• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗାଁ ଦାଣ୍ଡରେ ପାଣି, ଘର ଭିତରେ ପାଣି । ଚାଳ ଭାସୁଛି, ଚୂଲି ବୁଡ଼ିଛି । ଭୀମକାୟ ମହାନଦୀର ମହାରୂପ ଯେତିକି ଭୟଙ୍କର, ତା କୋପରେ ଜଳ ପ୍ରଳୟର ଯନ୍ତ୍ରଣା ବି ସେତିକି ଅକଥନୀୟ । ଖୋଦ୍ ମହାନଦୀ ହେଉ କି ତାର ଶାଖା ନଦୀ । କରାଳ ବନ୍ୟାରେ ଅବର୍ଣ୍ଣନୀୟ ଦୁର୍ଦ୍ଦଶାର ଜୀବନ୍ତ ଚିତ୍ର ଦେଖିବାକୁ ମିଳିଛି । ତିନି ଦିନ ଭୋକ ଉପାସରେ ଛଟପଟ ହେବା ପରେ କେମିତି ଖୋଲା ଆକାଶ ତଳେ ଘରର ଛାତ ପାଲଟିଛି ଅସ୍ଥାୟୀ ଗୃହ ଓ ରୋଷେଇ ସ୍ଥଳ ।

ମହାନଦୀର ବନ୍ଧ କଡ଼ରେ ଥିବା ବାଙ୍କୀର ଦୁର୍ଦ୍ଦଶା କହିଲେ ନସରେ । କଟକ-ବାଙ୍କୀ ମୁଖ୍ୟ ରାସ୍ତାରେ ଚାଲୁଛି ପାଣି । ପାଥପୁର ଗାଁ ଭିତରେ ଛାତିଏ ଉଚ୍ଚର ବନ୍ୟାଜଳ । ସେମିତି ବିଲିପଡ଼ା ପଞ୍ଚାୟତ ସମ୍ପୂର୍ଣ୍ଣ ପାଣି ଘେରରେ ରହିଥିବା ବେଳେ ଗାଁ ଭିତରକୁ ଯିବା ସମ୍ଭବ ହୋଇନଥିଲା । ଲୋକମାନେ ଆବଶ୍ୟକ ସାମାନପାତ୍ର ଧରି ନିରାପଦ ସ୍ଥାନକୁ ଚାଲି ଯାଉଥିବା ବେଳେ ବହୁ ଲୋକଙ୍କ ଘରର ଛାତ ପାଲଟିଛି ଅସ୍ଥାୟୀ ଆଶ୍ରୟ ସ୍ଥଳ ।

ସେପଟେ ଆଠଗଡ଼ ଉପଖଣ୍ଡରେ ବି ବନ୍ୟା ସ୍ଥିତି ସଂଗୀନ । ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ । ତିଗିରିଆ ପଞ୍ଚାୟତର ୯ ଓ ଉତ୍ତରବାଙ୍କୀ ବ୍ଲକର ୫ଟି ପଞ୍ଚାୟତ ସମ୍ପୂର୍ଣ୍ଣ ଜଳବନ୍ଦୀ ଅବସ୍ଥାରେ । ଗାଁ ଚାରିପାଖେ ଛାତିଏ ଉଚ୍ଚର ବନ୍ୟାପାଣି ସୁଅ କାଟି ଚାଲିଛି । ଘର ବାରଣ୍ଡାରେ ବି ଲହଡ଼ି ଭାଙ୍ଗୁଛି । ପଦାକୁ ଗୋଡ଼ କାଢିବା ଏକରକମ ମୁସ୍କିଲ । ପ୍ରଶାସନିକ ଅଧିକାରୀ ଓ ମନ୍ତ୍ରୀ ଡଙ୍ଗା ଧରି ସ୍ଥିତି ଦେଖୁଛନ୍ତି ।

ତେବେ ହୀରାକୁଦ ଗେଟ୍ ଖୋଲିବା ପରେ ଦୟା ଓ ରାଜୁଆ ନଦୀ ଫୁଲିବା ସହ ଏହାର ବ୍ୟାକ୍ ଓ୍ୱାଟର କଲବଲ କରୁଛି । ଖୋର୍ଦ୍ଧା ବ୍ଲକ୍‌ର ନରଣଗଡ଼ ସହ ଓରବରସିଂ ପଞ୍ଚାୟତରେ ଦେଖିବାକୁ ମିଳିଛି ଏହାର ଚିତ୍ର । ଯାହା କି ଅତ୍ୟନ୍ତ ଚିନ୍ତାଜନକ । ଗାଁ ଭିତରେ ୪ରୁ ୫ଫୁଟ ଉଚ୍ଚର ପାଣି ଚାଲୁଛି । ଜରୁରୀକାଳୀନ ଯାଆସ ପାଇଁ ପ୍ରଶାସନ ପକ୍ଷରୁ ମୋଟର ବୋଟ୍ ଚାଲୁଛି । ୧୦ରୁ ଅଧିକ ଗାଁରେ ଲୋକଙ୍କ ଘରେ ବନ୍ୟା ପାଣି ଢେଉ ଖେଳୁଛି ।

ସେହିପରି ମକରା ଓ ରାଜୁଆ ନଦୀର ବନ୍ୟା ପାଣି ସହ ଏକ ଘାଇ ଯୋଗୁଁ ପୁରୀ ଜିଲ୍ଲା କଣାସ ପଞ୍ଚାୟତରେ ବି ସଂଗୀନ ସ୍ଥିତି । ଗାଁ ଭିତରେ ଚାଲିଛି ୪ ଫୁଟରୁ ଅଧିକ ଉଚ୍ଚର ପାଣି । କଚା ଘରେ ରହୁଥିବା ଲୋକମାନେ ଭୟରେ ଗାଁ ଛାଡ଼ି ନିରାପଦ ସ୍ଥାନକୁ ପଳାଉଛନ୍ତି । ବାଲିପାଟଣା ଓ ବୈଦ୍ୟନାଥପାଟଣା ଗାଁର ସ୍ଥିତି ଅତି ଚିନ୍ତାଜନକ । ଘରେ ଘରେ ପାଣି ପଶିଥିବାରୁ ୨ଦିନ ହେଲାଣି ଲୋକେ ଭୋକ ଉପାସରେ ପଡ଼ିଛନ୍ତି । ଗାଁ ଦାଣ୍ଡ, ସ୍କୁଲ ଓ ମନ୍ଦିର ସବୁଠି ବନ୍ୟା ପାଣିର ସୁଅ ।

ମହାନଦୀର ଶାଖାନଦୀ କରାଣ୍ଡିଆର ବନ୍ୟା ସାଙ୍ଗକୁ ଘାଇ ଯୋଗୁଁ ବଢ଼ିଛି ଦୁର୍ଦ୍ଦଶା । ଆୟତ୍ତପୁର ପଞ୍ଚାୟତର ଲୋକଙ୍କ ଘରେ ବନ୍ୟାଜଳର ସ୍ରୋତ ଦେଖିବାକୁ ମିଳିଛି । ପାଣି ବଢୁଛି ତ ଚିନ୍ତା ବଢୁଛି । ରୋଷେଇ ଘରେ ପାଣି, ଗାଁ ଦାଣ୍ଡରେ ପାଣି । ଛାତିରେ ଛନକା ପଶିଲାଣି । ଲୋକମାନେ ପିଲାଛୁଆଙ୍କୁ ଧରି ହରି ଭରସାରେ ଅଛନ୍ତି । ଢିଅବଳରାମପୁର ଗାଁର ସ୍ଥିତି ଅତ୍ୟନ୍ତ ସଂଗୀନ । ପ୍ରଖର ସ୍ରୋତରେ ବାହି ଚାଲିଛି ବନ୍ୟା ପାଣି ।

ସେପଟେ ମହାନଦୀରେ ୭୦ ଫୁଟର ଘାଇ ହେବା ପରେ ଜଗତସିଂହପୁର ଜିଲ୍ଲାର ଜୟଶଙ୍ଖପୁର, ମାଧପୁର ଓ ତେନ୍ତୁଳିଆଖମାର ଆଦି ଗାଁରେ ବନ୍ୟାପାଣି ପ୍ରବେଶ କରି ଜନଜୀବନକୁ ହୀନସ୍ତା କରିଛି । ପାଣି ବଢୁଛି ତ, ଆସବାବପତ୍ର ଓ ଧାନ ଚାଉଳ ଖଟ ଉପରକୁ ଉଠାଉଛନ୍ତି ଲୋକେ । ଗାଁ ଦାଣ୍ଡ ଓ ଘର ଭିତରେ ବନ୍ୟାପାଣି ଲହଡି ମାରୁଥିବାରୁ ରୋଷେଇବାସ, ଯାଆସ ସବୁ ବନ୍ଦ ।