• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ତତଲା କଡେଇରେ ଭାଜି ହେଲା ଭଳି ସାରା ରାଜ୍ୟ । ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ପାଇଁ ଆଜି କଟକ ସହରକୁ ରେଡ ଆଲର୍ଟ ଜାରି କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱର ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏପଟେ ଆଜି ଦିନ ସାଢ଼େ ୧୧ରେ ୪୧ ଡିଗ୍ରୀ ଟପିଯାଇଛି ତାପମାତ୍ରା । ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ବାଲେଶ୍ୱରରେ ସର୍ବାଧିକ ତାପମାତ୍ରା ୪୧.୪ ଡିଗ୍ରୀ ରେକର୍ଡ କରାଯାଇଛି ।

ସେହିପରି କେନ୍ଦୁଝର ୪୧, ଭୁବନେଶ୍ୱର ୪୦.୪, ଝାରସୁଗୁଡ଼ା ୩୯.୮ ଡିଗ୍ରୀ, ହୀରାକୁଦ ୩୯, ରାଉରକେଲା ୩୯, ସମ୍ବଲପୁରରେ ୩୮.୬ ଡିଗ୍ରୀ ରେକର୍ଡ କରାଯାଇଛି । ଏପଟେ ମେ ୧ ତାରିଖ ପର୍ଯ୍ୟନ୍ତ ପାଗରେ ହେବନି ବିଶେଷ ପରିବର୍ତ୍ତନ । ଜାରି ରହିବ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି । ମେ ୨ ତାରିଖରରୁ ୪ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ରହିବ ସାମୁଦ୍ରିକ ଝଡ଼ର ପ୍ରଭାବ ।

ପ୍ରଭାବରେ ଉପକୂଳରେ ତାପମାତ୍ରା ୨ରୁ ୩ଡିଗ୍ରୀ ଖସିବା ସହ ଆଦ୍ରତା ପ୍ରଭାବରେ ଲାଗି ରହିବ ଗୁଳୁଗୁଳି । ମାତ୍ର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ସେପଟେ ରାଜ୍ୟରେ ଅଂଶୁଘାତରେ ଗଲାଣି ଦୁଇ ଜଣଙ୍କ ଜୀବନ । ଆଜି ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ବାଲେଶ୍ୱର ପରେ ଢେଙ୍କାନାଳରେ ଅଂଶୁଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅଧିକ ପଢ଼ନ୍ତୁ: ରାଜଧାନୀରେ ଖଇଫୁଟୁଛି ତାତି; କାଲିଯାଏ ସିଭିୟର ହିଟୱେଭ୍ ୱାର୍ଣ୍ଣିଂ

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତ ଓ ତାତିଜନିତ ସମସ୍ୟାରେ ୨୫୭ ଜଣ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୬୦ ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇଥିବା ବେଳେ ମୟୂରଭଞ୍ଜରୁ ୪୦ ଜଣ, ଖୋର୍ଦ୍ଧାରୁ ୩୬ ଜଣ ଭର୍ତ୍ତି ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାର ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ମଧ୍ୟରୁ କ୍ୟାପିଟାଲ ହସ୍ପିଟାଲରେ ୧୮ ଜଣ ରହିଛନ୍ତି ।

କିନ୍ତୁ ସେପଟେ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀରୁ ଅଧିକ ତାତିରେ ଲୋକେ ଡହଳ ବିକଳ ହେଉଥିବା ଜାମ୍ମୁ କାଶ୍ମୀରରେ ତୁଷାରପାତର ମଜା ନେଉଛନ୍ତି ଲୋକେ । ଏଥିସହ ପ୍ରବଳ ବର୍ଷା ମଧ୍ୟ ହୋଇଛି । ଫଳରେ ତାପମାତ୍ରା କିଛି ୨୦ ଡିଗ୍ରୀକୁ ଖସିଛି । ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି ।

ଗୁଲମାର୍ଗରେ ପ୍ରବଳ ତୁଷାରପାତ ହୋଇଥିବା ବେଳେ ରାତିର ତାପମାତ୍ରା କମିଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସେଠାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ପୂର୍ବ ଓ ଦକ୍ଷିଣ ଭାରତରେ ପ୍ରବଳ ଖରା ଅନୁଭୁତ ହେଉଥିବା ବେଳେ ଉତ୍ତର ଭାରତରେ ତାପମାତ୍ରା ଭିନ୍ନ ଦେଖିବାକୁ ମିଳିଛି ।