• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆସନ୍ତା ୩ରୁ ୪ଦିନ ଭିତରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ । ପ୍ରଥମେ ଦକ୍ଷିଣ ଓଡ଼ିଶାକୁ ପ୍ରବେଶ କରିବ । ପରେ ଅନ୍ୟ ଅଞ୍ଚଳକୁ ସ୍ପର୍ଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି ।

ସାଧାରଣତଃ ଜୁନ ଦ୍ୱିତୀୟ ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିଥାଏ । ଚଳିତଥର ନିର୍ଦ୍ଧାରିତ ସମୟ ପୂର୍ବରୁ ଆଣ୍ଡାମାନ ଓ କେରଳ ଛୁଇଁଥିଲା ମନସୁନ୍ । ଅନ୍ୟପଟେ ଚଳିତ ଗ୍ରୀଷ୍ମରେ ବର୍ତ୍ତମାନ ସୁଦ୍ଧା ଅଂଶୁଘାତରେ ଗଲାଣି ୩୬ ଜଣଙ୍କ ଜୀବନ । ଅଭିଯୋଗ ଆସିଥିଲା ୧୫୧ଟି । ତା’ମଧ୍ୟରୁ ୩୬ ଜଣଙ୍କ ମୃତ୍ୟୁ ଅଂଶୁଘାତଜନିତ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଅଧିକ ପଢ଼ନ୍ତୁ: ପ୍ରାଣଘାତୀ ସାଜିଛି ଅଂଶୁଘାତ, ୭୨ ଘଣ୍ଟାରେ ଗଲାଣି ୯୯ ଜୀବନ !

ଅନ୍ୟ ୩୧ ଜଣକ ମୃତ୍ୟୁର କାରଣ ଭିନ୍ନ ଭିନ୍ନ । ବଳକା ୮୪ ଜଣଙ୍କ ମୃତ୍ୟୁର ତଦନ୍ତ ଚାଲିଥିବା SRC ଅଫିସ ପକ୍ଷରୁ ସୂଚନା ଦିଆଯାଇଛି । ଅଂଶୁଘାତଜନିତ ଘଟଣା ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର ଭଳି ଜିଲ୍ଲାରୁ ଅଭିଯୋଗ ଆସିଛି । ଅସ୍ୱାଭାବିକ ଭାବେ ଲୋକଙ୍କ ଜୀବନ ଯାଇଛି । ଏହି ଘଟଣା ପରେ ସତର୍କତା ସୂଚନା ମୂଳକ ଭାବେ ପିକ୍ ସମୟରେ କାମ କରିବାକୁ ବାରଣ କରିଛନ୍ତି SRC ।

ତେବେ କେବଳ ରାଉରକେଲା ସହରରେ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ଅଂଶୁଘାତ ଜନିତ । ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ । ୪ ଜଣଙ୍କର ମୃତଦେହକୁ ସେମାନଙ୍କ ପରିବାର ଲୋକେ ନେଇ ଯାଇଥିବାରୁ ବ୍ୟବଚ୍ଛେଦ ହୋଇପାରିନି । ଅବଶିଷ୍ଟ ସମସ୍ତ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି ।

ରାଉରକେଲା ତହସିଲଦାର ଓ ମେଡିକାଲ ଟିମ୍ ଏନେଇ ତଦନ୍ତ କରୁଛନ୍ତି । ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ଆଉ ରୋଗୀ ସଂଖ୍ୟା ବୃଦ୍ଧି ହୋଇନାହିଁ । ଏସବୁ ଭିତରେ ରାଜ୍ୟବ୍ୟାପୀ ଆସିଥିବା ୧୪୧ଟି ଅଭିଯୋଗ ମଧ୍ୟରୁ ୨୬ ଜଣଙ୍କ ମୃତ୍ୟୁ କେବଳ ଅଂଶୁଘାତଜନିତ ବୋଲି SRCଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ସମ୍ବଲପୁରରେ ଅଂଶୁଘାତରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ୧୮ ଅସ୍ୱାଭାବିକ ମୃତ୍ୟୁ ମଧ୍ୟରୁ ୫ ଅଂଶୁଘାତଜନିତ । ଏହି ସୂଚନା ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ୍ । ୭ ଜଣଙ୍କ ବ୍ୟବଚ୍ଛେଦ ରିପୋର୍ଟରୁ ୫ ଜଣଙ୍କ ମୃତ୍ୟୁ ଅଂଶୁଘାତ ଜନିତ ବୋଲି ଜଣାପଡିଛି । ଅବଶିଷ୍ଟ ୧୧ ଜଣଙ୍କ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ସେପଟେ ଆହୁରି ୨ ଦିନ ଯାଏଁ ପଶ୍ଚିମ ଓଡ଼ିଶାରେ ହିଟୱେଭ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ପାଇଁ ବଲାଙ୍ଗିର, ବରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର ଓ ସମ୍ବଲପୁରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏପଟେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ବିଜୁଳି ଘଡ଼ଘଡ଼ିର ଆଶଙ୍କା ରହିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now