• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଘନେଇଲାଣି ବନ୍ୟାସ୍ଥିତି । ବେଳକୁ ବେଳ ଗମ୍ଭୀର ହେଉଛି ସ୍ଥିତି । ମୁଣ୍ଡଳିରେ ଜଳସ୍ତର ବୃଦ୍ଧି ସହ ବନ୍ୟା ପରିସ୍ଥିତି ଗମ୍ଭୀର ହେଉଛି । ମହାନଦୀର ପାଣି ପଶି ମଧୁରଜଳ ହ୍ରଦ ଅଂଶୁପା ଏବେ ବୁଡ଼ି ସାରିଲାଣି । ଖାଲି ଅଂଶୁପା ନୁହେଁ ଏହାସହ ପାର୍କ, ଘର ଓ ମଣ୍ଡପ ମଧ୍ୟ ବୁଡ଼ି ଯାଇଛି । ଅନ୍ୟପଟେ ମହାନଦୀର ବ୍ୟାକ୍‌ୱାଟର ଯୋଗୁଁ ତିଗିରିଆ ପଞ୍ଚାୟତର ବହୁ ଗାଁ ଏବେ ଜଳମଗ୍ନ ହୋଇଛି । ଗାଁ ରାସ୍ତାରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ତିଗିରିଆ ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛି ।

ତିଗିରିଆ ବ୍ଲକର ଅନନ୍ଦପୁର ପୋଲ ଓ ଫୁଲୁବାଡ଼ି ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ପୁରୁଣା କଟକ-ସମ୍ବଲପୁର ରାସ୍ତାର ନିଧପୁର ଘଣ୍ଟିଖାଲ ଗଡ଼ାଉପରେ ମଦ୍ୟ ୫ ଫୁଟ ଉଚ୍ଚର ପାଣି ଚାଲୁଛି । ଆଠଗଡ଼ର ଦହିସରା ଓ ମହାକଳବସ୍ତ ରାସ୍ତା ଉପରେ ବି ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବା ଦେଖାଯାଇଛି । ଆଠଗଡ଼ ବ୍ଲକର ଧୁରସିଆ ପଞ୍ଚାୟତ ଏବେ ଜଳବନ୍ଦୀ ହୋଇ ରହିଛି । ଏମିତି ୭ ଗାଁ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି ।

ଅନ୍ୟପଟେ ମହାନଦୀରେ ଜଳସ୍ତର ବୃଦ୍ଧି କାରଣରୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ବିଭିନ୍ନ ସ୍ଥାନରୁ ଲୋକମାନଙ୍କୁ ସ୍ଥାନାନ୍ତରଣ କରୁଛି ପ୍ରଶାସନ । ତିର୍ତ୍ତୋଲ ବ୍ଲକର ତଳିଆ ଅଞ୍ଚଳରୁ ପ୍ରାୟ ୪୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଲୋକଙ୍କୁ ୪ଟି ସ୍କୁଲରେ ରଖାଯାଇଥିବା ତିର୍ତ୍ତୋଲ ବିଡିଓ ସୂଚନା ଦେଇଛନ୍ତି । ବଡ଼ମ୍ବାର ଶଙ୍ଖାମେରୀ ଗାଁ ନିକଟରେ ମହାନଦୀରେ ଘଳିଆ ଦେଖିବାକୁ ମିଳିଛି । ଗାଁରେ ପାଣି ପଶିବାରୁ ଲୋକଙ୍କୁ ଶଙ୍ଖାମେରୀ ହାଇସ୍କୁଲକୁ ସ୍ଥାନାନ୍ତର କରାଯାଇଛି ।

ସେପଟେ ନୟାଗଡ଼ ଭାପୁରର କାଳିଗିରି ବ୍ରିଜ ଉପରେ ୪ ଫୁଟର ବନ୍ୟାଜଳ । ଭାପୁର-କଳାପଥର ରାସ୍ତାର କାଳିଗିରି ବ୍ରିଜ ଉପରେ ବନ୍ୟାଜଳ । ମହାନଦୀରେ ଜଳସ୍ତର ବଢିବାରୁ କାଳିଗିରି ବ୍ରିଜ ବୁଡ଼ିଲା । ଭାପୁରରୁ କଳାପଥର ଓ ବାଙ୍କୀର ବହୁ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଠିକ୍‌ ସେମିତି, କେନ୍ଦ୍ରାପଡ଼ା ପାଇକା ନଦୀର ବଡ଼ନୟନୀପୁର ନିକଟରେ ଘଳିଆ ପଡ଼ିଥିବା ଦେଖାଯାଇଛି । ଘଳିଆକୁ ଦେଖି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ତେବେ ବିପଦକୁ ଏଡ଼ାଇବା ପାଇଁ ପ୍ରଶାସନର ଉଦ୍ୟମ ଚଳାଇଛି । ଘଳିଆ ରୋକିବାକୁ ପକା ଯାଉଛି ବାଲିବସ୍ତା ଓ ମାଟି ।