• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟରେ ଭୟଙ୍କର ବନ୍ୟା ସ୍ଥିତି । ବରଗଡ଼ରୁ ଜଗତସିଂହପୁର ଜିଲ୍ଲା ପର୍ଯ୍ୟନ୍ତ ସ୍ଥିତି ସଙ୍ଗିନ । କାରଣ ମହାନଦୀରେ ଆସିଛି ମହାବନ୍ୟା । ଉଭୟ ଛତିଶଗଡ଼ ଓ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଥିବାରୁ ଗାଁ ଗାଁରେ ପଶିଛି ବଢ଼ିପାଣି । ମୁଣ୍ଡଳିଠାରେ ମହାନଦୀ ଦେଖାଇଛି ତାର କରାଳ ରୂପ । ଏଠି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ନଦୀ ।

ଶେଷ ଅପଡେଟ୍ ସୁଦ୍ଧା ମୁଣ୍ଡଳିଠାରେ ୧୨ ଲକ୍ଷ କ୍ୟୁସେକ୍ ବନ୍ୟାପାଣି ପାସ୍ କରୁଥିଲା । ଏହା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଇଛି । ତେଣୁ ଆଗାମୀ ୪୮ରୁ ୭୨ ଘଣ୍ଟା ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସୂଚନା ଦେଇଛନ୍ତି ଏସ୍‌ଆର୍‌ସି ପ୍ରଦୀପ ଜେନା । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଏବେ ଜଳପତ୍ତନ ୬୨୬ ଫୁଟ୍‌ରୁ ଅଧିକ ରହିଛି । ତେବେ ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦକୁ ୭ ଲକ୍ଷ କ୍ୟୁସେକ୍‌ରୁ ଅଧିକ ପାଣି ପଶୁଛି ।

ଅନ୍ୟପଟେ ତେଲ୍ ନଦୀରେ ଜଳପ୍ରବାହ ଓ ରାଜ୍ୟରେ ବର୍ଷା କମିବା ପରେ ହୀରାକୁଦ ଡ୍ୟାମ୍‌ର ପର୍ଯ୍ୟାୟ କ୍ରମେ ୧୪ଟି ଗେଟ୍ ଖୋଲାଯାଇ ମୋଟ୍ ୪୦ଟି ଗେଟ୍ ଦେଇ ବନ୍ୟାପାଣି ନିଷ୍କାସନ କରିବାକୁ ନିଷ୍ପତ୍ତି ହୋଇଛି । ୪୦ଟି ଗେଟ୍ ଖୋଲିବା ପରେ ଡ୍ୟାମ୍‌ରୁ ପ୍ରାୟ ସାଢ଼େ ୬ ଲକ୍ଷ କ୍ୟୁସେକ୍ ପାଣି ନିଷ୍କାସନ ହେବ । ତେବେ ଏହି ପାଣି ମୁଣ୍ଡଳିରେ ପହଂଚିବାକୁ ପ୍ରାୟ ୩୬ ଘଣ୍ଟା ଲାଗିବ । ସେତିକି ସମୟ ଭିତରେ ବର୍ତ୍ତମାନର ବନ୍ୟାଜଳ ଅତିକ୍ରମ କରିସାରିଥିବ । ସେପଟେ ଆଉ ୪ଦିନ ବନ୍ୟା ସ୍ଥିତି ଲାଗି ରହିବ ବୋଲି ଏସ୍‌ଆର୍‌ସି ସୂଚନା ଦୋଇଛନ୍ତି । ତେଣୁ ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୂର, କେନ୍ଦ୍ରପଡ଼ା, ଯାଜପୁର ଜିଲ୍ଲାକୁ ସଜାଗ୍ ରହିବା ପାଇଁ କୁହଯାଇଛି ।

ସେପଟେ ବନ୍ୟା ପାଇଁ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ପ୍ରଭୃତି ୧୦ଟି ଜିଲ୍ଲାକୁ ଆଲର୍ଟରେ ରଖାଯାଇଛି । ବନ୍ୟା ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଥିଲେ । ବନ୍ୟାରେ ଯେପରି ଗୋଟିଏ ବି ଜୀବନହାନି ନହୁଏ ଓ ଯୋଗଯୋଗରେ ବିଭ୍ରାଟ ନହୁଏ ତାକୁ ସୁନିଶ୍ଚିତ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି । ବିପଦସଂକୁଳ ଅଂଚଳରେ ଥିବା ଲୋକମାନଙ୍କୁ ଆବଶ୍ୟକ ରିଲିଫ୍ ଓ ମୌଳିକ ସୁବିଧା ଯୋଗାଇଦେବା ପାଇଁ କୁହଯାଇଛି । ପ୍ରଭାବିତ ଜିଲ୍ଲାରେ ୯ଟି NDRF, ୯ଟି ଓଡ୍ରାଫ୍ ଓ ୪୪ଟି ଅଗ୍ନଶମ ଟିମ୍ ମୁତୟନ କରାଯାଇଛି ।

ଜଗତସିଂହପୁର ଜିଲ୍ଲାରେ ଆସନ୍ତାକାଲି ଯାଏଁ ସମସ୍ତ ସ୍କୁଲ ଏବଂ ନୟାଗଡ଼ ଜିଲ୍ଲାର ୩ଟି ବ୍ଲକ୍‌ର ୩୨ଟି ସ୍କୁଲ୍ ୨ ଦିନ ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ଆବଶ୍ୟକ ହେଲେ ଅନ୍ୟ ସ୍ଥାନରେ ମଧ୍ୟ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆସନ୍ତା ୭ ଦିନ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି ।

 

OTV is now on Whatsapp

Join and get latest news update delivered to you via whatsapp

Join Now