• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜ୍ୟରେ ଗରମ ଗୁଳୁଗୁଳିରୁ ତ୍ରାହି ମିଳୁନି । ଆସନ୍ତା ୨ ଦିନ ଭିତରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ବିଶେଷ କରି ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମଲହରୀ ପ୍ରଭାବ ରହିବ । ଆଜିଠୁ ୧୨ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମଲହରୀ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଅନ୍ୟପଟେ ଓଡ଼ିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ କରିଛି । ମାଲକାନଗିରି ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରିୟ ରହିଛି । ପର୍ଯ୍ୟାୟ କ୍ରମେ ରାଜ୍ୟର ଅନ୍ୟ ଅଞ୍ଚଳରେ ଏହା ସକ୍ରିୟ ହେବ । ସ୍ୱାଭାବିକ ସମୟର ୪ଦିନ ପୂର୍ବରୁ ଆସିଛି ମୌସୁମୀ । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଗତକାଲି ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିଛି । ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରିୟ ରହିଛି । କିଛିଦିନ ମଧ୍ୟରେ ସାରା ଓଡ଼ିଶାକୁ ଏହା ଛୁଇଁବ । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଯାଜପୁର, ମାଲକାନଗିରି, ନୟାଗଡ଼, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡାରେ ବର୍ଷା ହୋଇଛି । ସାଧାରଣତଃ ଜୁନ ଦ୍ୱିତୀୟ ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିଥାଏ। ଚଳିତଥର ନିର୍ଦ୍ଧାରିତ ସମୟ ପୂର୍ବରୁ ଆଣ୍ଡାମାନ ଓ କେରଳ ଛୁଇଁଥିଲା ମନସୁନ୍ ।

ଅନ୍ୟପଟେ ଚଳିତ ଗ୍ରୀଷ୍ମରେ ବର୍ତ୍ତମାନ ସୁଦ୍ଧା ଅଂଶୁଘାତରେ ଗଲାଣି ଅନେକ ଜୀବନ । ଅଭିଯୋଗ ଆସିଥିଲା ୧୫୧ଟି । ସେଥିମଧ୍ୟରୁ ୩୬ ଜଣଙ୍କ ମୃତ୍ୟୁ ଅଂଶୁଘାତଜନିତ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now