• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦୁଇ ଦିନ ହେଲାଣି ନନଷ୍ଟପ୍ ବର୍ଷାରେ ବେହାଲ୍ ସାରା ବୌଦ୍ଧ ଜିଲ୍ଲା । ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ବୌଦ୍ଧରେ ହୋଇଛି ରାଜ୍ୟର ସର୍ବାଧିକ ୩୯୦.୬ ମିଲିମିଟର ବର୍ଷା । କଣ୍ଟାମାଳ ବ୍ଲକ ମନମୁଣ୍ଡା-ସିନ୍ଧୁଗୋରା ୪୧ନମ୍ବର ରାଜ୍ୟ ରାଜପଥ ବୁଡ଼ିଛି । ଘଣ୍ଟାପଡା ପଞ୍ଚାୟତ କେନ୍ଦୁପତ୍ର ବିଭାଗ କାର୍ଯ୍ୟାଳୟ ଛକରୁ ରେକଡୋଲ ଯାଇଥିବା ରାସ୍ତା ଉପରେ ୪ଫୁଟ ପାଣି ଚାଲୁଛି । ଏହି ରାସ୍ତା ଦେଇ ପ୍ରବାହିତ ହେଉଥିବା ସମଲେଶ୍ୱରୀ ନାଳ ଫୁଲିବାରୁ ଏଭଳି ଅବସ୍ଥା । ଘଣ୍ଟାପଡା-କୁଲୁତାଜୋର ଅଞ୍ଚଳକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି l

ସେପଟେ କୁରୁମୁଣ୍ଡା ନାଳ ଉପରେ ପାଞ୍ଚ ଫୁଟ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ମନମୁଣ୍ଡା-ଶଗଡା ମଧ୍ୟରେ ଯୋଗାଯୋଗ ବି ଠପ୍ ହୋଇଛି । ବୌଦ୍ଧ ଜିଲ୍ଲାର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । ସହରର ତଳିଆ ଅଞ୍ଚଳରେ ବର୍ଷା ପାଣି ଲୋକଙ୍କ ଘରେ ପଶି ଜୀବନ ଅସ୍ତବ୍ୟସ୍ତ କରିଛି । ଆଜି ପାଇଁ ପୁଣି ପାଣିପାଗ ବିଭାଗ ଏହି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଥିବାରୁ ଚିନ୍ତା ବଢିଛି ।

ସେପଟେ ସୁବର୍ଣ୍ଣପୁର ଜିଲ୍ଲାର ହାଲ୍ ବି ପୁରା ବେହାଲ୍ । ବୀରମହାରାଜପୁର ଅଞ୍ଚଳରେ ବନ୍ୟା ପରିସ୍ଥିତି । ହରିହର ଯୋର ଡ୍ୟାମରୁ ବନ୍ୟାଜଳ ନିଷ୍କାସନ ପରେ ବନ୍ଧ ତଳେ ଥିବା ଅନେକ ଗାଁ ଏବେ ପାଣି ଘେରକୁ ଆସିଛି । ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୧୪୭ ଫୁଟ୍ ରହିଥିବାବେଳ ସମାନ ସ୍ତରକୁ ପାଣି ଛୁଇଁବାରୁ ଏବେ ମୋଟ୍ ୯ଟି ଗେଟ୍‌ରୁ ୬ଟି ଖୋଲା ରହିଛି ।

ଡ୍ୟାମ୍ ତଳେ ଥିବା ମସିନାପାଲି, ବ୍ରାହ୍ମଣୀପାଲି, ବରଘାଟ ଏବଂ କୃଷ୍ଣପାଲି ଗାଁ ଜଳବନ୍ଦୀ ହୋଇଛି l ତେଣେ ଘୁଙ୍ଗି ଯୋର ଉପରେ ୫ଫୁଟ୍ ଉଚ୍ଚର ବନ୍ୟା ପାଣି ଚାଲୁବାରୁ ବୀରମହାରାଜପୁରରୁ ଆମରପାଲି ରାସ୍ତାଦେଇ ଲୁଟୁରପଙ୍କ, ବହଳପଦର ଏବଂ ଦୁର୍ଜନତଇଲା ପଞ୍ଚାୟତ ସମେତ ସମ୍ବଲପୁରକୁ ଯୋଗାଯୋଗ ‍ବିଚ୍ଛିନ୍ନ ରହିଛି l ଆଜି ବି ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ରେଡ୍ ୱାର୍ଣ୍ଣିଂ ତାଲିକାରେ ଏହି ଜିଲ୍ଲା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ବର୍ଷା କୋପ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାକୁ ପଡିଛି । ପ୍ରବଳ ବର୍ଷାରେ କଳାହାଣ୍ଡି ଜୟପାଟଣା ବିମଳା ଗାଁରେ ଅଘଟଣ ଘଟିଛି । ଘର ପାଖରେ ଖେଳୁଥିବାବେଳେ କାନ୍ଥ ଭୁଶୁଡ଼ିବାରୁ ୫ ପିଲାଙ୍କ ସହ ୬ ଜଣ ଆହତ ହୋଇଛନ୍ତି । ଜଣେ ଗୁରୁତରଙ୍କୁ ଭବାନୀପାଟଣା ସ୍ଥାନାନ୍ତର କରାଯାଇଛି । ସେପଟେ ନୂଆପଡା ଜିଲ୍ଲାରେ ବି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । କୋମନା ବ୍ଲକ ପଏର ଗାଁର ଜଣେଙ୍କ ଘର ଭାଙ୍ଗି ଥିବାବେଳେ ଗଛପଡ଼ି ନୂଆପଡା ବ୍ଲକ ସାରାବଙ୍ଗ-ଧରମବନ୍ଧା ରାସ୍ତା ଅବରୋଧ ହୋଇଥିଲା ।

ସେମିତି ରାୟଗଡ଼ା ଜିଲ୍ଲାର ଛୋଟ ବଡ଼ ଅଧିକାଂଶ ନଈ ଫୁଲିବାରେ ଲାଗିଛି । କଲ୍ୟାଣସିଂହପୁର ଶିବ ମନ୍ଦିର ନିକଟ ନାଗାବଳୀ ନଈ ପୋଲର ଆପ୍ରୋଚ ରୋଡ ଦବି ଯାଇଛି । ଫଳରେ ସେଠାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ବଂଶଧାରା, ନାଗାବଳୀ, କଲ୍ୟାଣୀ ଓ ଝଂଜାବତି ନଦୀରେ ଜଳସ୍ତର ବଢୁଥିବାରୁ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ିଛି ।

ଯେହେତୁ ପାଣିପାଗ ବିଭାଗ ଆଗାମୀ ୨୪ ଘଣ୍ଟା ପାଇଁ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ଅନୁମାନ କରିଛି, ତେଣୁ ସବୁଠି ସ୍ଥିତି ଉପରେ ପ୍ରଶାସନ ନଜର ରଖିଛି ।