• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଦିଲ୍ଲୀବାସୀଙ୍କୁ ନୟାନ୍ତ କଲାଣି ବର୍ଷା ।

  • ଯୁଆଡ଼େ ଦେଖିବ ଖାଲି ପାଣି ଆଉ ପାଣି ।

  • ଦିଲ୍ଲୀର ଅଧିକାଂଶ ସହର ଏବେ ଜଳାର୍ଣ୍ଣବ ।

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କୁ ନୟାନ୍ତ କଲାଣି ବର୍ଷା । ଯୁଆଡ଼େ ଦେଖିବ ଖାଲି ପାଣି ଆଉ ପାଣି । ଦିଲ୍ଲୀର ଅଧିକାଂଶ ସହର ଏବେ ଜଳାର୍ଣ୍ଣବ । ଗତ ଦୁଇଦିନ ଧରି ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ପରେ ଅନେକ ସ୍ଥାନରେ ପାଣି ଜମି ରହି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିଯୋଗୁଁ ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଦେଇଛି । ପାଣିପାଗ ବିଭାଗର ସୂଚନା ଅନୁୟାୟୀ ଗତକାଲିର ବର୍ଷା ୧୯ ବର୍ଷର ରେକର୍ଡ ଭାଙ୍ଗିଥିଲା । ଗତକାଲି ୧୧୨.୧ ମିଲିମିଟର ବର୍ଷା ହୋଇଥିଲା ।

ସେପ୍ଟେମ୍ବର ମାସରେ କୌଣସି ଗୋଟିଏ ଦିନରେ ଏତେ ମାତ୍ରାର ବର୍ଷା ହେବାରେ ରେକର୍ଡ ହୋଇଛି । ଆଜି ମଧ୍ୟ ଦିଲ୍ଲୀରେ କିଛି ସ୍ଥାନରେ ବର୍ଷା ହେଉଛି । ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ସ୍ଥାନେ ସ୍ଥାନେ ମଧ୍ୟମରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସେପଟେ ଏନ୍‌ସିଆର ଅଞ୍ଚଳରେ ମଧ୍ୟ କାଲିଠୁ ବର୍ଷା ଲାଗି ରହିଛି । ନୋଏଡ଼ାର ବିଭିନ୍ନ ଅଣ୍ଡରପାସରେ ପାଣି ଜମି ରହି ସମସ୍ୟା ସୃଷ୍ଟି ହୋଇଛି ।

ତେବେ ଦିଲ୍ଲୀ ପରେ ପଡ଼ିପାରେ ଓଡ଼ିଶା ପାଳି । ଆସନ୍ତା ୬ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୬ ଓ ୭ରେ ଭଲ ବର୍ଷା ହେବ ବୋଲି କୁହାଯାଉଛି । ଅଗଷ୍ଟ ତୁଳନାରେ ସେପ୍ଟେମ୍ବରରେ ଭଲ ବର୍ଷା ହେବ ବୋଲି କହିଛନ୍ତି ମୃତ୍ୟୁଞ୍ଜୟ ।

ସେପଟେ ରାଜ୍ୟରେ ଏବେ ସୁଦ୍ଧା ସ୍ୱାଭାବିକ୍‌ଠାରୁ ବହୁତ କମ୍‌ ପରିମାଣର ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେଣୁ ରାଜ୍ୟର ବିଭିନ୍ନ ସ୍ଥାନରେ ମରୁଡ଼ି ପରିସ୍ଥିତି ସୃଷ୍ଟ ହୋଇଛି । ଜୁନ୍ ୧ରୁ ଏପର୍ଯ୍ୟନ୍ତ ଓଡ଼ିଶାରେ ୩୩% ନିଅଣ୍ଟିଆ ବର୍ଷା ହୋଇଛି । ବିଶେଷତଃ ଅଗଷ୍ଟ ମାସରେ ୫୫% ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ଏହାର କାରଣ ହେଉଛି ଓଡ଼ିଶା ଏପରି ଏକ ରାଜ୍ୟ ଯେଉଁଠାରେ ମୌସୁମୀ ବାୟୁ ଥିବା ସମୟରେ ଲଗୁଚାପ ଜନିତ ବର୍ଷା ହିଁ ଅଧିକ ହୋଇଥାଏ । 

ସୂଚନାଯୋଗ୍ୟ, ଚଳିତବର୍ଷ ଆବଶ୍ୟକତାଠାରୁ କମ୍‌ ବର୍ଷା ହୋଇଛି । ଯେଉଁଥିପାଇଁ ଧାନ କିଆରି ଶୁଖିବାକୁ ବସିଲାଣି । ଚାଷ ଜମି ଫାଟି ଆଁ କରିଛି । ବର୍ଷା ନହେଲେ ସ୍ଥିତି ଭୟଙ୍କର ହେବ ବୋଲି ଅନୁମାନ କରାଯାଉଛି । ସେପଟେ ଜଳ ଭଣ୍ଡାରେ ମଧ୍ୟ ସମାନ ସ୍ଥିତି । ପାଣି ଶୁଖି ଯିବାକୁ ବସିଲାଣି । ସେପରି ସ୍ଥିତିରେ କେମିତି ହେବ ଚାଷ ? ଯାହାକୁ ନେଇ ଚାଷୀ ଚିନ୍ତାରେ ପଡ଼ି ଯାଇଛନ୍ତି । ତେବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଚାଷୀ ଭାଇଙ୍କ ପାଇଁ ଖୁସି ଖବର ନେଇ ଆସିଛି ।