Advertisment

ଲଗାଣ ବର୍ଷାରେ ବେହାଲ ବଲାଙ୍ଗିର-ବ୍ରହ୍ମପୁର ! ରାସ୍ତାରେ ଅଣ୍ଟାଏ, ଘରେ ଆଣ୍ଠୁଏ

ଜଳ ନିଷ୍କାସନ ସମସ୍ୟାରୁ ଉବୁଟୁବୁ ସହର । ବୁଡିଲା ରାସ୍ତାଘାଟ, ଲୋକେ ଘରେ ଜଳବନ୍ଦୀ ।

author-image
Satyendu Shekher Mishra
undefined

Weather News

ରାସ୍ତାରେ ଅଣ୍ଟାଏ, ଘରେ ଆଣ୍ଠୁଏ । ବାହାରେ ଆକ୍ତାମାକ୍ତା, ଭିତରେ ନାକେଦମ୍ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ କିଛି ଜିଲ୍ଲାରେ ଗତକାଲିଠୁ ବର୍ଷା ପରେ ଏମିତି ରହିଛି ବଲାଙ୍ଗିର ସହରର ସ୍ଥିତି । ବଲାଙ୍ଗିର ସହରର ମାଲପଡ଼ା ଅଞ୍ଚଳରେ କାଲି ରାତିରେ ପ୍ରବଳ ବର୍ଷା ପରେ ହଠାତ ଲୋକଙ୍କ ଘର ଭିତରକୁ ପଶି ଆସିଥିଲା ପାଣି । ପାଣିର ସୁଅ ଏତେ ପ୍ରଖର ଥିଲା ଯେ ଘରର ଆସବାବପତ୍ର କିମ୍ବା ଜରୁରୀ ଜିନିଷପତ୍ର ସଜାଡ଼ି ରଖିବାକୁ ବି ତର ମିଳିଲାନି ।

Advertisment

ଫଳରେ ଯେଉଁଠି, ସେଇଠି ପଡ଼ି ରହିଥିଲା ଘରର ତମାମ ସାମଗ୍ରୀ । ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିବା ପରେ ନିଦ ତ ନିଦ, ବସିବା କିମ୍ବା ଛିଡ଼ା ହେବାକୁ ବି ଯାଗା ନଥିଲା । ଦଶମତି ନଗର, ଶାସ୍ତ୍ରୀ ନଗର, ବରପାଲିପଡ଼ା ଓ ଠିକାଦାପଡ଼ା ଆଦି ବହୁ ଅଞ୍ଚଳରେ ରାତି ତମାମ ଲୋକଙ୍କୁ ଅନିଦ୍ରା ରଖିଥିଲା ବର୍ଷା ପାଣି । ଆଜି ସକାଳ ସୁଦ୍ଧା ବର୍ଷା ଛାଡ଼ି ନଥିବାରୁ ଆହୁରି ଦୟନୀୟ ହୋଇପଡ଼ିଥିଲା ଲୋକଙ୍କ ଅବସ୍ଥା ।

ବର୍ଷା ଜଳରେ ବୁଡ଼ି ରହିଥିଲା ସହରର ଅଧିକାଂଶ ରାସ୍ତାଘାଟ । ଶାସ୍ତ୍ରୀନଗରଠୁ ହାତୀଶାଳପଡ଼ା ଦେଇ ଶାନ୍ତିପଡା ପର୍ଯ୍ୟନ୍ତ ସବୁଠି ରାସ୍ତାରେ ଛୁଟୁଥିଲା ବନ୍ୟା ଭଳି ପାଣିର ସୁଅ । ଏମିତିକି ଖୋଦ୍ ବଲାଙ୍ଗିର ପୌର କାର୍ଯ୍ୟାଳୟ ବି ବର୍ଷାଜନିତ କୃତ୍ରିମ ବନ୍ୟାରୁ ପାର ପାଇପାରିନଥିଲା । ଏପଟେ ବର୍ଷା ଓ ବନ୍ୟା ଭଳି ସ୍ଥିତି ଯୋଗୁଁ ଜିଲ୍ଲାର ସବୁ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଆଜି ପାଇଁ ଛୁଟି ଘୋଷଣା କରାଯାଇଥିଲା ।

Advertisment

ଏପଟେ ରେଶମ ସହର ବ୍ରହ୍ମପୁରରେ ବି ଗତକାଲି ରାତିରୁ ଲାଗି ରହିଛି ସମାନ ସ୍ଥିତି । ଲଗାଣ ବର୍ଷା ପରେ ଜଳବନ୍ଦୀ ସମସ୍ୟାରୁ ବେହାଲ ହୋଇଛି ଲୋକଙ୍କ ଅବସ୍ଥା। ସହରର ପ୍ରେମ ନଗର, ଅଶୋକ ନଗର, ଧର୍ମନଗର ଆଦି ଅଞ୍ଚଳରେ କାଲିଠୁ ଲାଗି ରହିଛି ଡଙ୍ଗା ଚାଲିବା ଭଳି ଅବସ୍ଥା । ସହରର ଅନେକ ମୁଖ୍ୟ ରାସ୍ତା ନଦୀର ଭ୍ରମ ସୃଷ୍ଟି କରୁଥିବା ବେଳେ ବହୁ ଘର ଭିତରକୁ ଏମିତି ନଦୀ ଘଳିଆ ଭଳି ପାଣି ଛୁଟି ଚାଲିଥିଲା ।

ଫଳରେ ଘର ଭିତରେ ଥିବା ଯାବତୀୟ ଆସବାବପତ୍ର ସବୁ ଅପରିଷ୍କାର ବର୍ଷା ଜଳ ଆଗରେ ଆତ୍ମସମର୍ପଣ କରିବା ମୁଦ୍ରାରେ ଛିଡ଼ା ହୋଇ ରହିବା ବ୍ୟତୀତ ଆଉ କିଛି ଉପାୟ ନଥଲା। ଏପଟେ ସହରରେ ଏଭଳି ସ୍ଥିତି ପାଇଁ ପୌର ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନ କରି ଅସନ୍ତୋଷ ଝାଡ଼ିଥିଲେ ସାଧାରଣ ଲୋକେ ।

Weather Update Rainfall Alert
Advertisment
Advertisment