/odishatv-khabar/media/post_attachments/uploadimage/library/16_9/16_9_0/Mundali_1660661385.jpg)
Mundali
ମାଳ ମାଳ ଗାଡ଼ି । ହଜାର ହଜାର ଲୋକ ମହାନଦୀର ମୁଣ୍ଡଳି ବ୍ରିଜ୍ ଉପରେ ଯାତ୍ରା ଭଳି ଭିଡ଼ । ଏହି ଲୋକମାନେ ଆସିଛନ୍ତି ମହାନଦୀରେ ବନ୍ୟା ପାଣି ଦେଖିବାକୁ । ବ୍ରିଜ୍ ଉପରୁ ବନ୍ୟା ଜଳର ମଜା ଉଠାଇବାକୁ । କିଏ ସାଙ୍ଗସାଥୀ ସହ ଆସିଛି ତ ଆଉ କିଏ ପୁରା ପରିବାର ନେଇ । ସକାଳୁ ରାତି ଯାଏଁ ଅସମ୍ଭବ ଭିଡ଼ । ବନ୍ୟା ପାଣି ସହ ଜମୁଛି ସେଲ୍ଫି ସାଙ୍ଗସାଥୀ ସହ ମଜା କରୁଛନ୍ତି ସମସ୍ତେ । ନଦୀ କୂଳକୁ ଯାଇ ଫଟୋ ମଧ୍ୟ ଉଠାଉଛନ୍ତି ।
ବନ୍ୟା ଯେପରି ସହରୀ ଲୋକଙ୍କ ପାଇଁ ମନୋରଞ୍ଜନ ସାଜିଛି । ଶହ ଶହ ଗାଡି ମୋଟରର ଟ୍ରାଫିକ ଭିତରେ ଆମ୍ବୁଲାନ୍ସ ବି ଫସିଛି । ହେଲେ ଲୋକେ ବେଫିକର । ନରାଜରେ ବି ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ବ୍ରିଜ୍ ଉପରେ ଲାଗିଛି ଗାଡ଼ିର ଲମ୍ବା ଲାଇନ୍ ସୋରିଷ ପକାଇବାକୁ ବି ଜାଗା ନାହିଁ । ଖଚାଖଚ ଭିଡ଼ । ରାତି ପାହିଲେ ଲୋକ ପହଁଚିଯାଉଛନ୍ତି ବ୍ରିଜ ଉପରେ । ଦିନ ତମାମ ଭିଡ଼ । ଆଉ ସନ୍ଧ୍ୟାରେ ଅସମ୍ଭାଳ ଟ୍ରାଫିକ୍ । ଭିଡ଼ ହଟାଇବାକୁ ନାକେଦମ୍ ହେଉଛି ପୋଲିସ । ମହାନଦୀର ବନ୍ୟା ଜଳ ଦେଖିବାକୁ ତିନି ଦିନ ହେଲା ଯୋବ୍ରାରେ ବି ଭିଡ଼ କିଛି କମ୍ ନାହିଁ । ସକାଳୁ ସଂଜ ଯାଏଁ ପିଲାଠୁ ବୁଢ଼ା ବ୍ରିଜ୍ ଉପରୁ ବିପଦପୂର୍ଣ୍ଣ ସ୍ଥିତିରେ ବନ୍ୟା ପାଣି ଦେଖୁଛନ୍ତି । ଲୋକଙ୍କ ଭିଡ଼ ଦେଖି ଦୋକାନ ବି ଖୋଲିଲାଣି ବ୍ରିଜ୍ ଉପରେ । ପସରା ମେଲାଇଛନ୍ତି ଗୁପଚୁପ୍ ବେପାରୀ ।
ଅନ୍ୟପଟେ ନଦୀରେ ବଢ଼ିଲା ପାଣିର ସୁଅ ଭିତରେ ମାଛ ଧରା ବି ଚାଲିଛି । ଜୀବନକୁ ବିପଦରେ ପକାଇ ମାଛ ଧରୁଛନ୍ତି କିଛି ମତ୍ସଜୀବୀ । ତେବେ ପୋଲିସ ଅନେକଙ୍କୁ ତାଗିଦ୍ କରି ଘଉଡ଼ାଇଛି । ସେପଟେ ବନ୍ୟା ଅଂଚଳ ଲୋକଙ୍କୁ ପାଣି ସହ ନଖେଳିବାକୁ ଏବଂ ସେଲ୍ଫି ନେବାକୁ ଯାଇ ନିଜ ଜୀବନକୁ ବିପଦରେ ନପକାଇବାକୁ ଅନୁରୋଧ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)