• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମେ‘ ମାସରେ ଓଡ଼ିଶାକୁ ବାତ୍ୟା ଭୟ । ବାତ୍ୟାର ନାଁ ଶୁଣିବା ମାତ୍ରେ ଉପକୂଳବର୍ତ୍ତୀ ଲୋକଙ୍କ ମନରେ ପଶିଲାଣି ଛନକା । IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଦେଇଥିବା ମନ୍ତବ୍ୟ, ସମ୍ଭାବ୍ୟ ବାତ୍ୟାର ସଙ୍କେତ ଦେଉଛି । IMDର ଆକଳନ ଅନୁସାରେ ଏଇ ସପ୍ତାହରେ ହିଁ ଆସିପାରେ ସାଇକ୍ଲୋନ୍ । ମେ’ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନସାଗରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଯଦି ଏହି ଲଘୁଚାପ ବାତ୍ୟାର ରୂପ ନିଏ ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିପାରେ ବୋଲି କୁହାଯାଉଛି ।

ଯଦି ବାତ୍ୟା ହୁଏ, ଓଡ଼ିଶାରେ କ’ଣ ରହିବ ପ୍ରଭାବ ?

ବର୍ତ୍ତମାନ ସ୍ଥିତିରେ ବାତ୍ୟା ସମ୍ପର୍କରେ ବିଶେଷ ପୂର୍ବାନୁମାନ କରିନି ପାଣିପାଗ ବିଭାଗ । ସମୁଦ୍ରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଯାଇ ବାତ୍ୟା ନେଇ ପୂରା ସୂଚନା ଦିଆଯିବ ବୋଲି କୁହାଯାଇଛି । କିନ୍ତୁ ମେ’ ମାସ ବାତ୍ୟା ପାଇଁ ଅନୁକୂଳ ଥିବାରୁ ଏବେ ସମସ୍ତେ ଚିନ୍ତାରେ । କାରଣ ଅନେକ ସମୟରେ ଦେଖାଯାଇଛି ମେ’ ମାସରେ ହିଁ ଲଘୁଚାପ, ସାଇକ୍ଲୋନିକ୍‌ କିମ୍ବା ସିଭିୟର ସାଇକ୍ଲୋନିକ୍‌ ରୂପ ନେଇପାରେ । ତେଣୁ ବର୍ତ୍ତମାନ ସମୁଦ୍ରରେ ସୃଷ୍ଟି ହେଉଥିବା ଲଘୁଚାପ ଯଦି ସାଇକ୍ଲୋନିକ ରୂପ ନେବ ତେବେ ଓଡ଼ିଶା ଉପରେ କେତେ ପ୍ରଭାବ ପକାଇବ ? ସେନେଇ ବି ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନି । ହେଲେ ବାତ୍ୟା ହେଲେ ଉପକୂଳ ଓଡ଼ିଶାରେ ହିଁ ତାର ଅଧିକ ପ୍ରଭାବ ରହିବ ।

ତେବେ ମେ’ ମାସରେ କାହିଁକି ହୁଏ ବାତ୍ୟା ?

ଅକ୍ଟୋବର ନୁହେଁ, ଏଣିକି ମେ' ମାସ ଆସିଲେ ବି ଓଡ଼ିଶାବାସୀଙ୍କ ମନରେ ପଶୁଛି ବାତ୍ୟା ଛନକା । କାରଣ ଲଗାତାର ୩ ବର୍ଷ ହେଲାଣି ରାଜ୍ୟକୁ ମେ' ମାସରେ ବାତ୍ୟା ବିପତ୍ତିର ସାମ୍ନା କରିବାକୁ ପଡ଼ୁଛି । ବଙ୍ଗୋପସାଗର ଓ ଆରବସାଗରରେ ପ୍ରତିବର୍ଷ ୨ଟି ଋତୁରେ ବାତ୍ୟା ସୃଷ୍ଟି ହୁଏ । ଗୋଟିଏ ଏପ୍ରିଲରୁ ଜୁନ୍ ଓ ଅନ୍ୟଟି ଅକ୍ଟୋବରରୁ ଡିସେମ୍ବରରେ । ୨୦୧୯ ମେ’ ୩ରେ ବାତ୍ୟା 'ଫନି' ପୁରୀ ଓ ଖୋର୍ଦ୍ଧା ଜିଲ୍ଲାକୁ ଖିନଭିନ କରି ଦେଇଥିଲା । ୧୯୯୯ ମହାବାତ୍ୟା ପରେ ଏହା ଥିଲା ଓଡ଼ିଶା ପାଇଁ ଦ୍ୱିତୀୟ ଶକ୍ତିଶାଳୀ ବାତ୍ୟା । ୨୦ ମେ’ ୨୦୨୦ ବାତ୍ୟା ଅମ୍ପନ ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ କରିଥିଲେ ବି ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା ।

ତେବେ ପାଣିପାଗ ବିଜ୍ଞନୀଙ୍କ ମତରେ ମୌସୁମୀ ଆସିବାର ପୂର୍ବ ମାସ ଓ ମୌସୁମୀ ଯିବା ପର ମାସରେ ଅଧିକ ବାତ୍ୟା ହୋଇଥାଏ । ସେପ୍ଟେମ୍ବର-ଅକ୍ଟୋବର ମାସରେ ହେଉଥିବା ବାତ୍ୟା ଅଧିକ ଘନିଭୂତ ହେଉଥିବାରୁ ଅଧିକ ଶକ୍ତିଶାଳୀ ହୋଇଥାଏ । ତେବେ କିଛି ବର୍ଷ ହେଲା ମେ’ ମାସରେ ମଧ୍ୟ ବଡ଼ ବଡ଼ ବାତ୍ୟା ଆସୁଛି । ଏହା ପଛରେ ପ୍ରମୁଖ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାଲ୍ ୱାର୍ମିଂ ବା ବିଶ୍ୱ ତାପମାତ୍ରା ବୃଦ୍ଧି । ତେବେ ବର୍ତ୍ତମାନ ସୁଦ୍ଧା ଚଳିତ ମାସରେ ଆସିବାକୁ ଥିବା ବାତ୍ୟା ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିପାରିନି ।