Advertisment

ଦକ୍ଷିଣ ଓଡିଶାରେ ବର୍ଷା ବିତ୍ପାତ: ଉବୁଟୁବୁ ଉପାନ୍ତ ମାଲକାନଗିରି

ଉବୁଟୁବୁ ଉପାନ୍ତ ମାଲକାନଗିରି। ତିନି ଦିନ ହେଲାଣି ନନଷ୍ଟପ ବର୍ଷା କାଚୁଛି। ଗତ ୨୪ ଘଣ୍ଟାରେ ଚିତ୍ରକୋଣ୍ଡାରେ ସର୍ବାଧିକ ୧୯୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ କୋରୁକୁଣ୍ଡାରେ ୧୮୫ ଓ ମାଲକାନଗିରିରେ ୧୮୩ ମିମି ବର୍ଷା ହୋଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
Weather News

Weather News

ଦକ୍ଷିଣ ଓଡ଼ିଶାରେ ବର୍ଷା ବିତ୍ପାତ। ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହୋଇଛି ମାଲକାନଗିରି ଓ ଗଜପତି ଜିଲ୍ଲା। ଚିତ୍ରକୋଣ୍ଡାରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୧୯୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ବହୁ ସ୍ଥାନରେ ପୋଲ ଉପରେ ପାଣି ଚାଲୁଥିବାରୁ ପଡ଼ୋଶୀ ଆନ୍ଧ୍ର ଓ ଛତିଶଗଡ଼କୁ ଯୋଗାଯୋଗ ଠପ୍ ହୋଇଛି। ଏଣେ ପାରଳାଖେମୁଣ୍ଡିରେ ପୋଲ ଭାସି ଯିବାରୁ ଅନେକ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି। ସେପଟେ କାଲିଠୁ ରାଜ୍ୟରେ ପୁଣି ଏକ ଲଘୁଚାପ କୋପ ଦେଖାଇବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି।

Advertisment

ଉବୁଟୁବୁ ଉପାନ୍ତ ମାଲକାନଗିରି। ତିନି ଦିନ ହେଲାଣି ନନଷ୍ଟପ ବର୍ଷା କାଚୁଛି। ଗତ ୨୪ ଘଣ୍ଟାରେ ଚିତ୍ରକୋଣ୍ଡାରେ ସର୍ବାଧିକ ୧୯୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ କୋରୁକୁଣ୍ଡାରେ ୧୮୫ ଓ ମାଲକାନଗିରିରେ ୧୮୩ ମିମି ବର୍ଷା ହୋଇଛି। ଗୋଟିଏ ସ୍ୱାଭିମାନ ଅଞ୍ଚଳ ଚିତ୍ରକୋଣ୍ଡାର ତ ଅନ୍ୟଟି ପୋଟେରୁ ସ୍ଥିତ MV-90 କାଙ୍କରକୋଣ୍ଡା ପୋଲର। ଲଗାଣ ବର୍ଷା ଯୋଗୁଁ ସବୁଆଡ଼େ ନଈ-ନାଳ ଫୁଲି ଜଳ ପ୍ଲାବିତ ସ୍ଥିତି। 

ଚିତ୍ରକୋଣ୍ଡାଠାରୁ ସ୍ୱାଭିମାନ ଅଞ୍ଚଳ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଛି। ଅଣ୍ଡ୍ରାପାଲି ପଞ୍ଚାୟତର ଗୋରା ସେତୁ ଉପରେ ଚାରି ଫୁଟର ପାଣି ଚାଲୁଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଛି। ରାସ୍ତାର ଦୁଇ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିବାବେଳେ ଅଣ୍ଡ୍ରାପାଲି, ପଣସପୁଟ, ଯନ୍ତ୍ରୀ ଆଦି ପଞ୍ଚାୟତର ବହୁ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି। ସେହିପରି ପୋଟେରୁ ସ୍ଥିତ କାଙ୍କରକୋଣ୍ଡା ପୋଲ ଉପରେ ପାଣି ଚାଲୁଥିବାରୁ ଆନ୍ଧ୍ର ଓ ତେଲେଙ୍ଗାନାକୁ ଯୋଗାଯୋଗ ପୁରା ବନ୍ଦ ରହିଛି। ସେହିପରି ମୋଟୁ କନ୍ୟାଶ୍ରମ ପୋଲ ବୁଡ଼ିଯାଇଥିବାରୁ କାଲିମେଳାରୁ ପଡ଼ିଆ ଓ ଏମଭି-୩୭ ପୋଲ ବୁଡ଼ିଥିବାରୁ ମାଲକାନଗିରି-କାଲିମେଳା ପରସ୍ପରଠାରୁ ବିଛିନ୍ନ ହୋଇଛନ୍ତି।

Advertisment

ସବୁଠି ଶହ ଶହ ଗାଡ଼ି ମୋଟର ଅଟକି ଥିବାରୁ ଯାତ୍ରୀମାନେ ନାହିଁନଥିବା ହୀନସ୍ତା ହୋଇଛନ୍ତି। ଏବେଠୁ ବର୍ଷା ନଛାଡ଼ିଲେ ଆଗକୁ ଜିଲ୍ଲାରେ ବନ୍ୟାସ୍ଥିତି ସଂଗୀନ ହେବା ଆଶଙ୍କା କରି ପ୍ରଶାସନ ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛି। ପ୍ରଶାସନିକ ଅଧିକାରୀମାନେ ଜଳବନ୍ଦୀ ସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥିତି ଉପରେ ନଜର ରଖିଛନ୍ତି।

ଇଏ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟ ଡାଳିମ୍ବପୁର ବ୍ରିଜ୍। ଓଡ଼ିଶା-ଆନ୍ଧ୍ର ସୀମାକୁ ସଂଯୋଗ କରୁଥିବା ଏ ପୋଲଟି ଲଗାଣ ବର୍ଷାରେ ଧୋଇ ଯାଇଛି। ଫଳରେ କେରାଣ୍ଡି ପଞ୍ଚାୟତରୁ ମାତ୍ର ୫କିଲୋମିଟର ଦୂର ପାରଳାଖେମୁଣ୍ଡି ଯିବାକୁ ହେଲେ ଅମରା, ରାଟିଣା ଓ ଡାଳିମ୍ବପୁର ଗାଁ ଲୋକଙ୍କୁ ୧୫ କିଲୋମିଟର ବୁଲିବାକୁ ପଡୁଛି। ଏଠାରେ ଏକ ସ୍ଥାୟୀ ପୋଲ ପାଇଁ କାମ ଚାଲିଛି ଯେ, କେବେ ସରିବ କାହା ପାଖେ ଖବର ନାହିଁ। ଜିଲ୍ଲାପାଳ ନିଜେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବାବେଳେ ପୋଲ କାମ ଶୀଘ୍ର ସାରିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ।

ସେପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବିକ୍ଷିପ୍ତ ବର୍ଷା ସହ ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି।

ରିପୋର୍ଟ: ମାଲକାନଗିରିରୁ ଜୀତେନ୍ଦ୍ର ବେଉରା, ଚିତ୍ରକୋଣ୍ଡାରୁ ରତ୍ନାକର ପ୍ରଧାନ ଓ ପାରଳାଖେମୁଣ୍ଡିରୁ ଆଦର୍ଶ ଦାଶ

Low Pressure Heavy Rainfall Alert
Advertisment
Advertisment