Advertisment

ରାଜ୍ୟରେ ମରୁଡ଼ି ଶଙ୍କା ଜଳ ଜଳ: ଶୀଘ୍ର ବର୍ଷା ନହେଲେ ଜଳିଯିବ ଧାନ ତଳି

ସ୍ଥିତି ଆହୁରି ସଂଗୀନ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଅଞ୍ଚଳରେ, ଏଠି ତ ଶହ ଶହ ଏକର ଜମିରେ ଏଯାଏଁ ହଳ ବି ପଶିନି। ହିଡ଼ ମୁଣ୍ଡରେ ବର୍ଷାକୁ ଚାହିଁ ଚାହିଁ ଚାଷୀର ନିଦ ହଜିଗଲାଣି।

author-image
Chandan Shishu
undefined

drought possibility looming large over odisha

ମୌସୁମୀ ଋତୁରେ ବର୍ଷା ଉଭାନ, ସବୁଠି ମରୁଡ଼ି ଆସନ୍ନ। ରାଜ୍ୟର ଅଧିକାଂଶ ଜିଲ୍ଲାରେ ନିଅଣ୍ଟିଆ ବର୍ଷା କାରଣରୁ ଖରିଫ ଧାନ ଚାଷ ଏବର୍ଷ ମାଡ଼ ଖାଇବା ଆଶଙ୍କା। ପାଣିପାଗ ବିଭାଗ କହୁଛି- ୧୬ ଜିଲ୍ଲା ନିଅଣ୍ଟିଆ ବର୍ଷାର ସମ୍ମୁଖୀନ ହୋଇଛି। ଏଣେ ଚାଷୀ କହିଲେଣି- ତଳି ଜଳିଯାଉଛି ୨ରୁ ୩ଦିନ ଭିତରେ ବର୍ଷା ନହେଲେ ଗଜା ମରୁଡ଼ି ବି ନିଶ୍ଚିତ। ଆସନ୍ନ ମରୁଡ଼ି ଜଳ ଜଳ। ଆକାଶରେ ମେଘ ମାଳ ମାଳ, ହେଲେ ଟୋପାଏ ବର୍ଷୁନି। ଶ୍ରାବଣ ଅଧାରେ ଶୁଖିଲା ଜମିରେ ହଳ କରୁଛି ଚାଷୀ। 

Advertisment

ଟିଟିଲାଗଡ଼ ଉପଖଣ୍ଡରେ କେଉଁଠି ତ ଚାଷଜମି ଅବସ୍ଥା ଏମିତି ଯେ, ସେଠି ଗୋରୁ ଘାସ ଚରୁଛନ୍ତି। ଆଉ ଦିନେ ଦୁଇ ଦିନ ଭିତରେ ମୌସୁମୀ ସକ୍ରିୟ ହେବା କଥା ଶୁଣି ଚଷା ପୁଅ ଟିକେ ତରତର ହେଉଛି, ଧାନ ବୁଣି ପାରିନି ଯଦିଓ ରୋଇବାର ଆଶା ରଖିଛି। ସ୍ଥିତି ଆହୁରି ସଂଗୀନ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଅଞ୍ଚଳରେ, ଏଠି ତ ଶହ ଶହ ଏକର ଜମିରେ ଏଯାଏଁ ହଳ ବି ପଶିନି। ହିଡ଼ ମୁଣ୍ଡରେ ବର୍ଷାକୁ ଚାହିଁ ଚାହିଁ ଚାଷୀର ନିଦ ହଜିଗଲାଣି। କପ୍ତିପଦା ଉପଖଣ୍ଡ ଅନ୍ତର୍ଗତ ଖୁଣ୍ଟା ଓ ଗୋପବନ୍ଧୁନଗର ବ୍ଲକରେ ଚଳିତ ମୌସୁମୀ ଋତୁରେ ଅଦ୍ୟାବଧି ମାତ୍ର ୧୬ ମିଲିମିଟର ବର୍ଷା ହୋଇଥିବାବେଳେ ଉଦଳାରେ ୭ମିଲିମିଟର ଓ କପ୍ତିପଦାରେ ୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଯାହା ଚାଷ ପାଇଁ ସମୁଦ୍ରକୁ ଶଙ୍ଖେ ଭଳି। ଆଉ ଦୁଇ ଚାରି ଦିନ ଭିତରେ ପର୍ଯ୍ୟାପ୍ତ ବର୍ଷା ନହେଲେ ଏଥର କୃଷକର ଦାନାପାଣି ସମ୍ପୂର୍ଣ୍ଣ ଉଜୁଡ଼ିବା ନିଶ୍ଚିତ। ତେବେ ବାଲେଶ୍ୱର ଜିଲ୍ଲାର ଖଇରା, ସିମୁଳିଆ ଏବଂ ଔପଦା ବ୍ଲକରେ କିନ୍ତୁ ଚିତ୍ର ଟିକେ ଅଲଗା। ମୌସୁମୀ ବର୍ଷା ପର୍ଯ୍ୟାପ୍ତ ହୋଇନଥିଲେ ବି ଆଗକୁ ବର୍ଷା ଆଶାରେ ଜମିକୁ ପାଣି ମଡ଼ାଇ ତଳି ପକାଉଛି ଚାଷୀ। ଏଠି ବି ଶହ ଶହ ଏକର ଜମି ଶୁଖିଲା ପଡ଼ିଛି। ଭଲ ବର୍ଷା ନହେଲେ ଏସନ ଗଜା ମରୁଡ଼ି ଆଶଙ୍କାରେ ସବୁଠି ଆତଙ୍କିତ ଚାଷୀ କୂଳ। ଯାହାକୁ ପରୋକ୍ଷରେ କୃଷି ବିଭାଗ ବି ସ୍ବୀକାର କରୁଛି।

Advertisment

ଏଣେ ଚଳିତ ମୌସୁମୀ ଋତୁରେ ନିଅଣ୍ଟିଆ ବର୍ଷା କାରଣରୁ ଚାଷ କାମ ଧିମେଇ ଥିବା ସ୍ବୀକାର କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଦେଇଥିବା ତଥ୍ୟ ଅନୁସାରେ  ଜୁନ ୧ରୁ ଜୁଲାଇ ୯ ତାରିଖ ମଧ୍ୟରେ ରାଜ୍ୟରେ ୨୨୦.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯାହା ଏହି ସମୟରେ ସ୍ୱାଭାବିକ ବର୍ଷାର ପରିମାଣ ୨୯୫ ମିଲିମିଟର ତୁଳନାରେ ୨୫ ପ୍ରତିଶତ କମ୍ । ତେବେ ଏହି ସମୟ ମଧ୍ୟରେ କେବଳ ଦେବଗଡ ଜିଲ୍ଲାରେ ସର୍ବାଧିକ ୪୩୭.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଯାହାକି ସ୍ୱାଭାବିକଠାରୁ ୫୦ ପ୍ରତିଶତ ଅଧିକ।

ସେହିପରି କଳାହାଣ୍ଡି ଜିଲ୍ଲାରେ ୧୨୩.୫ ମିଲିମିଟର ସହ ସବୁଠୁୁ କମ୍ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୬୫ ପ୍ରତିଶତ କମ୍। ରାଜ୍ୟର ୧୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବାବେଳେ ଦେବଗଡ଼ ଓ ଢାରସୁଗୁଡ଼ାରେ ସର୍ବାଧିକ ଏବଂ କେବଳ ଭଦ୍ରକ ଜିଲ୍ଲାକୁ ଛାଡ଼ି ଉପକୂଳ ଓଡ଼ିଶାର ୧୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ଏଥିଯୋଗୁଁ ଏସବୁ ଜିଲ୍ଲାରେ ଆସନ୍ନ ମରୁଡ଼ି ସ୍ଥିତି ଆଡକୁ ମୁହାଁଇଛି। ଆଗକୁ ୩ଦିନ ଅଧିକ ବର୍ଷାର ଅନୁମାନ ନଥିଲେ ବି ଆସନ୍ତା ସପ୍ତାହରେ ବର୍ଷା ପରିମାଣ ବଢ଼ିବା ଆକଳନ କରାଯାଉଛି। ଶୀଘ୍ର ମୌସୁମୀ ରାଜ୍ୟରେ ସକ୍ରିୟ ନହେଲେ ଏବର୍ଷ ଖରିଫ ଧାନ ଚାଷ ପ୍ରତି ବଡ଼ ବିପଦ ମାଡ଼ି ଆସିବା ନିଶ୍ଚିତ।

Drought Drought Situation
Advertisment
Advertisment