• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଖୋଲିବ ୪୦ ଗେଟ୍ । ହୀରାକୁଦର ୪୦ ଗେଟ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି । ବର୍ଷା ଓ ପାଣିର ସ୍ଥିତି ଦେଖି ନିଷ୍ପତ୍ତି ହେଉଥିବା କହିଛନ୍ତି ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ସେ ଆହୁରି କହିଛନ୍ତି ସ୍ଥିତି ଦେଖି, ଟେକ୍ନିକାଲ କମିଟି ସହ କଥା ହୋଇ ନିଷ୍ପତ୍ତି ନିଆଯାଇଛି । ବନ୍ୟା ନିୟନ୍ତ୍ରଣ କରିବାକୁ ଜଳ ଭଣ୍ଡାର ନିର୍ମାଣ କରାଯାଇଥାଏ । ବନ୍ୟା ନିୟନ୍ତ୍ରଣ ପାଇଁ ଟେକ୍ନିକାଲ କମିଟି ନିଷ୍ପତ୍ତି ଅନୁସାରେ କାର୍ଯ୍ୟ କରାଯାଉଛି । ୪୦ ଗେଟ୍ ଖୋଲିବା ନିଷ୍ପତ୍ତିରେ ଛତିଶଗଡ଼ର କିଛି ଭୂମିକା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।

ଅନ୍ୟପଟେ ଫୁଲୁଛି ହୀରାକୁଦ ଡ୍ୟାମ୍ । ଦିନ ୧୨ଟା ସୁଦ୍ଧା ୬୨୬.୦୮ ଫୁଟ୍ ଟପିସାରିଛି ଜଳସ୍ତର । ହୀରାକୁଦରେ ପ୍ରବେଶ କରୁଛି ୭ ଲକ୍ଷ ୮୮ ହଜାର ୬୫୨ କ୍ୟୁସେକ୍ ଜଳ । ନିଷ୍କାସିତ ହେଉଛି ୪ ଲକ୍ଷ ୪୫ ହଜାର ୫୮୯ କ୍ୟୁସେକ୍ ଜଳ । ବର୍ତ୍ତମାନ ୩୧ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି । ସମୟାନୁକ୍ରମେ ଆଜି ୪୦ଟି ଗେଟ୍‌ ଖୋଲି ଜଳ ନିଷ୍କାସନ କରାଯିବ । ତେବେ ହୀରାକୁଦ ଡ୍ୟାମ୍‌ର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ ବୋଲି କୁହାଯାଇଛି ।

ସେହିଭଳି ନିଆଳି ଭାର୍ଗବୀ ନଦୀର ଅଚ୍ୟୁତପୁର କାଜ ଦେଇ ପଶିଲା ପାଣି । ଭାର୍ଗବୀ ନଦୀର ପାଣି ପଶି ବାଲିପାଟଣା ଓ ବାଲିଅନ୍ତାର ୪୦ ଗାଁ ଜଳମଗ୍ନ । ବିଭିନ୍ନ ସ୍ଥାନରେ ବିପଦ ସଂକେତ ଉପରେ ବହୁଛି ଦେବୀ ନଦୀ । ଦଳେଇ ଘାଇ ଠାରେ ଦେବୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ବିପଦ ସଂକେତ ୫୭ ଫୁଟ୍ ରହିଥିବା ବେଳେ ଏବେ ଜଳସ୍ତର ୫୯.୩୦ ଫୁଟ୍ ରହିଛି । ସେହିଭଳି ମାଛଗାଁରେ ବିପଦ ସଙ୍କେତ ୧୩ ଫୁଟ୍ ରହିଥିବା ବେଳେ ଏବେ ୧୫.୨୦ ଫୁଟ୍ ଉପରେ ରହିଛି ଜଳସ୍ତର । ବାଉରିଆକଣରେ ବିପଦ ସଂକେତ ୪.୯୩ ମିଟର ରହିଥିବା ବେଳେ ଏବେ ଜଳସ୍ତର ୫.୮୦ ମିଟର ରହିଛି ।

ତେବେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଏବେ ଆଉ ଏକ ଲଘୁଚାପ ସମସ୍ତଙ୍କୁ ଭୟଭୀତ କରାଇଛି । ଆଗାମୀ ୧୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ୧୮ରୁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ତେଣୁ ୧୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଜଗତସିଂହପୁର, କଟକ, ପୁରୀ, ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା ଓ ଢେଙ୍କାନାଳକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ ୧୯ ଓ ୨୦ ତାରିଖରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।