• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବର୍ଷା ବିତ୍ପାତରେ ଭୁଶୁଡ଼ି ପଡ଼ିଛି ମାଟିଘର । କାନ୍ଥ ପଡି ଚାଲିଯାଇଛି ଜୀବନ । କଚ୍ଚା ଘରେ ବନ୍ୟା ପାଣି ପଶିବା ପରେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି ବିପନ୍ନ ।  ପ୍ରବଳ ବର୍ଷା ଓ ବନ୍ୟାରେ ବିଭିନ୍ନ ଜିଲ୍ଲାରୁ ଆସିଛି ଏମିତି ଅନେକ ଖବର । ପ୍ରାୟ ସପ୍ତାହେ ହେଲା ପାଣି ଜମି ରହିବା ଯୋଗୁଁ କାନ୍ଥ ବାଡ଼ ବତୁରି ଗଲାଣି । କେତେବେଳେ କେଉଁ କାନ୍ଥ ଭୁଶୁଡ଼ି ପଡ଼ିବ ସେ ଭୟ ଘାରିଛି ବନ୍ୟା ବିପନ୍ନଙ୍କୁ ।

ବାଲିଗୁଡ଼ାରେ ପ୍ରବଳ ବର୍ଷାରେ ଘର ଭାଙ୍ଗିଯିବା ପରେ ପଲିଥିନ ଖଣ୍ଡିଏ ପାଇବା ପାଇଁ ବାଲିଗୁଡା ତହସିଲ୍ ଅଫିସ୍ ଆଗରେ ଲମ୍ବାଲାଇନ୍ । ବ୍ଲକର ଶହ ଶହ ଲୋକ ପଲିଥିନ୍ ପାଇଁ ଏଠାରେ ଭିଡ଼ ଜମାଇଛନ୍ତି । ଆଉ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରଜପୁରର ସ୍ଥାନୀୟ ତହସିଲ୍ ଅଫିସ୍‌ରେ ଜିଲ୍ଲା ପରିଷଦ ସଦସ୍ୟ ଲବ କୁମାର ସାହୁ ତହସିଲଦାରଙ୍କ ଗୋଡ଼ ଧରି ମୁଣ୍ଡିଆ ମାରିଛନ୍ତି । ଘର ଭାଙ୍ଗିଯାଇଥିବା ଲୋକଙ୍କୁ ପଲିଥିନ୍ ଯୋଗାଇ ଦେବାକୁ ନେହୁରା ହୋଇଛନ୍ତି ।

ସେପଟେ ବନ୍ୟା ଆଉ ବର୍ଷା ଖୋଲିଛି ରାଜ୍ୟ ସରକାରଙ୍କ ଆବାସ ଯୋଜନାର ସତ । କୁଆଡ଼େ ଗଲା ସମସ୍ତଙ୍କୁ ପକ୍କାଘର ଯୋଗାଇ ଦେବାର ପ୍ରତିଶ୍ରୁତି ? ନିର୍ବାଚନ ଇସ୍ତାହାରରେ ସମସ୍ତ କଚ୍ଚାଘରକୁ ପକ୍କାଘର କରିବା ଲାଗି ଦେଇଥିବା ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ପୂରଣ କରିପାରି ନାହିଁ ବିଜେଡି ସରକାର । ଗୋଟିଏ ପଟେ ଆବାସ ଯୋଜନାରେ ଘର ବଣ୍ଟାକୁ ନେଇ କେନ୍ଦ୍ର- ରାଜ୍ୟ ମଧ୍ୟରେ କଳି ଲାଗିଛି, ଅନ୍ୟପଟେ ପକ୍କା ଘର ନଥିବାରୁ ଲୋକମାନେ ବନ୍ୟା ସମୟରେ ନାହିଁ ନଥିବା ହଇରାଣ ହେଉଛନ୍ତି ।

କେନ୍ଦ୍ରର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାଜ୍ୟର ବିଜୁ ପକ୍କାଘର ଯୋଜନା ଲାଗୁ ହୋଇଥିଲେ ବି ଏବେ ଲକ୍ଷ ଲକ୍ଷ ଲୋକ କଚ୍ଚାଘରେ ରହୁଛନ୍ତି । ନିକଟରେ ବିଧାନସଭାରେ ପଂଚାୟତିରାଜମନ୍ତ୍ରୀ ରଖିଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ଏବେ ବି ୧୨ ଲକ୍ଷ ୨୪ ହଜାର ୭୨୫ ପରିବାର କଚ୍ଚାଘରେ ରହୁଛନ୍ତି ।  ସେଥିମଧ୍ୟରୁ ୨୧ ହଜାର ୨୩୯ ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଲାଗି ୱେଟିଂ ଲିଷ୍ଟରେ ଅଛନ୍ତି । ତେବେ ବନ୍ୟା, ଘର ଯୋଜନାର ଗୁମର ଖୋଲିବା ପରେ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ବିଜେପି ଓ କଂଗ୍ରେସ । ବିଜେଡି କହିଛି ଏବେ ରାଜନୀତି କରିବା ସମୟ ନୁହେଁ ।

ଗୋଟିଏ ପଟେ ଆବାସକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ କଳି ଲାଗି ରହିଛି । ଆଉ ଏବେ ବନ୍ୟାରେ ଭାଙ୍ଗିଥିବା କଚ୍ଚାଘରକୁ ନେଇ ଆଗକୁ ଉଭୟ ଦଳ ମଧ୍ୟରେ କଳି ବଢ଼ିବ ବୋଲି ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ଘର ଆବଣ୍ଟନରେ ହୋଇଥିବା ଅନିୟମିତତାକୁ ନେଇ କେନ୍ଦ୍ର, ରାଜ୍ୟକୁ ଅଡୁଆରେ ପକାଇବା ସମ୍ଭାବନା ବି ରହିଛି ।

 

Flood brings govt’s failure in providing ‘pucca’ houses to all to the fore | Special Story