• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଉପକୂଳ ଜିଲ୍ଲାର ବନ୍ୟାଞ୍ଚଳରେ ଧୀରେ ଧିରେ ସୁଧୁରିଲାଣି ସ୍ଥିତି । ପାଣି କମିବାରୁ ଘରକୁ ଫେରିବା ଆରମ୍ଭ କଲେଣି ବିପନ୍ନ । କିନ୍ତୁ ଫେରିବା ପରେ ଏବେ ଉଜୁଡ଼ା ଘର ଭିତରେ ଦେଖିବାକୁ ମିଳୁଛି ଅଭାବନୀୟ ଦୃଶ୍ୟ । ଖାଲି ଆସବାବପତ୍ର କି ଧନସମ୍ପତ୍ତି ନୁହେଁ, ବନ୍ୟା ପାଣିରେ ବତୁରି ଯାଇଛି ଅନେକ ପିଲାଙ୍କ ଭବିଷ୍ୟତ । ବହିପତ୍ର ଓଦା ହୋଇଛି, ନଷ୍ଟ ହୋଇଛି ପାଠ୍ୟ ସାମଗ୍ରୀ । ସେପଟେ କାଲିଠୁ ସ୍କୁଲ ଖୋଲିବାକୁ ଯାଉଥିବା ବେଳେ ଅନେକ ବିଦ୍ୟାଳୟ ପାଲଟିଛି ବନ୍ୟା ଦୁର୍ଗତଙ୍କ ଆଶ୍ରୟସ୍ଥଳୀ । ତା’ଭିତରେ ପିଲାଙ୍କ ପାଠପଢା କେମିତି ସ୍ୱାଭାବିକ ହେବ, ତାକୁ ନେଇ ଘାରିଛି ଚିନ୍ତା ।

ପ୍ରଳୟଙ୍କରୀ ବନ୍ୟା ବୁଡ଼ାଇ ଦେଇଛି ଭବିଷ୍ୟତ, ନଷ୍ଟ କରିଛି ସ୍ୱପ୍ନ । ଆଗକୁ କେମିତି ହେବ ପାଠପଢ଼ା, ସେନେଇ ବଢ଼ାଇ ଦେଇଛି ଚିନ୍ତା । କଟକ ବାଙ୍କୀ ବ୍ଲକ ଶିମିଳିପୁର ପଞ୍ଚାୟତର କରବର ଗାଁରେ ବନ୍ୟାପାଣି ଛାଡ଼ିିବା ପରେ ଘରକୁ ଫେରୁଛନ୍ତି ବିପନ୍ନ । କିନ୍ତୁ ଫେରିବା ବେଳକୁ ଘରେ ଅପେକ୍ଷା କରିଛି ଉଜୁଡ଼ା ଚିତ୍ର । ପାଣିରେ ଖାଲି ଆସବାବପତ୍ର ନଷ୍ଟ ହୋଇନି ବରଂ ଭିଜି ଯାଇଛି ବହୁ ପାଠ ପଢୁଆ ପିଲାଙ୍କ ବହିପତ୍ର । ନଷ୍ଟ ହୋଇଛି ପାଠ୍ୟ ସାମଗ୍ରୀ । ଏପଟେ କାଲିଠୁ ସ୍କୁଲ ଖୋଲିବାକୁ ଯାଉଥିବାରୁ ଏବେ ସେଇ ବତୁରା ଓ ଅସଜଡ଼ା ବହିପତ୍ରକୁ ନିଜ ହାତରେ ସଜାଡି ନେଇଛନ୍ତି କୁନି କୁନି ପିଲା ।

ବାଙ୍କୀ ବିଲିପଡ଼ା ମନ୍ତ୍ରୀସାହିରେ ବି ସ୍ଥିତି ଅନୁରୂପ । ଉଜୁଡ଼ା ଘରକୁ ଫେରିବା ପରେ ପାଠପଢ଼ା ସ୍ୱାଭାବିକ କରିବାକୁ ସଜଡ଼ା ଚାଲିଛି । ପାଣିଭିଜା ବହି ଖାତାକୁ ସଜାଡ଼ି ପୁଣି ସ୍କୁଲ ଯିବାକୁ ଯୋଜନା କରୁଛନ୍ତି କୁନି କୁନି ପିଲା । ସେଥିପାଇଁ ଓଦା ବହିପତ୍ରକୁ ଖରାରେ ଶୁଖାଇ ପାଠପଢ଼ା ପାଇଁ ଚାଲିଛି ପ୍ରସ୍ତୁତି ।

ଚଳିତ ବନ୍ୟାରେ ସମ୍ପୂର୍ଣ୍ଣ ପାଣି ଘେରରେ ରହିଥିଲା ବାଙ୍କୀ କରବର ଗାଁ । ଗାଁରେ ପ୍ରତି ଘର ପାଣି ବୁଡ଼ି ରହିଥିବାରୁ ସବୁରି ଘରେ ସମାନ ସ୍ଥିତି । ଗାଁର ଛୋଟ ଛୋଟ ପିଲାଙ୍କ ଚିନ୍ତା, ଏବେ ବନ୍ୟା ପାଣି କାଦୁଅରେ ନଷ୍ଟ ହୋଇଥିବା ବହିଖାତାକୁ ଧରି କେମିତି ସ୍କୁଲ ଯିବେ । ସେପଟେ ଆଗକୁ ପରୀକ୍ଷା ଥିବାରୁ ସେମାନଙ୍କ ପାଠପଢ଼ା ନେଇ ଅଭିଭାବକ ବି ଚିନ୍ତାରେ ।

କରବର ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲର ଅବସ୍ଥା ତଦ୍ରୃପ । ଏବେ ସ୍କୁଲ ହତାରୁ ଛାଡ଼ି ଯାଇଛି ସପ୍ତାହକ ତଳେ ଧସେଇ ପଶିଥିବା ମହାନଦୀର ଗୋଳିଆ ପାଣି । କିନ୍ତୁ ବିଗାଡ଼ି ଦେଇଛି ସ୍କୁଲର ଶୈକ୍ଷିକ ପରିବେଶ । ଶ୍ରେଣୀଗୃହ ଚଟାଣ ଉପରେ ଏବେ ଚାଖଣ୍ଡେ ଉଚ୍ଚର ମାଟି ଓ କାଦୁଅ । ଆଗକୁ ପିଲାଙ୍କ ପାପଠଢ଼ା ସ୍ୱାଭାବିକ କରିବାକୁ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ସଫେଇ କାର୍ଯ୍ୟ । ସେହିଭଳି କଟକ ତିଗିରିଆରେ ଚଷାଅଁରା ଗାଁରେ ସ୍ଥିତି ସାମାନ୍ୟ ସୁଧୁରିବା ପରେ କାଲିଠୁ ସ୍କୁଲ ଖୋଲିବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି ।

ତେବେ ପୁରୀ ଜିଲ୍ଲା କଣାସ ବ୍ଲକ୍ ଗଡ଼ବଳଭଦ୍ରପୁର ଗାଁର ଦୃଶ୍ୟ ଟିକେ ନିଆରା । ଏଠି ବହୁ ବନ୍ୟା ବିପନ୍ନଙ୍କ ପାଇଁ ଏବେବି ଗାଁର ସ୍କୁଲ ଘର ପାଲଟିଛି ଆଶ୍ରୟସ୍ଥଳ । ତେଣୁ ଆତ୍ୟାବଶ୍ୟକ ଆସବାବପତ୍ର ଧରି ସେହି ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି କିଛି ପରିବାର । ସେଇଠି ଚାଲିଛି ରୋଷେଇ ବାସ, ସେଇଠି ଚାଲିଛି ପିଲାଙ୍କ ପାଠପଢ଼ା ।

ସେପଟେ ଯେଉଁ ସବୁ ସ୍କୁଲ୍ ଏବେ ବି ପାଣି ଘେରରେ ରହିଛି, ସେଠାରେ ସ୍ଥିତିକୁ ଦେଖି ସ୍କୁଲ କେବେ ଖୋଲାଯିବ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି । ସେହିପରି ବହି ବସ୍ତାନୀ ନଷ୍ଟ ହୋଇଯାଇଥିଲେ, ବନ୍ୟା ସ୍ଥିତି ସୁଧୁରିବା ପରେ ଯାଞ୍ଚ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।