• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ହଠାତ୍ ପାଗରେ ପରିବର୍ତ୍ତନ। ଅସହ୍ୟ ତାତିରୁ ମିଳିଲା ସାମାନ୍ୟ ତ୍ରାହି । ଖରା ଓ ଗୁଳୁଗୁଳିରୁ ଆଶ୍ୱସ୍ତି ଦେଲା କାଳବୈଶାଖୀ। ଭୁବନେଶ୍ୱର, କଟକ ସମେତ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ଝିପିଝିପି ବର୍ଷା ହେଉଛି । ଆଗାମୀ ୩ ଘଣ୍ଟା ପାଇଁ କାଳବୈଶାଖୀ ଓ ବଜ୍ରପାତ ନେଇ ୬ ଜିଲ୍ଲା ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, କଟକ, କନ୍ଧମାଳ ଓ ଢେଙ୍କାନାଳକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଏସବୁ ଜିଲ୍ଲାର କିଛି ସ୍ଥାନରେ ଘଡ଼ିଘଡ଼ି ସହ ବର୍ଷା ହୋଇପାରେ । ଗତ କିଛି ଦିନ ହେବ ରାଜ୍ୟରେ ହିଟୱେଭ୍ ଜାରି ରହିଛି। ପାରଦ ଡେଇଁଛି ୪୬ ଡିଗ୍ରୀ। ଏବେ କାଳବୈଶାଖୀ ବର୍ଷା ତାତିରୁ ଆଶ୍ୱସ୍ତି ଆଣି ଦେଇଛି ।

ସୂଚନା ଅନୁସାରେ କିଛି ଦିନ ହେବ ଆକାଶରୁ ହେଉଥିଲା ଅଗ୍ନି ବର୍ଷା। ଆଜି ବି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅସହ୍ୟ ଖରା ତାତି ଓ ଝାଞ୍ଜି ବହୁଥିଲା । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆଉ ୨ ଦିନ ପର୍ଯ୍ୟନ୍ତ ସିଭିୟର ହିଟୱେଭ୍ ରହିବ । ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୭ ତାରିଖ ବେଳକୁ ସାରା ରାଜ୍ୟରେ ତାତି ୩ରୁ ୪ ଡିଗ୍ରୀ କମିବ । ସେହିପରି ୨ ତାରିଖ ପରେ ଉପକୂଳବର୍ତ୍ତୀ ଜିଲ୍ଲାରେ ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବା ସମ୍ଭାବନା ରହିଛି।

ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ତାପମାତ୍ରା ୩୮ ଡିଗ୍ରୀ ଟପିଥିଲା । ୩୮.୪ ଡିଗ୍ରୀ ସହ ତାଳଚେର ପାଲଟିଥିଲା ସବୁଠୁ ଉତ୍ତପ୍ତ ସହର। ଭବାନୀପାଟଣାରେ ୩୭.୪, ବାରିପଦା ୩୬.୪, ବଲାଙ୍ଗିର ୩୬.୨, ଟିଟିଲାଗଡ଼ ଓ ବାଲେଶ୍ୱରରେ ୩୬ ଡିଗ୍ରୀ ରେକର୍ଡ ହୋଇଥିଲା।
ସେହିପରି ଭୁବନେଶ୍ୱର ଓ ସୋନପୁରରେ ୩୪.୮, ହୀରାକୁଦରେ ୩୫.୬, ଝାରସୁଗୁଡ଼ା ଓ କେନ୍ଦୁଝରରେ ୩୫.୪ ଡିଗ୍ରୀ ରହିଥିଲା । କଟକ, ସମ୍ବଲପୁର, ମାଲକାନଗିରି ଓ ବୌଦ୍ଧରେ ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ କରାଯାଇଥିଲା ।