/odishatv-khabar/media/post_attachments/uploadimage/library/16_9/16_9_0/Weather_1711418997.jpg)
Weather
ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ତାଣ୍ଡବ ରଚିଛି କାଳବୈଶାଖୀ । କେଉଁଠି ବଜ୍ରପାତ ହୋଇଛି ତ ଆଉ କେଉଁଠି କୁଆପଥର ମାଡ଼ରେ ଉଜୁଡ଼ିଯାଇଛି ଧାନ ଫସଲ ସହ ପରିବା ଚାଷ । ସୁବର୍ଣ୍ଣପୁର ବିନିକା ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଛି । ବିନିକା ବ୍ଲକର ଏକାଧିକ ଅଞ୍ଚଳରେ ଘଡଘଡି ସହ ତୁହାକୁ ତୁହା ବର୍ଷା ହୋଇଛି ।
ତା’ସହ ପ୍ରବଳ କୁଆ ପଥର ମାଡ଼ ଯୋଗୁ ଏସବୁ ଅଞ୍ଚଳରେ ବ୍ୟାପକ ନଷ୍ଟ ହୋଇଛି ଧାନ ଫସଲ ଓ ପରିବା ଚାଷ । ସେପଟେ ଗଞ୍ଜାମ ବଡ଼ଗଡ଼ ଥାନା ନୂଆଗାଁରେ ବଜ୍ରାଘାତରେ ୩୨ଟି ଛେଳିର ଜୀବନ ଯାଇଛି । ଗତକାଲି ବର୍ଷା ପାଇଁ ଛେଳି ଗୁଡିକ ଗଛ ମୂଳେ ଥିବାବେଳେ ହଠାତ ବଜ୍ରାଘାତ ହୋଇଥିଲା । ସେହିପରି ରାଉରକେଲା ସହରରେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ଅନ୍ୟପଟେ ୨୬ ତାରିଖଠାରୁ ପୁଣିଥରେ ତାତି ଉପରମୁହାଁ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ମାର୍ଚ୍ଚ ଶେଷ ବେଳକୁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି । ତାତି ବଢ଼ିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଗାମୀ ୩ ଦିନ ମଧ୍ୟରେ ତାପମାତ୍ରା ୮ରୁ ୧୦ ଡିଗ୍ରୀ ବୃଦ୍ଧି ସମ୍ଭାବନା ଥିବା କୁହାଯାଇଛି । ମାର୍ଚ୍ଚ ଶେଷ ବେଳକୁ ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଛୁଇଁପାରେ । କାଳବୈଶାଖୀ ଯୋଗୁ ଖସିଥିବା ତାପମାତ୍ରା ପୁଣି ଉପରକୁ ଉଠିବ । ଫଳରେ ରାଜ୍ୟକୁ ପୁଣି ଗ୍ରୀଷ୍ମ ପ୍ରବାହ ଫେରିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)