• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟରେ ବନ୍ୟା ସ୍ଥିତି ଏବେ ଉଦ୍‌ବେଗ ଜନକ । ଏହାରି ଭିତରେ ଆରମ୍ଭ ହୋଇଛି ରାଜନୀତି । ଛତିଶଗଡ଼ ଜଳ ବିବାଦକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଓଡିଶା ଛତିଶଗ଼ଡ ମଧ୍ୟରେ ମହାନଦୀ ଜଳ ବିବାଦ ଲାଗି ରହିଥିବା ବେଳେ ଏବେ ପୁଣି ବନ୍ୟାଜଳ ପରିଚାଳନା ନେଇ ବିବାଦ ଆରମ୍ଭ ହୋଇଛି । ହୀରାକୁଦର ଅଧିକ ଗେଟ୍ ଖୋଲିବାକୁ ଛତିଶଗଡ଼ ସରକାର, ଓଡିଶା ସରକାରଙ୍କ ଉପରେ ଅଧିକ ଚାପ ପକାଉଛି ।

ତେବେ ସ୍ଥିତି ଦେଖି ଗେଟ୍ ଖୋଲାଯାଉଥିବା ରାଜ୍ୟ ସରକାର ଯୁକ୍ତି ବାଢୁଛନ୍ତି । ଏଭଳି ସ୍ଥିତିରେ ଆଜି ପୁଣିଥରେ SRC ପ୍ରଦୀପ ଜେନା କହିଛନ୍ତି, ଜଳ ପରିଚାଳନା ନେଇ ଓଡିଶା-ଛତିଶଗ଼ଡ ମଧ୍ୟରେ ବୈଠକ ହେଉନି । ଦୁଇ ବର୍ଷ ହେଲା ଉଭୟ ରାଜ୍ୟ ମଧ୍ୟରେ ବନ୍ୟା ନିୟନ୍ତ୍ରଣ ବୈଠକ ହୋଇନି । ଛତିଶଗଡ ସରକାର ଏଥିପ୍ରତି ଆଗ୍ରହ ଦେଖାଉନାହାନ୍ତି । ପ୍ରତିବର୍ଷ CWC-ଛତିଶଗଡ ଓ ଓଡିଶା ମଧ୍ୟରେ ବୈଠକ ହୋଇଥାଏ । ତେବେ ଓଡିଶା ନିଜ ଆଡୁ ବୈଠକ ଡାକୁଥିଲେ ବି ଛତିଶଗ଼ଡ ସହଯୋଗ କରୁନଥିବା SRC କହିଛନ୍ତି ।

ସେପଟେ ଆଜି ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ମିଳିଥିବା ସୂଚନା ଅନୁସାରେ ଏନଜିଟିର ଏକ ନିର୍ଦ୍ଦେଶକୁ ନେଇ ଏହି ଆଲୋଚନା ହୋଇଥିବା ବେଳେ ମହାନଦୀ ଜଳ ପରିଚାଳନା ନେଇ କିଛି ବି ଆଲୋଚନା ହୋଇନଥିବା ସୂଚନା ମିଳିଛି । ସେପଟେ SRC ଆଣିଥିବା ଅଭିଯୋଗ ଉପରେ ଛତିଶଗଡ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଅନ୍ୟପଟେ ଲଘୁଚାପ ଯୋଗୁଁ ଲଗାଣ ବର୍ଷାରେ ଅଧା ଓଡିଶା ବୁଡିଥିବା ବେଳେ ଆସନ୍ତା ୧୯ରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଉତ୍ତର ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବ । ଏହା ପ୍ରଭାବରେ ୧୮ ତାରିଖରୁ ପୁଣି ଆରମ୍ଭ ହେବ ବର୍ଷା । ୧୮ରେ ପ୍ରବଳ ବର୍ଷା ପାଇଁ ୧୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି ।

ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, କନ୍ଧମାଳ, କଳାହାଣ୍ଡି, ଦେବଗଡ଼, ବରଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡା ଏବଂ ଢେଙ୍କାନାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କିଛି ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ । ଏପରିକିି ୭ ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା ରହିଛି ।