• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ। ସମ୍ବେଦନଶୀଳ ସ୍ଥାନ ଚିହ୍ନଟ ହୋଇଛି, ରାତି ପାଟ୍ରୋଲିଂ ହେବ। ଏକଥା କହିଛନ୍ତି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ। ବର୍ଷା ବିତ୍ପାତକୁ ନେଇ ସେ କହିଛନ୍ତି ଯେ ୨୦ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ ହୋଇଛି। ଆବଶ୍ୟକ ସ୍ଥଳେ ରାତି ପାଟ୍ରୋଲିଂ କରାଯିବ। ଆଜିକା ଦିନରେ ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ। ରାଜ୍ୟରେ ୮ଟି ବୃହତ ଓ ୪୪ଟି ମଧ୍ୟମ ଜଳ ଭଣ୍ଡାର ରହିଛି। ହୀରାକୁଦରେ ଜଳ ଧାରଣ କ୍ଷମତାର ୭୮% ଜଳ ରହିଛି। ରେଙ୍ଗାଲି ଡ୍ୟାମରେ କ୍ଷମତାର ୮୩% ଜଳ ଭରି ଅଛି। ଅବଶିଷ୍ଟ ୬ ବୃହତ ଜଳ ଭଣ୍ଡାରରେ କ୍ଷମତାର ୫୦%ରୁ କମ୍ ଜଳ ରହିଛି। ୪୪ଟି ମଧ୍ୟମ ଡ୍ୟାମ୍‌ରୁ ୬ଟି ୭୫% ଓ ୧୪ଟିରେ ୫୦% ଜଳ ରହିଥିବା ସେ କହିଛନ୍ତି। ଜଳ ସମ୍ପଦ ବିଭାଗର ସବୁ ଅଧିକାରୀଙ୍କ ଛୁଟି ବାତିଲ ହୋଇଛି।

ତେବେ ଏସବୁ ଭିତରେ ଚିନ୍ତା ବଢାଇଛି ଆଇଏମଡି ଡିଜିଙ୍କ ପୂର୍ବାନୁମାନ। ତାଙ୍କର ଆକଳନ ଅନୁସାରେ, ୧୭ ସୁଦ୍ଧା ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି। ୧୮ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର ଓଡ଼ିଶା ନିକଟରେ ପହଞ୍ଚିପାରେ। ଏହାର ପ୍ରଭାବରେ ୧୭ରୁ ଉପକୂଳ ଓଡ଼ିଶାରେ ପୁଣି ବର୍ଷା ହେବ।

ଆଜିର ପାଣିପାଗ ନେଇ ସେ ସୂଚନା ଦେଇଛନ୍ତି ଯେ ଗଭୀର ଅବପାତ ଆଜି ଚାନ୍ଦବାଲିଠାରେ ଉପକୂଳ ଅତିକ୍ରମ କରିଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି। କ୍ରମେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି କାଲି ଛତିଶଗଡ଼ ଛୁଇଁବ। ଏହାର ପ୍ରଭାବରେ କ୍ରମେ ଉପକୂଳରେ ବର୍ଷା କମିବ, କିନ୍ତୁ ଆଭ୍ୟନ୍ତର ଓଡ଼ିଶାରେ ବର୍ଷା ବଢ଼ିବ। ବିଶେଷ କରି ସମ୍ବଲପୁର, ଅନୁଗୁଳ, ଦେବଗଡ଼, ବରଗଡ଼, ବୌଦ୍ଧରେ ପ୍ରବଳ ବର୍ଷିବ ବୋଲି  IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ଯେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ନିଅଣ୍ଟିଆ ବର୍ଷା ପୂରଣ ହେଲେ ବି ନୂଆ ବିପଦ ଆଣିପାରେ। ଉପରମୁଣ୍ଡରେ ବର୍ଷା ହେଲେ ବନ୍ୟା ସୃଷ୍ଟି ହୋଇଥାଏ। କମ୍ ସମୟରେ ଅଧିକ ବର୍ଷା ହେଲେ ଅକସ୍ମାତ ବନ୍ୟା ହୋଇଥାଏ। ଉପକୂଳରେ ଆଜି ସନ୍ଧ୍ୟା ପରେ ପାଗରେ ଟିକେ ପରିବର୍ତ୍ତନ ହେବ। ମାତ୍ର ଆଭ୍ୟନ୍ତରୀଣ ଓଡ଼ିଶାରେ କିନ୍ତୁ ବର୍ଷା ଲାଗି ରହିବ।

ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳ ସ୍ତର ବଢ଼ୁଛି। ମହାନଦୀର କେତେକ ଶାଖା ନଦୀର ଜଳ ସ୍ତର ବଢ଼ୁଛି। ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଜଳକା, ବୁଢ଼ାବଳଙ୍ଗ, ବଂଶଧରା, ରୁଷିକୁଲ୍ୟାରେ ଜଳସ୍ତର ବଢୁଛି। ଜଳ ସ୍ତର ବଢ଼ୁଥିଲେ ବି ବିପଦ ସଂକେତ ତଳେ ପ୍ରବାହିତ ହେଉଛି।