• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆସନ୍ତା ୫ ଦିନ ଯାଏଁ ବର୍ଷାରୁ ନିସ୍ତାର ନାହିଁ । କେଉଁଠି ପ୍ରବଳ ତ କେଉଁଠି ଅତି ପ୍ରବଳ ବର୍ଷିବ ବୋଲି ଆକଳନ କରିଛି ପାଣିପାଗ ବିବାଗ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମେ ଅବପାତର ରୂପ ନେବାକୁ ଯାଉଥିବାରୁ ଏହାର ପ୍ରଭାବରେ ବର୍ଷା ପରିମାଣ ବଢ଼ିବ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ତେବେ ଗତ ୨୪ ଘଣ୍ଟାର ବର୍ଷା ଜଳରେ କେଉଁଠି ରାସ୍ତାଘାଟ ଧୋଇଗଲାଣି ତ, କେଉଁଠି ଜଳମଗ୍ନ ହୋଇଛି ଚାଷଜମି । ଉପରମୁଣ୍ଡରେ ବର୍ଷା ଯୋଗୁ ମହାନଦୀ, ଋଷିକୁଲ୍ୟା ସହ କିଛି ନଦୀ ଅବବାହିକାରେ ବନ୍ୟା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ବୋଲି କହିଛି ପାଣିପାଗ ବିଭାଗ ।

ଅବିଶ୍ରାନ୍ତ ବର୍ଷା । କେତେବେଳେ ଝିପିଝିପି ତ କେତେବେଳେ ଅଜାଡ଼ି ହେଉଛି । ଫଳରେ ନଦୀ ଫୁଲୁଛି, ରାସ୍ତା ଉପରେ ସୁଅ ଛୁଟୁଛି । ଗଜପତି ମୋହନାରୁ ଗୁଣପୁର । ବରଗଡ଼ରୁ ଧର୍ମଗଡ଼ । ଅବିଶ୍ରାନ୍ତ ବର୍ଷାରେ ସାଂଘାତିକ ଅବସ୍ଥା ଜନଜୀବନ । ପ୍ରଖର ବେଗରେ ମାଡ଼ି ଆସୁଛି ବନ୍ୟା ପାଣି, ତା ମଝିରେ ଫସିଯାଉଛନ୍ତି କାଉଡ଼ିଆ । ବରଗଡ଼ ନୃସିଂହନାଥ ପୀଠରେ ଜୀବନ ବଞ୍ଚାଇବାକୁ ସଂଘର୍ଷ ଚାଲିଥିବା ଦେଖିବାକୁ ମିଳିଥିଲା । ଶ୍ରାବଣ ସୋମବାର ଥିବାରୁ ଜଳାଭିଷେକ ପାଇଁ ଏଠାକୁ ଆସିଥିଲେ ହଜାର ହଜାର କାଉଡିଆ ।

ତେବେ ପାପନାଶିନୀ ଝରଣାରୁ ପାଣି ନେବା ପାଇଁ ଯିବାବେଳେ ଆସି ଯାଇଥିଲା ଫ୍ଲାସ୍‌ଫ୍ଲଡ୍ । ଆଉ ସେଥିରେ ଫସିଯାଇଥିଲେ ସମସ୍ତେ । କିଛି କ୍ଷଣ ପରେ ସମସ୍ତେ ଝରଣା ପାଣିରୁ ସୁରକ୍ଷିତ ବାହାରି ଆସିଥିଲେ । ପ୍ରବଳ ବର୍ଷାରେ ରାୟଗଡ଼ା ଝଂଜାବତୀର ପ୍ରଖର ସ୍ରୋତରେ ଧୋଇଯାଇଛି ଅସ୍ଥାୟୀ ପୋଲା । ପଡ଼ାମାରୀ-କୁମ୍ଭିକୋଟା ମଧ୍ୟରେ ବିଛିନ୍ନ ହୋଇଯାଇଛି ଯୋଗାଯୋଗ । ଗଜପତି ମୋହନା ଅଞ୍ଚଳର ରେଡବନ୍ଧ ନଦୀର ଜଳସ୍ତର ବୃଦ୍ଧି ପାଇ ପୋଲ ଉପରେ ପାଣି ଜମିବା ଯୋଗୁ ୩୨୬ ନମ୍ବର ଏନ୍ଏଚ୍‌ରେ ଗମନାଗମନ ପ୍ରଭାବିତ ହୋଇଛି ।

କଳାହାଣ୍ଡିର ଧର୍ମଗଡ଼-ଭବାନୀପାଟଣା ରାସ୍ତା ବଡ଼ବସୁଲ ନିକଟରେ ବି ସ୍ଥିତି ଗମ୍ଭୀର । ଆପ୍ରୋଚ ରୋଡ୍ ଉପରେ ପାଣି ଚାଲୁଥିବାରୁ ପ୍ରଭାବିତ ହୋଇଛି ଗମନାଗମନ । ନବରଙ୍ଗପୁର ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ବର୍ଷା ହୋଇଥିବାରୁ ୨ ଶହରୁ ଅଧିକ ଘର ଭାଙ୍ଗିଥିବା ସୂଚନା ଦେଇଛି ଜିଲ୍ଲା ପ୍ରଶାସନ ।

ଆଗକୁ ଆହୁରି ଛେଚିବ ବର୍ଷା । ପାହାଡ଼ି ଇଲାକାରେ ହୋଇପାରେ ଭୂସ୍ଖଳନ । ପାଣିପାଗ ବିଭାଗ କହିଛି, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବ । କାଲି ସକାଳ ଯାଏଁ ଗଜପତି, ଗଞ୍ଜାମ, କନ୍ଧମାଳରେ ଭୀଷଣ ବର୍ଷାର ସମ୍ଭାବନା ଥିବାରୁ ରେଡ୍ ଆଲର୍ଟ ଜାରି କରାଯାଇଥିବା ବେଳେ ଖୋର୍ଦ୍ଧା, ପୁରୀ, ନୟାଗଡ଼, ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର ଓ କଳାହାଣ୍ଡିରେ ବି ପ୍ରବଳ ବର୍ଷିବ । ତେଣୁ ଏସବୁ ଜିଲ୍ଲାକୁ ବି ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ସେହିପରି ଆସନ୍ତାକାଲିଠୁ ୧୦ ତାରିଖ ସକାଳ ଯାଏଁ ବରଗଡ଼, ସମ୍ବଲପୁର, ଅନୁଗୁଳ ଓ କେନ୍ଦୁଝରକୁ ରେଡ୍ଆଲର୍ଟ ଏବଂ ପଶ୍ଚିମ ଓ ଉପକୂଳ ଓଡ଼ିଶାର ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୫ ଦିନ ଯାଏଁ ଏଭଳି ବର୍ଷା ହେବ । ମହାନଦୀ, ନାଗାବଳୀ, ଋଷିକୂଲ୍ୟା, ବଂଶଧାରା ନଦୀ ଅବବାହିକାରେ ବନ୍ୟାର ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ ବୋଲି କହିଛି ପାଣିପାଗ ବିଭାଗ ।

ତେବେ ଜଳ ସମ୍ପଦ ବିଭାଗ କହିଛି, ଜଳଭଣ୍ଡାର ଗୁଡ଼ିକର ଜଳସ୍ତର ସ୍ଥିତି ସ୍ୱାଭାବିକ ଅଛି । କିନ୍ତୁ କିଛି ନଦୀରେ ଜଳସ୍ତର ବଢୁଥିଲେ ବି ବିପଦ ସଂକେତ ତଳେ ପ୍ରବାହିତ ହେଉଛି । ପାଣିପାଗ ରିପୋର୍ଟ ଅନୁଯାୟୀ ଜଳସମ୍ପଦ ବିଭାଗ ସଜାଗ ରହିଛି ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।