Advertisment

ଟାଇଁ ଟାଇଁ ଖରାରେ ସିଝିବ ଏଥର ରଜ ପର୍ବ

ମୌସୁମୀ ଜୁନ୍ ୧୫ ସୁଦ୍ଧା ଓଡ଼ିଶା ଛୁଇଁବନି କହିଲେ IMD ଡିଜି

author-image
Chandan Shishu
ଅଦ୍ୟତନ ହୋଇଛି
undefined

Monsoon arrival likely to be delayed in Odisha IMD DG

ଆଉ ଦିନ ତିନିଟା ପରେ ରଜ। ମୌସୁମୀ ଏତେବେଳକୁ ଓଡ଼ିଶା ଛୁଇଁଯିବା କଥା, ହେଲେ ଆକାଶରୁ ଖସୁଛି ନିଆଁ ଝୁଲ। ଜୁନରେ ତାପମାତ୍ରା ୪୫ ଡିଗ୍ରୀ ପାର୍ ହେଲାଣି। ଜନଜୀବନ ତ୍ରାହି ତ୍ରାହି ଡାକିଲେଣି। ଏପଟେ ଭାରତୀୟ ପାଣିପାଗ ବିଭାଗ କହୁଛି- ଏମିତି ତାତି ଆହୁରି ୩ରୁ ୪ଦିନ ଲାଗି ରହିବ। ୧୫ ପରେ ରାଜ୍ୟରେ ମୌସୁମୀ ବର୍ଷା ହୋଇପାରେ। ସେହିପରି ଆସନ୍ତା ୨୪ ଘଣ୍ଟା ଯାଏଁ ୯ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ବି ଜାରି ହୋଇଛି।

Advertisment

ଜଳାଉଛି ଜୁନ୍। ଉପକୂଳରେ ଡହଳବିକଳ, ପଶ୍ଚିମରେ ପ୍ରଚଣ୍ଡ। ଶୀତଳଷଷ୍ଠୀ ଗଲା, ରଜ ଆସିଲାଣି। ତଥାପି ଥମୁନି ଆକାଶରୁ ନିଆଁ ବର୍ଷା। ଜୁନ୍ ମାସରେ ଗତକାଲି ସୀମା ଡେଇଁଗଲା ସମ୍ବଲପୁର ଓ ଝାରସୁଗୁଡ଼ାରେ ୪୫ ଡିଗ୍ରୀ ଉପରେ ରେକର୍ଡ ପାରଦ। ସୋନପୁର, ବୌଦ୍ଦ ଓ ବଲାଙ୍ଗିରରେ ବି କଲବଲ କରୁଛି ଡହ ଡହ ଖରା। ଦିନ ସାଢ଼େ ୧୧ଟାରେ ବି ୪୨ ଡିଗ୍ରୀ ଅତିକ୍ରମ କରିସାରିଥିଲା ସମ୍ବଲପୁର ଓ ଝାରସୁଗୁଡ଼ାରେ ରୌଦ୍ରତାପ।

ଦିନ ୯ ବାଜିଗଲେ ସବୁଠି ରାଜୁତି କରୁଛି ପ୍ରଚଣ୍ଡ ନିଦାଘର ଅଘୋଷିତ କର୍ଫ୍ୟୁ। ଜଙ୍ଗଲ କ୍ଷୟ ସାଙ୍ଗକୁ ଦୃତ ଶିଳ୍ପାୟନ ପାଇଁ ଜୀବନ ଦୁର୍ବିସହ ହୋଇଥିବା କହୁଛନ୍ତି ଝାରସୁଗୁଡ଼ାବାସୀ। ଶୀଘ୍ର ମୌସୁମୀ ନଆସିଲେ ଅବସ୍ଥା ଅସମ୍ଭାଳ ହୋଇଯିବ ବୋଲି ଆଶଙ୍କା କଲେଣି। ଏଣେ ବିନା ଛତା, କି ଗାମୁଛା ପଦାକୁ ବାହାରି ପାରୁନାହାନ୍ତି ଜନତା। ଦିନ ମଜୁରିଆ ଓ ଖଟିଖିଆ ଲୋକଙ୍କ ଅବସ୍ଥା ଅତି ଦୟନୀୟ। ବୌଦ୍ଦ, ସୋନପୁର ଓ ବଲାଙ୍ଗିର ଭଳି ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଲୋକଙ୍କୁ ଆଦୌ ଘରେ ବି ରଖେଇ ଦେଉନି।

Advertisment

ଏଣେ ଏଥର ଟାଇଁ ଟାଇଁ ଖରାରେ ସିଝିବ ରଜ। ଫିକା ପଡ଼ିଯିବ ରାଜ୍ୟର କୃଷିଭିତ୍ତିକ ଗଣପର୍ବ। ପାଣିପାଗ ବିଭାଗ କହୁଛି, ଆସନ୍ତା ୫ଦିନ ନିଆଁ ବର୍ଷାରୁ ନିସ୍ତାର ନାହିଁ। ଉପକୂଳରେ ଗୁଳୁଗୁଳି ବି କମିବାର ପ୍ରଶ୍ନ ଉଠୁନି। କେତେକ ସ୍ଥାନରେ ପାରଦ ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ। ଏଥିସହ ଆସନ୍ତା ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ବି ଜାରି ହୋଇଛି। ଏସବୁ ଜିଲ୍ଲା ଗୁଡ଼ିକ ହେଲା ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ସୁନ୍ଦରଗଡ଼, ବଲାଙ୍ଗିର, ବୌଦ୍ଧ, ମୟୂରଭଞ୍ଜ ଓ କେନ୍ଦୁଝର। 

ସେପଟେ ଓଟିଭିକୁ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ ଏବର୍ଷ ୧୫ କିମ୍ବା ତା ପରେ ଓଡ଼ିଶା ଛୁଇଁପାରେ ମୌସୁମୀ । କିନ୍ତୁ ନିର୍ଦ୍ଦିଷ୍ଟ କେଉଁ ତାରିଖରେ ସ୍ପର୍ଶ କରିବ ଏଯାଏଁ ସ୍ପଷ୍ଟ ଆକଳନ ହୋଇନି। ଓଡ଼ିଶାକୁ ଜୁନ୍ ୧୨ ସୁଦ୍ଧା ମୌସୁମୀ ଆସିଥାଏ। ହେଲେ ଏଥର ୧୫ କିମ୍ବା ତା ପରେ ବର୍ଷା ହୋଇପାରେ। ଏଥର ଭାରତକୁ ମୌସୁମୀ ୭ ଦିନ ବିଳମ୍ବରେ ପହଞ୍ଚିଛି। ଆଜି ପୂରା କେରଳ ଛୁଇଁଛି, କର୍ଣ୍ଣାଟକ ଓ ତାମିଲନାଡୁରେ ବି ପହଞ୍ଚିଛି। ବାଂଲାଦେଶ-ମିଆଁମାର ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ଅଛି ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ।

ଏଣେ ରାଜ୍ୟରେ ପାରଦ ୪୫ ଡିଗ୍ରୀ ପାର୍ ହେବା ଦେଖି ପୁଣି ବଢ଼ିଛି ଅଂଶୁଘାତ ଭୟ। ମୁକାବିଲା ପାଇଁ କ୍ୟାପିଟାଲ ହସ୍ପିଟାଲରେ ୬ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର ଆଇସୋଲେସନ ୱାର୍ଡ ଖୋଲାଯାଇଛି। ସେମିତି ଝାରସୁଗୁଡ଼ା ମୁଖ୍ୟ ଡାକ୍ତରଖାନାରେ ବି ସ୍ୱତନ୍ତ୍ର ସନଷ୍ଟ୍ରୋକ୍ ୱାର୍ଡ ଖୋଲାଯାଇ ୨୪ ଘଣ୍ଟିଆ ସେବା ଯୋଗାଇ ଦିଆଯାଉଛି। ଏବେ ଅପେକ୍ଷା କେବେ ମିଳୁଛି ପ୍ରଚଣ୍ଡ ତାତିରୁ ତ୍ରାହି।

Heat Wave Warning Raja Festival
Advertisment
Advertisment