• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଉପର ମୁଣ୍ଡରେ ପ୍ରବଳ ବର୍ଷା ଫଳରେ ମହାନଦୀରେ ଆସୁଛି ବନ୍ୟା । ମହାନଦୀରେ ଆସୁଥିବା ଏହି ବନ୍ୟାଜଳ ଆଜି କଟକ ମୁଣ୍ଡଳୀ ଦେଇ ଅତିକ୍ରମ କରିବ । ଏବେ ସୁଦ୍ଧା ହୀରାକୁଦର ମୋଟ ୩୪ଟି ଗେଟ୍ ଖୋଲା ଯାଇ ବନ୍ୟା ପାଣି ଛଡ଼ା ଯାଉଛି । ଗତକାଲି ରାତି ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାର ମଧ୍ୟକୁ ୪ ଲକ୍ଷ ୩୯ ହଜାର ୨୯୧ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୫ ଲକ୍ଷ ୬୩ ହଜାର ୮୦୬ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି ।

ହୀରାକୁଦ ଉପର ମୁଣ୍ଡ ଛତିଶଗଡ଼ର କଲ୍‌ମା ବ୍ୟାରେଜ୍ ନିକଟ ଚନ୍ଦର୍‌ଗିରିରିରେ ମହାନଦୀ ଫୁଲୁଥିବାରୁ ଏଣେ ତଳମୁଣ୍ଡରେ ହୀରାକୁଦ, ସୁବର୍ଣ୍ଣପୂର, ବୌଦ୍ଧ ଓ କଟକର ମୁଣ୍ଡଳୀରେ ମହାନଦୀର ଜଳସ୍ତର ବଢିବାରେ ଲାଗିଛି । ଫଳରେ ସୁବର୍ଣ୍ଣପୁର-ବୀରମହାରାଜପୁର ରାସ୍ତା ଉପରେ ଚାଲିଛି ବନ୍ୟାପାଣି । ବୀରମହାରାଜପୁର-ଅମରପାଲି ରାସ୍ତାର ଘୁଂଘିଯୋର ଉପରେ ୪ ଫୁଟ୍ ଉଚ୍ଚର ପାଣି ଚାଲିଥିବାରୁ ଯୋଗାଯୋଗ ବିଛନ୍ନ ହୋଇଛି ।

ସେହିପରି ସୋନପୁର-ସମ୍ବଲପୁର ରାସ୍ତାର ମାଳତୀଜାର ଉପରେ ପାଣି ପ୍ରବାହିତ ହେବା ଯୋଗୁଁ ସୋନପୁର-ସମ୍ବଲପୁର ମଧ୍ୟରେ ଯୋଗାଯୋଗ ବିଛନ୍ନ ହୋଇଛି । ବୀରମହାରାଜପୁର-ବିଜେପୁର ସେତୁରେ ବି ପହଞ୍ଚିଛି ବନ୍ୟାଜଳ । ହୀରାକୁଦ ଡ୍ୟାମ୍‌ରୁ ଖୋଲାଯାଉଥିବା ଗେଟ୍ ସଂଖ୍ୟା ବଢୁଥିବାରୁ ମହାନଦୀ ସିଷ୍ଟମ୍‌ରେ ଏକ ଛୋଟ ଧରଣର ବନ୍ୟା ଆଶଙ୍କା କରାଯାଇଛି । ଆଜି କଟକ ମୁଣ୍ଡଳୀ ଦେଇ ୬ ଲକ୍ଷ କ୍ୟୁସେକ୍ ପାଣି ପାସ୍ କରିବ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଯଦି ଓଡ଼ିଶା ଓ ଛତିଶଗଡ଼ରେ ପ୍ରବଳ ବର୍ଷା ଜାରି ରହେ, ତାହେଲେ ଅଗଷ୍ଟ ୧୫ ବେଳକୁ  ଛୋଟ ବନ୍ୟା ଆସିପାରେ ବୋଲି ଜଳସଂପଦ ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି ।

ସେପଟେ ଯାଜପୁରରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀ । ଆଖୁଆପଦାଠାରେ ବିପଦ ସଂକେତ ୧୭.୮୩ ପାର କରି ୧୮.୦୦ ରେ ପ୍ରବାହିତ ହେଉଛି ବନ୍ୟାଜଳ । ଲଗାଣ ବର୍ଷା ଜାରି ରହିଥିବା ବେଳେ ସହ ଆଉ ଏକ ଲଘୁଚାପ ଘନୀଭୁତ ହୋଇଥିବାରୁ ନଦୀର ଜଳ ସ୍ତର ବଢିବା ଆଶଙ୍କା ରହିଛି । ବୈତରଣୀ ନଦୀରେ ବନ୍ୟା ଜଳ ବୃଦ୍ଧି କାରଣରୁ ଯାଜପୁର ଦଶରଥପୁର ଓ କୋରେଇ ବ୍ଲକ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ବୈତରଣୀ ନଦୀରେ ପ୍ରଥମ ବନ୍ୟାଜଳ ଆସିବା ପରେ ଯାଜପୁର ବ୍ଲକରେ ପ୍ରବାହିତ ଏହାର ଶାଖା ନଦୀ ବୁଢା ଓ କାଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ବୈତରଣୀ ନଦୀରେ ବନ୍ୟା ଆସିଲେ ଦଶରଥପୁରର କୟାଁ, କମାରଢ଼ି, ଖାନ ନଗର, ଦତ୍ତପୁର, କସପା, ନିଜାମପୁର ଅଂଚଳ ଅଧିକ କ୍ଷତିଗ୍ରସ୍ତ ହେବାକୁ ଥିବାରୁ ଲୋକେ ଚିନ୍ତିତ ରହିଛନ୍ତି ।

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର-ଦୈତାରୀ ରାସ୍ତାର ରେମାଳ ନାଳ ପୋଲ ଉପରେ ୩ ଫୁଟର ପାଣି ରାସ୍ତାରେ ଗାଡ଼ି ଚଳାଚଳ ବ୍ୟାଘାତ । ଅଗ୍ନିଶମ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଦଉଡି ସାହାଯ୍ୟରେ ରାସ୍ତା ପାରି ହେଉଛନ୍ତି ଲୋକେ । କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର-ଦୈତାରୀ ରାସ୍ତାର ରେମାଳ ନାଳ ପୋଳରେ ଗତକାଲିଠୁ ୩ ଫୁଟର ଉଚ୍ଚର ପାଣି ଚାଲୁଛି । ଗତ ଦୁଇଦିନ ହେଲା ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଫଳରେ ହରିଚନ୍ଦନପୁର-ଦୈତାରୀ ପୁର୍ତ୍ତ ବିଭାଗ ରାସ୍ତାର ଠାକୁରପଡା ବଡ଼ଶିଆଳିମାଳ ମଝିରେ ଥିବା ରେମାଳ ନାଳ ଘୋଷଡା ପୋଲ ବୁଡ଼ି ଯାଇଥିଲା ।

ଅବିଶ୍ରାନ୍ତ ବର୍ଷା ପାଇଁ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । କେଉଁଠି ଜାତୀୟ ରାଜପଥ ଉପରେ ଦୁଇଫୁଟ ଉଚ୍ଚର ପାଣି ଚାଲୁଛି ତ ଆଉ କେଉଁଠି ଜଳବନ୍ଦୀ ହୋଇଛି ବସ୍ତି । ଢେଙ୍କାନାଳ ସଦର ବ୍ଲକ ଗେଙ୍ଗୁଟିଆ ଗାଁରେ ଜଳବନ୍ଦୀ ଅବସ୍ଥାରେ ରହୁଛନ୍ତି ଲୋକେ । ସପ୍ତାହେ ହେଲା ଲଗାଣ ବର୍ଷା ଲାଗି ରହି ଥିବାରୁ ଗେଙ୍ଗୁଟିଆ ଗାଁର ୧ନମ୍ବର ଓ ୨ ନମ୍ବର ଓ୍ୱାର୍ଡରେ ଦୁଇଫୁଟ ଉଚ୍ଚର ପାଣି ଜମିଛି । ଫଳରେ ଲୋକମାନେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ଅସରାଏ ବର୍ଷାରେ ଏଠାକାର ଲୋକେ ଜଳବନ୍ଦୀ ଅବସ୍ଥାରେ ଦିନ କାଟୁଥିବା ବେଳେ ପ୍ରଶାସନ ପକ୍ଷରୁ ଏଠାରୁ ଜଳ ନିଷ୍କାସନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଡ୍ରେନେଜ ସିଷ୍ଟମ ଠିକ କରିବା ସହିତ ଜଳ ନିଷ୍କାସନ ପାଇଁ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଗେଙ୍ଗୁଟିଆ ବାସୀ । ଏନେଇ ସ୍ଥାନୀୟ ସରପଞ୍ଚ କିମ୍ବା ବିଭାଗୀୟ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।