ଏପ୍ରିଲର ପ୍ରଥମ ସପ୍ତାହ ଯାଏଁ ପଶ୍ଚିମାଝଡ଼ ଏବଂ କାଳ ବୈଶାଖୀ ପ୍ରଭାବରେ ଖରାର ପ୍ରଭାବ ସେତେଟା ଅନୁଭୂତ ହୋଇନଥିଲା । ତେବେ ଆଜି ରାଜ୍ୟର ଅଧିକାଂଶ ଅଞ୍ଚଳରେ ବଦଳିଛି ପାଗର ମିଜାଜ୍ । ରାଜଧାନୀ ଭୁବନେଶ୍ୱରରେ ସକାଳ ସାଢେ ୮ ସୁଦ୍ଧା ପାରା ୩୧ ଡିଗ୍ରୀ ଅତିକ୍ରମ କରିସାରିଥିଲା । ଦିନ ୧୧ଟା ୩୦ ବେଳକୁ ୩୭.୨ ଡିଗ୍ରୀ ଓ ୨ଟା ୩୦ ସୁଦ୍ଧା ୩୯ ଡିଗ୍ରୀ ଛୁଇଁଥିଲା । ତେବେ ଆଜି ରେକର୍ଡ ତାତି ଅନୁଭୂତ ହୋଇଛି ଝାରସୁଗୁଡ଼ା ଓ ବାରିପଦାରେ ।

ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଥର ପାଇଁ ଝାରସୁଗୁଡ଼ାରେ ୪୦ ଡିଗ୍ରୀ ପାର କରିଛି ପାରଦ । ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରୀ ରହିଥିବା ବେଳେ ବାରିପଦାରେ ରହିଛି ୪୦ ଡିଗ୍ରୀ । ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଏଭଳି ଖରାରେ ପାଖାପାଖି ୬ ଦିନ ଶିଝିବ ରାଜ୍ୟ । ରାଜ୍ୟର ବିଭିନ୍ନ ସ୍ଥାନ ବିଶେଷ ଭାବେ ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ସମେତ ଉପକୂଳ ଜିଲ୍ଲାଗୁଡିକରେ ତାପମାତ୍ରା ବୃଦ୍ଧି ଘଟିବ ।

ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁସାରେ ସାଧାରଣତଃ ଏପ୍ରିଲ ଦ୍ୱିତୀୟ ସପ୍ତାହରେ ତାପମାତ୍ରା ସ୍ୱାଭାବିକ ରହିଥାଏ । ଗତବର୍ଷ ଏପ୍ରିଲ ଶେଷ ତାରିଖରେ ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୫.୫ ଡିଗ୍ରୀ ରେକର୍ଡ ହୋଇଥିଲା । ଏଥର ବି ଉତ୍ତର- ଉତ୍ତର ପଶ୍ଚିମ ଦିଗରୁ ବହୁଥିବା ଶୁଷ୍କ ବାୟୁ ପ୍ରଭାବରେ ତାପମାତ୍ରା ଆହୁରି ବଢ଼ିବ ବୋଲି ଆକଳନ କରିଛନ୍ତି ବିଶେଷଜ୍ଞ । ଅନ୍ୟପଟେ ଦିନ ସମୟରେ ସ୍ଥଳଭାଗକୁ ସାମୁଦ୍ରିକ ବାୟୁ ପ୍ରବାହ କମିଥିବାରୁ ତାପମାତ୍ରା ବଢୁଥିବା କହିଛନ୍ତି ବରିଷ୍ଠ ପାଣିପାଗ ବିଜ୍ଞାନୀ ।